ମାଟି ମାଆ
ବଣ ଜଙ୍ଗଲ ଶାଗୁଆ ଭୂଇଁ
କିଏ ଗଢ଼ିଚି କହ
ଫୁଲେ ଭରିଚି ଏତେ ସୁବାସ
ବାସୁଛି ମହ ମହ ll
ଫଳରେ ଏତେ ମିଠା ସୁଆଦ
ଦେଇଚି ଯତନରେ
ସଜାଇ ଏଇ ନଈ ପାହାଡ଼
ଆମରି ପାଇଁ ଯା ‘ ସବୁ ଲୋଡ଼ା
ସବୁତ ଅଛି ଏଠି
ତାହାରି ଦିଆ ଦରବେ ସିନା
ଦେଉଚୁ ତାକୁ ଭେଟି ll
ତଥାପି କେବେ ବହେନା ରୋଷ
ମାଟି ମା ଆମ ଠାରେ
ଏଇ ମାଟିରେ ଜନମ ଆମ
ମରଣ ମାଟି ପରେ ll
ଛଅ ଋତୁ
ବଇଶାଖ ଖରା ତାତି ହୋଏ ବଡ
ମଥା ମାରେ ଝାଇଁ ଝାଇଁ
ଝିଙ୍କାରୀଟା ଖାଲି ବିଲ ହୁଡ଼ାପରେ
ଗୀତ ଗାଏ ଝିଁ ଝିଁ ll
ଆସିଲେ ଆଶାଢ ଝରିପଡ଼େ ମେଘ
ଆକାଶ ଛାତିରୁ କେତେ
ପାଣି ପରଶରେ ଏ ଧରା ବୁକୁ୍ରୁ
ଦୂର ହୁଏ ତାତି ଯେତେ ll
ଅଶିଣ ପବନ ଥିରି ଥିରି ଝୁଲି
କହେ କାଶଫୁଲ କାନେ
ଜଗତ ତାରିଣୀ ମାଆ ମୋ ଆସିବେ
ଆଉ ତ ‘ ଅଳପ ଦିନେ ll
ମଗୁଶୀର ଶୀତ କାକରେ ବତୁରି
ଧାନ କ୍ଷେତ ନଇଁଯାଏ
ମାତା ଲକ୍ଷ୍ମୀଙ୍କର ଚରଣ ସେ ଛୁଇଁ
ଆନନ୍ଦର ଗୀତ ଗାଏ ll
ମାଘ ମାସ ଶୀତ ବାଘ ପରି ଆସେ
ଥରି ଉଠେ ଦେହ ମୋର
ଜାଡୁଆ ଶୀତରେ କୋଲ ମରିଯାଏ
ଦେହ ହୁଏ ଥର ଥର ll
ଫଗୁଣ ମାସରେ ଆମ୍ବ ଚଣା ଝୁଲେ
ମିଠା ମହକରେ ଭରି
ଫୁଲେ ଫୁଲେ ନାଚି ଭଅଁର ପାଗଳ
ମତୁଆଲା ହୁଏ ଭାରି ll
ମାଆ ମୁଁ ହେଲିଣି ବଡ଼
ମାଆ ମୁଁ ହେଲିଣି ବଡ
ଦିଅ ଖାତା ବହି
ପାଠ ପଢିବାକୁ ଏବେ
ସ୍କୁଲ ଯିବି ମୁହିଁ ll
ଆଣିଦିଅ ସ୍କୁଲ ବ୍ୟାଗ
ଜାମା ଜୋତା ମୋର
ବ୍ୟାଗ ଧରି ପାଠ ପଢି
ଯିବି ମୁଁ ଏଥର ll
ମନ ଦେଇ ଶୁଣିବି ମୁଁ
ଇସ୍କୁଲରେ ପାଠ
ପାଠ ପଢି ନାଆଁ ରଖି
ହେବି ଭଲ ଚାଟ ll
ଇସ୍କୁଲରେ ଥିବେ ଯେତେ
ଗୁରୁଜୀ ଗୁରୁମା
ତାଙ୍କ କଥା ମାନି ଦୁଷ୍ଟ
ହେବି ନାହିଁ ଜମା ll
ରାଜା ହେବ କିଏ
ବଣରେ ଦିନେ ବସିଲା ସଭା
ବାଛିବା ଲାଗି ରାଜା
ଫୁଲ ପତରେ ଭଳି ଭଳିକା
ହୋଇଲା ସଭା ସଜା ll
ବାଘ, କୁଟୁରା, ସିଂହ, ସମ୍ବର
ବସିଲେ ହୋଇ ଧାଡି
ହେଟା, ଗଧିଆ, ଭାଲୁ, ବାରହା
ଆସିଲେ ଯୋଡି ଯୋଡି ll
ଶିଆଳ ଆଉ ହରିଣ ମାନେ
ହୋଇଣ ଦଳ ଦଳ
ସଭାରେ ବସି କରୁ ଥାନ୍ତି
ପ୍ରବଳ କୋଳାହଳ ll
ହାତୀର ଯେବେ ହୋଇଲା ଡେରି
ଭାବିଲେ ଜନ୍ତୁଗଣ
ପଙ୍କ ପୋଖରୀ ମଝିରେ ମଝିରେ ହାତୀ
ପଶିଯାଇଛି ଜାଣ ll
ହାତୀ ନଥାଇ କି ସଭା ହେବ
କହିଲେ ସବୁ ପଶୁ
ବାତିଲ ହେଉ ଏ ସଭା ଆଜି
ପହିଲେ ହାତୀ ଆସୁ ll
ମିଳି ମିଶି ଖେଳିବା
କୁନି ଠେକୁଆ କହିଲା ଦିନେ
ଡାକି କଇଁଛ ଛୁଆ
ଭୁଲିଯା ସବୁ ପଛ କଥାକୁ
ଖେଳିବା ଖେଳ ନୂଆ ll
ସେଦିନ ସିନା ପଡିଲି ଶୋଇ
ତାଳ ଗଛର ମୂଳେ
ହାରିଲି ମୁହିଁ ଅଳସ ପଣେ
ଜିତିଲୁ କଉଶଳେ ll
ଖେଳ ମଝିରେ ଆଉ ଏମିତି
କରିବି ନାହିଁ ଭୁଲ
ଆ ‘ ଶିଖିଚି ନୂଆ ଖେଳ ମୁଁ
ଖେଳିବୁ ଯଦି ଚାଲ l
କଇଁଚ ପିଲା ନିରୀହ ଅତି
କହିଲା, ଚାଲ ଯିବା
କହୁଚୁ ଯଦି କି ନୂଆ ଖେଳ
ଆ’ ମିଶି ଖେଳିବା ll