Read the famous Odia moral story “Santanara Kartabya” from Janhamamu. Teach children the true duties of a child with this inspiring classic tale.
Santanara Kartabya (ଜାନ୍ହାମାମୁଁ) – Best Moral Stories for Children in Odia
ତ୍ରିଲୋଚନବାବୁ ଗ୍ରାମର ଜଣେ ଅତ୍ୟନ୍ତ ଧର୍ମପରାୟଣ ଓ ସାଧୁ ବ୍ୟକ୍ତି ଥିଲେ । ନିଜ ଝିଅ ବାହାଘର ପାଇଁ ସେ ଗ୍ରାମର ଶ୍ରେଷ୍ଠ ଅଳଙ୍କାର ବ୍ୟବସାୟୀ ଭାର୍ଗବବାବୁଙ୍କଠାରୁ ପଚାଶ ହଜାର ଟଙ୍କାର ଅଳଙ୍କାର କିଣିଥିଲେ । ମାତ୍ର ସେତେବେଳେ ତାଙ୍କ ପାଖରେ ଚାଳିଶ ହଜାର ଟଙ୍କା ଥିବାରୁ, ବାକି ଦଶ ହଜାର ଟଙ୍କା ପରେ ଦେବେ ବୋଲି ରଖିଆସିଥିଲେ । ଭାର୍ଗବବାବୁ,ତ୍ରିଲୋଚନବାବୁଙ୍କ ସାଧୁତା ବିଷୟରେ ଜାଣିଥିବାରୁ ସେହି ବାକି ଟଙ୍କା କଥା ଖାତାରେ ଲେଖି ନ ଥିଲେ ଏବଂ କ୍ରମଶଃ ଭୁଲିଯାଇଥିଲେ ।
କିନ୍ତୁ ପରବର୍ତ୍ତୀ ସମୟରେ ତ୍ରିଲୋଚନବାବୁଙ୍କ ଆର୍ଥିକ ଅବସ୍ଥା ଖରାପ ହେବା ସହ ଦେହ ମଧ୍ୟ ଅସୁସ୍ଥ ହୋଇପଡ଼ିଲା । ନିଜର ଶେଷ ସମୟ ନିକଟ ହୋଇ ଆସିବା ଜାଣି, ସେ ପୁଅ ରାମପ୍ରସାଦକୁ ପାଖକୁ ଡାକି କହିଲେ , “ପୁଅ, ତୋ ଅପା ବାହାଘର ବେଳେ ମୁଁ ଭାର୍ଗବବାବୁଙ୍କଠାରୁ ଅଳଙ୍କାର କିଣି ଦଶ ହଜାର ଟଙ୍କା ବାକି ରଖିଥିଲି । ମୁଁ ଏହା ଶୁଝିବା ପୂର୍ବରୁ ଅସୁସ୍ଥ ହୋଇପଡ଼ିଲି । ତୁ ଯଦି ଏହି ଟଙ୍କା ନ ଶୁଝିବୁ, ମୋ ଆତ୍ମା ଅତୃପ୍ତ ରହିବ । ମୋତେ କଥା ଦେ, ଏହି କରଜ ଶୁଝିବୁ ।” ରାମପ୍ରସାଦ କରଜ ଶୁଝିବାକୁ ବାପାଙ୍କୁ କଥା ଦେବା ପରେ ତ୍ରିଲୋଚନବାବୁ ଶାନ୍ତିରେ ଆଖି ବୁଜିଲେ ।
ବାପାଙ୍କ ମୃତ୍ୟୁ ପରେ ରାମପ୍ରସାଦ କଠିନ ପରିଶ୍ରମ କରି ଧନ ଅର୍ଜନ କଲା ଏବଂ ସେଥିରୁ କିଛି କିଛି ସଞ୍ଚୟ କରି ଶେଷରେ ଦଶ ହଜାର ଟଙ୍କା ଜମା କଲା । ତା’ପରେ ସେ ଭାର୍ଗବବାବୁଙ୍କ ଘର ଖୋଜି ସେଠାରେ ପହଞ୍ଚିଲା । ସେଠାରେ ଜଣେ ଯୁବକକୁ ଦେଖି ରାମପ୍ରସାଦ ଭାର୍ଗବବାବୁଙ୍କ ବିଷୟରେ ପଚାରିଲା ।
ଯୁବକଟି କହିଲା ଯେ ଭାର୍ଗବବାବୁ ବହୁ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି । ସେ ସମୁଦ୍ରରେ ବାଣିଜ୍ୟ କରିବାକୁ ଯାଇ ଜାହାଜ ବୁଡ଼ିଯିବାରୁ ପ୍ରଚୁର କରଜରେ ବୁଡ଼ିଯାଇଥିଲେ । ସେହି କରଜ ପରିଶୋଧ କରି ନ ପାରି ତାଙ୍କ ପୁଅ ମଧ୍ୟ କୁଆଡ଼େ ପଳାଇଛି ।
ଏହା ଶୁଣି ରାମପ୍ରସାଦ କହିଲା, “ମୋ ବାପା ଭାର୍ଗବବାବୁଙ୍କଠାରୁ ଦଶ ହଜାର ଟଙ୍କା ବାକି ରଖିଥିଲେ, ଯାହାକୁ ଶୁଝିବାକୁ ମୁଁ ବାପାଙ୍କୁ ପ୍ରତିଶ୍ରୁତି ଦେଇଥିଲି । ଯଦି ତାଙ୍କ ପୁଅ ନ ମିଳିବେ, ତେବେ ମୁଁ ଭାର୍ଗବବାବୁଙ୍କ ନାମରେ ଗୋଟିଏ ଧର୍ମଶାଳା ତିଆରି କରିଦେବି, ଯାହା ଦ୍ୱାରା ମୋ ବାପାଙ୍କ ଆତ୍ମା ଶାନ୍ତି ପାଇବ ।” ଏହା ଶୁଣି ଯୁବକଟି ଅନୁତାପ କରି କହିଲା, “ଭାଇ, ମୋତେ କ୍ଷମା କର । ମୁଁ ହିଁ ଭାର୍ଗବବାବୁଙ୍କ ପୁଅ । ବାପାଙ୍କ କରଜ ଆଦାୟ କରିବାକୁ କେହି ଆସିଛି ଭାବି ମୁଁ ଡରରେ ମିଛ କହିଥିଲି ।”
ରାମପ୍ରସାଦ ଦୁଃଖିତ ହୋଇ ତାଙ୍କୁ ବୁଝାଇଲା, “ବାପାଙ୍କ କରଜକୁ ବୋଝ ନ ଭାବି, କଷ୍ଟ କରି ଧୀରେ ଧୀରେ ଶୁଝିଦେଲେ ତାଙ୍କର ପ୍ରତିଷ୍ଠା ଓ ସୁନାମ ଅକ୍ଷୁଣ୍ଣ ରହେ । ଏହା ନିଶ୍ଚୟ ସନ୍ତାନର ଧର୍ମ ।” ଏହା କହି ରାମପ୍ରସାଦ ସେହି ଦଶ ହଜାର ଟଙ୍କା ଭାର୍ଗବଙ୍କ ପୁଅକୁ ଦେଲା ଏବଂ କହିଲା ଯେ ଏହାକୁ ମୂଳଧନ କରି ବ୍ୟବସାୟ କରି ବାପାଙ୍କ କରଜ ଶୁଝିବାକୁ । ଭାର୍ଗବଙ୍କ ପୁଅ ସେହି ଟଙ୍କାରେ ବ୍ୟବସାୟ ଆରମ୍ଭ କରି ବହୁତ ଧନ ଅର୍ଜନ କଲା ଏବଂ ପରିଶେଷରେ ନିଜ ବାପାଙ୍କର ସମସ୍ତ କରଜ ପରିଶୋଧ କରିପାରିଲା ।