ତ୍ରିରଙ୍ଗ ପତାକା ତଳେ
ନାଲି ଧଳା ଆଉ ସବୁଜରଙ୍ଗର
ତ୍ରିରଙ୍ଗ ପତାକା ତଳେ
ଶପଥ ନେବାରେ ଅଗଷ୍ଟ ପନ୍ଦର
ଆସିଅଛି ଅବହଳେ।
ଭାରତ ମାତାର ମୁକ୍ତି ଦିନ ଏ
ଇତିହାସ ଆଜି ଘୋଷେ
ସବୁଦିନଠାରୁ ଏଦିନଟି ପରା
ପବିତ୍ର ଅଗଷ୍ଟ ମାସ।
ଗୋରା ସିପାହୀଙ୍କ ହାତରୁ ଭାରତ
ଆମର ମୁକ୍ତି ହେଲା
ହେଲେ କେତେଜଣ ନେତାଙ୍କୁ ଇଂରେଜ
ଫାସିଖୁଣ୍ଟେ ଝୁଲାଇଲା।
ଟିପୁ ସୁଲତାନ ତାନ୍ତିଆ ଟୋପି
ଝାନ୍ସୀ ଲକ୍ଷ୍ମୀବାଈ
ଖୁଦିରାମ ପରି କେତେ ବୀର ଗଲେ
ଭାରତେ ସହୀଦ ହୋଇ।
ଲାଲ୍ ବାଲ୍ ପାଲ୍ ଗାନ୍ଧି, ନେହେରୁ
କାରାଗାରେ କାଟିଦିନ
ଅହିଂସାବଳରେ ସ୍ବାଧୀନ ଆଣିଲେ
ଏ ଆମର ସ୍ବାଭିମାନ।
ବାର ବରଷର ବାଳୁତ ପିଲାଟି
ନାଆଁ ତା ବାଜିରାଉତ
ଇତିହାସେ ସେ ଯେ ନାଆଁ ରଖିଗଲା
ଡଙ୍ଗାରେ ଜୀବନ ଦେଇତ।
ସବୁଦିନ ପାଇଁ ରହିଲା ରହିବ
ତାଙ୍କ ଯଶ ଗୁଣ ଗାନ
ଫର ଫର ଉଡ଼େ ତ୍ରିରଙ୍ଗା ପତାକା
ଦିଶେ କେଡ଼େ ଶୋଭାବନ।
ଜଗନ୍ନାଥ ଯୀଶୁଖ୍ରୀଷ୍ଟ ବୁଦ୍ଧ ଶଙ୍କର
ଅବତରି ଭୂମଣ୍ଡଳେ
ଧର୍ମର ଧ୍ଵଜା ଉଡାଇ ଅଛନ୍ତି
ଶାନ୍ତି ପ୍ରୀତି ମୈତ୍ରୀ ବଳେ।
ଫିରିଙ୍ଗି ଯାଇଛି ଆମ ଦେଶ ଛାଡି
ଆମେ ନୋହୁ ପରାଧୀନ
ସ୍ବାଧୀନ ଦେଶର ନାଗରିକ ଆମେ
ଗଣତନ୍ତ୍ର ଆମ ଶାସନ।
ସତ୍ୟ ଅହିଂସା ମୈତ୍ରୀର ଜୟ
ଭାରତର ଜୟଗାନ
ଏ ପତାକା ତଳେ ଶପଥ ନେବାରେ
ଏ ଜାତିଟା ମହୀୟାନ।
ଗୋଟିଏ ସ୍ବରରେ କୋଟିଏ ଗାଇବା
ଭାରତ ମାତାର ଗାନ
ଜାତି ଭେଦବୁଲି ସଭିଏଁ ଭାବିବା
ଏକ ମାଆର ସନ୍ତାନ।
ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ