Read the classic Odia story “ଅଦରକାରୀ” (Adarakari), originally published in the August 1980 edition of Janhamamu magazine. ଜାଣନ୍ତୁ କେମିତି ମହେନ୍ଦ୍ର ନିଜ ବୁଦ୍ଧି ଓ ଆତ୍ମବିଶ୍ୱାସ ବଳରେ ଏକ ଅଦରକାରୀ ଜିନିଷକୁ ସୁନାରେ ପରିଣତ କଲେ। Experience pure childhood nostalgia!
ଅଦରକାରୀ -Adarakari Odia Story
ମଣିପୁରର ରାମବାବୁ ତେଲ ବ୍ୟବସାୟ କରୁଥିଲେ । ସେଥିରେ ସେ ବେଶ୍ ଦୁଇ-ପଇସା ଆୟ କରି ସୁଖରେ ବସବାସ କରୁଥିଲେ । ସ୍ବଭାବରେ ସେ ଦୟାଳୁ ଥିଲେ ଓ ସମସ୍ତଙ୍କୁ ସାହାଯ୍ୟ କରିବାକୁ ସୁଖ ମଣୁଥିଲେ । ଜାଳେଣି ପାଇଁ ସେ ଗୋଟାଏ ଭଲ ବ୍ୟବସ୍ଥା କରିଥିଲେ । ବଜାରରୁ ପୂରା ଶୁଖିଲା ନଡ଼ିଆମାନ କଣୁଥିଲେ । କତା ଛଡ଼ାହୋଇ ଯେଉଁ ନଡ଼ିଆ ବିକ୍ରି ହେଉଥାଏ, ତାହା ସେ ଘରକୁ ଆଣିବା ପରେ ରୂପେ ରୂପେ ନଡ଼ିଆ ଛଡାଇ କତାରକ ଜାଳେଣି ରୂପେ ବ୍ୟବହାର କରୁଥିଲେ । ନଡ଼ିଆଶସରୁ ତେଲ ବାହାର କରୁଥିଲେ ।
ତେବେ ନଡ଼ିଆ ସଢ଼େଇମାନ ସେ ଫିଙ୍ଗିଦେଉଥିଲେ । ସେସବୁ ଓଳିଆପରେ ଜମାହୋଇ ରହୁଥାଏ । କେବେକେମିତି ଗାଁର ପିଲାମାନେ ସେସବୁ ନେଇ ବାଟରେ ଖେଳୁଥିଲେ ଓ ଏଣେତେଣେ ଫିଙ୍ଗିଦେଉଥିଲେ । ବର୍ଷାଋତୁରେ ସେସବୁ ଭସିଯାଉଥିଲା । ଗାଁପାଖ ଦେଇ ଯାଇଥିବା ନାଳରେ ପଡି କାହିଁ କୁଆଡ଼େ ଅଦୃଶ୍ୟ ହୋଇଯାଉଥିଲା । ଏମିତି ଚାଲିଥାଏ ବର୍ଷ ବର୍ଷ ।
ମହେନ୍ଦ୍ର ବୋଲି ଜଣେ ପଡ଼ୋଶୀ ଗାଁର ଯୁବକ ତାଙ୍କ ଘର ଆଗ ଦେଇ ଯାଉଥିବା ବେଳେ ଜମା ହୋଇଥିବା ସଢ଼େଇଗଦା ଦେଖି ତାଙ୍କୁ ପଚାରିଲା, “ଆଜ୍ଞା, ଏସବୁ କରିବେ କ’ଣ ?” “ଅଦରକାରୀ ବୋଲି ତ ଫୋପାଡ଼ିଦେଇଛି । କରିବି ଆଉ କ’ଣ ?” ରାମବାବୁ ଉତ୍ତର ଦେଲେ ।
“ତାହାହେଲେ ମୁଁ ଏସବୁ ନେଇପାରେ ? ଅବଶ୍ୟ ସତ୍କଞ୍ଚିତ୍ ମୂଲ୍ୟ ଦେବି ।” ମହେନ୍ଦ୍ର କହିଲା । ରାମବାବୁ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁ ରହିଲେ । ମହେନ୍ଦ୍ର ଟିକିଏ ଅପ୍ରସ୍ତୁତ ହୋଇ କହିଲା, “ନା, ନା, ଆପଣଙ୍କର ପ୍ରୟୋଜନ ଥିଲେ ମୁଁ ନେବି ନାହିଁ । ମୁଁ ଭାବିଲି ବୋଧହୁଏ ଏସବୁ ଏମିତି ପଡ଼ିରହି ନଷ୍ଟ ହୋଇଯିବ । ତେଣୁ ମୁଁ ନେଇଯିବି ।”
“ତୁମେ କ’ଣ ପିଲା ହୋଇଛ ଯେ ସଢ଼େଇ ନେଇ ଖେଳିବ ?” ରାମବାବୁ ପଚାରିଲେ ।
“ନା, ଆଜ୍ଞା । ମୁଁ ଖେଳିବି କିଆଁ ? କାମରେ ଲଗାଇବି । ସେଇଥିପାଇଁ ତ, ସତ୍କଞ୍ଚିତ୍ ମୂଲ୍ୟ ଦେବାକୁ ମୁଁ ପ୍ରସ୍ତୁତ ।” ମହେନ୍ଦ୍ର କହିଲା । ରାମବାବୁ ହସିଲେ ଓ କହିଲେ, “ନା, ନା, ପଇସା ଦେବା ଆବଶ୍ୟକ ନାହିଁ । ଅଦରକାରୀ ଜିନିଷର ପୁଣି ମୂଲ୍ୟ !”
ମହେନ୍ଦ୍ର କିନ୍ତୁ ଅଳ୍ପ କିଛି ପଇସା ଦେଇ କହିଲା, “ଆପଣଙ୍କ ପାଇଁ ସିନା ଅଦରକାରୀ ! ମୋ ପାଇଁ ଦରକାରୀ । ଅତଏବ ଯତ୍କଞ୍ଚିତ୍ ଗ୍ରହଣ କରନ୍ତୁ ।” ତେଣିକି ପ୍ରତି ପନ୍ଦର ଦିନରେ ଥରେ ଆସି ମହେନ୍ଦ୍ର ଅଖା-ଭରି ସଢ଼େଇ ନେଇଯାଏ । ଛଅମାସ ଗଲା । ରାମବାବୁ ଆଉ ତା’ର ଦେଖା ପାଇଲେ ନାହିଁ । ଶୁଣିଲେ, ମହେନ୍ଦ୍ର କୁଆଡ଼େ ଗାଁ ଛାଡ଼ି ଅନ୍ୟତ୍ର ଚାଲିଯାଇଛି । ତେଣିକି ସଢ଼େଇମାନ ପୁଣି ପୂର୍ବଭଳି ଜମାହେବାକୁ ଲାଗିଲା ଓ ବର୍ଷା ବେଳେ ନାଳ ଭିତରକୁ ଭସିଗଲା ।
ରାମବାବୁଙ୍କର ସେ ବ୍ୟାପାର ନେଇ ମୁଣ୍ଡ ଖେଳାଇବାର କୌଣସି କାରଣ ନ ଥାଏ । ଏମିତି ପାଞ୍ଚ ବର୍ଷ ବିତିଗଲା । ରାମବାବୁ ମହେନ୍ଦ୍ର କଥା ପୂରା ଭୁଲିଗଲେ । ଦିନେ ରାମବାବୁ ସହରକୁ ଯାଇଥିଲେ । ସହରରୁ ଫେରିବା ବାଟରେ ସେ ଗୋଟାଏ ସମୃଦ୍ଧ ଗାଁ ଭିତର ଦେଇ ଆସୁଛନ୍ତି, ଆଖିରେ ପଡ଼ିଲା ଏକ ବିଶାଳ ତୋଟା ।
ନଡ଼ିଆ ସମେତ ନାନା ଜାତିର ଫଳରେ ଗଛଗୁଡ଼ିକ ଉଛୁଳି ପଡ଼ୁଛି । ତା’ ପଛକୁ ଗୋଟାଏ ସୁନ୍ଦର କୋଠା । ସେ ସେଠାରେ ଠିଆହୋଇ ପଡ଼ିଲେ । “ଏ ବଗିଚାର ମାଲିକ କିପରି ଫଳ ଜଗି ଗଛମାନଙ୍କର ତତ୍ତ୍ବ ଭଲ ଭାବରେ ନେବାକୁ ହୁଏ ସେ କଥା ଜାଣିଛନ୍ତି ।”
ସେ ନିଜକୁ ଏ କଥା କହି କୋଠା କଡ଼େ କଡ଼େ ପଦଚାରଣା କରୁଥାନ୍ତି । କୋଠାର ପରିପାଟି ତାଙ୍କୁ ଆକୃଷ୍ଟ କଲା । ସେ ଦେଖିଲେ ପୁରୁଣା ଜିନିଷକୁ କେମିତି ନୂଆ ଭଳି ସଜେଇ ରଖାଯାଇ ପାରିଛି । ସେ ଅନାଇ ରହିଛନ୍ତି, ଜଣେ ଲୋକ ଦୌଡ଼ିଆସି ତାଙ୍କୁ କହିଲା, “ବାବୁ, ଆପଣଙ୍କୁ ଆମ ଜମିଦାର ଡାକୁଛନ୍ତି ।”
“ତୁମ ଜମିଦାର କାହିଁକି ଡାକୁଛନ୍ତି ? ସେ ତ ମୋତେ ଚିହ୍ନିବା କଥା ନୁହେଁ ।” ରାମବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ ।
“ବୋଧହୁଏ ଚିହ୍ନିଥିବେ । ତାଙ୍କ କଥାରୁ ତ ସେମିତି ମନେ ହେଲା ।” ଲୋକଟି କହିଲା । ରାମବାବୁ କୋଠା ପାଖରେ ପହଞ୍ଚିଲା ମାତ୍ରେ ଦୁଇମହଲା ଉପରୁ ତାଙ୍କୁ ପାଛୋଟି ନେବାକୁ ଜଣେ ଯୁବକ ଓହ୍ଲାଇଆସିଲେ । ସେ ସୁନ୍ଦର ରେଶମୀ ବସ୍ତ୍ର ପିନ୍ଧିଥାନ୍ତି ।
“ମହେନ୍ଦ୍ର ! ତୁମେ ଏଠାରେ !” ରାମବାବୁ ବିସ୍ମୟଭରା କଣ୍ଠରେ କହିଲେ । ମହେନ୍ଦ୍ର ହସିଦେଇ ରାମବାବୁଙ୍କ ପରିଚର୍ଯ୍ୟା କଲା ଓ ତା’ପରେ ଗପିଲା : –
“ଆପଣଙ୍କ ମନରେ ବହୁତ କୌତୂହଳ ହେଉଥିବା ସ୍ବାଭାବିକ । ଯାହା ହେଲା, ତାହା ଅବଶ୍ୟ ନାଟକୀୟ । ଦିନେ ଜମିଦାର ହରିସିଂହ ଆମ ଗାଁ ଦେଇ ଘୋଡ଼ାଗାଡ଼ରେ ଯାଉଥିଲେ । ଗୋଟାଏ ଗାତ ଯୋଗୁଁ ଗାଡ଼ି ଓଲଟି ପଡ଼ୁଥିଲା । ଦୈବକୁ ମୁଁ ସେଠାରେ ଥିଲି । ଗାଡ଼ିକୁ ଧରିପକାଇ ମୋ ଶକ୍ତି ଦେଇ ସଳଖ କରିଦେଲି । ଜମିଦାର ଘାବଡ଼େଇ ଯାଇଥିଲେ । ମୁଁ ସାହସ ଦେଇ ତାଙ୍କୁ ଧରି ପୁଣି ଗାଡ଼ିରେ ବସାଇଲି । ମୁଁ ତାଙ୍କ ସାଥୀରେ ତାଙ୍କ ଘରଯାଏ—ଅର୍ଥାତ୍ ଏଯାଏ ଆସିଲି ।
ବାଟରେ ସେ ମୋଠାରୁ ଆମ ଘରର ହାଲଚାଲ ଶୁଣିଲେ । ମୋ ଜେଜେବାପା ଛୋଟିଆ ଜମିଦାର ଥିଲେ ଓ ହରିସିଂହ ପରିବାର ସହ ଆମର ସମ୍ପର୍କ ଥିଲା । ମୋ ବାପାଙ୍କ ସମୟକୁ ଆମେ ଗରିବ ହୋଇଯାଇଥିଲୁ । ਹਰିସିଂହ ମୋ ପରିଚୟ ପାଇ ମୋ ଅବସ୍ଥା ଯୋଗୁଁ ଦୁଃଖ ପ୍ରକାଶ କଲେ ଓ ମୋତେ ସାହାଯ୍ୟ କରିବାକୁ ଚାହିଁଲେ । ମୁଁ କହିଲି କି ମୋ ବୁଦ୍ଧି ଥିଲେ ଅଦରକାରୀ ଜିନିଷରୁ ମୁଁ ବେପାର କରି ଉନ୍ନତି କରିପାରିବି । ବୁଦ୍ଧି ନ ଥିଲେ ସାହାଯ୍ୟ ଦେଲେ ବି ସବୁ ବୁଡ଼ାଇଦେବି ।
ଜମିଦାର ମୋତେ କହିଲେ ସତରେ ଯଦି ମୁଁ ଅଦରକାରୀ ଜିନିଷରୁ ଆୟ କରି ଦେଖାଇଦେଇ ପାରିବି, ତେବେ ସେ ମୋତେ ତାଙ୍କର ଏକମାତ୍ର ସନ୍ତାନ କନ୍ୟା ସହ ଅତି ଆନନ୍ଦରେ ବିବାହ ଦେବେ ।” “ଆପଣଙ୍କଠାରୁ ସଢ଼େଇ ସଂଗ୍ରହ କରି ଦୁଇଜଣ ଗାଁଉଲି ଶିଳ୍ପୀଙ୍କ ସହାୟତାରେ ସେଥିରେ ନାନା ଜିନିଷ ତିଆରି କଲି, ଯଥା ଖେଳଣା, ମୁଖା, ଡିଙ୍କି, ଗିନା, ଆଦି ଆହୁରି କେତେ କ’ଣ ।
ସେସବୁ ରଙ୍ଗବେରଙ୍ଗର ଜିନିଷ ସହରରେ ବହୁତ ଭଲରେ ବିକ୍ରି ହେଲା । ଯେତେବେଳେ ଜମିଦାର ସ୍ବୟଂ ସହରକୁ ଯାଇ ମୋର ଏହି କାରବାର ଦେଖିଲେ, ସେତେବେଳେ ସେ ତାଙ୍କ ସର୍ତ୍ତ ରକ୍ଷା କରି ମୋତେ କନ୍ୟାଦାନ କଲେ । ସମ୍ପ୍ରତି ତାଙ୍କର ପରଲୋକ ହେଲାଣି । ମୁଁ ଏବେ ତାଙ୍କର ଏହି କୋଠାରେ ରହୁଛି ।” “ଭାଗ୍ୟର ବିଚିତ୍ର ଗତି ସାଙ୍ଗକୁ ତୁମର ଦୃଢ଼ ନିଷ୍ଠା ଓ ଆତ୍ମବିଶ୍ବାସ ମିଶି ଏହି ମଧୁର ଘଟଣା ସମ୍ଭବ କଲା !” କହିଲେ ରାମବାବୁ । ମହେନ୍ଦ୍ରର ଆନ୍ତରିକ ଅନୁରୋଧ ଏଡ଼ାଇ ନ ପାରି ରାମବାବୁ ସେଦିନ ଆନନ୍ଦରେ ତା’ର ଆତିଥ୍ୟ ଗ୍ରହଣ କଲେ ।