Odia Story Bikram Betala

Odia Story Bikram Betala

Odia Story Bikram Betala

Facebook
WhatsApp
Telegram

Odia Story Bikram Betala:There is a roaring of the cold wind, and it is also raining. A soft sound floats from the nearby forest. Amidst the thunder and the ranks of the wise beasts, the laughter of the incorporeal is heard. Again, a terrifying face is seen in the thick light of the lightning.

ବିଷମ ପରୀକ୍ଷା

ଏଣେ ନିଶା ଗରଜୁଥାଏ l ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ l ଆଖ ପାଖର ଅରଣ୍ୟ ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ l ଘଡଘଡି ଓ ଶ୍ଵାନ ଶ୍ଵାପଦ ଙ୍କ ରଢ଼ି ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ l ଆହୁରି ପୁଣି ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟି ଦିଶିଯାଉଥାଏ l କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷ ନିକଟକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବ ଟିକୁ ଉତାରି ଆଣିଲେ l ତେବେ, ତାକୁ ସେ ତାଙ୍କ କାନ୍ଧରେ ପକାଇ ସେହି ଶ୍ମାଶନ ଆଡକୁ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, ” ରାଜା ! ତୁମେ ଭାଗ୍ୟ ଉପରେ ବିଶ୍ୱାସ କର କି ନାହିଁ ତା ତ ମୁଁ ଜାଣେନି l

ଅନେକ ସମୟରେ ସୌଭାଗ୍ୟ ହାତ ପାଆନ୍ତାକୁ ଆସିଲେ ମଧ୍ୟ ମଣିଷ ତାକୁ ଗ୍ରହଣ କରିବାକୁ ଆଦୌ ସାହସ କରେ ନାହିଁ l ତୁମେ ଏ ବିଷୟରେ ସଚେତନ ତ ? ତମକୁ ମୋର ଏହି କଥାଟି ବୁଝେଇଦେବା ନିମନ୍ତେ ମୁଁ ଏକ କାହାଣୀ କହୁଛି l ମନ ଦେଇ ମୋ କଥା ଶୁଣ l ଶୁଣିଲେ ତୁମ ଶ୍ରମଭାର ଲାଘବ ହେବାଭଳି ମନେ ହେବ l “

ଏତିକି କହିସାରି ତା’ପରେ ସେ ବେତାଳ ଗପିଲା : ରାଜା ପ୍ରତାପ ଦେବ ଚନ୍ଦ୍ରପୁର ରାଜ୍ୟରେ ରାଜୁତି କରୁଥିଲେ l ତାଙ୍କର ଏକମାତ୍ର ସନ୍ତାନ କାଞ୍ଚନ ଯେ କି ଅତ୍ୟନ୍ତ ସୁନ୍ଦରୀ ଥିଲେ l କାଞ୍ଚନ ସହିତ କଳିଙ୍ଗର ରାଜପୁତ୍ର ଜୟଚନ୍ଦ୍ରଙ୍କର ବିବାହ ସ୍ଥିର ହୋଇଥାଏ l ରାଜକୁମାରୀ କାଞ୍ଚନ ଏବଂ ଜୟଚନ୍ଦ୍ର ପରସ୍ପର ପରସ୍ପରକୁ ପସନ୍ଦ କରନ୍ତି l ସେତେବେଳେ କଳିଙ୍ଗ ସହ ବାଲି ଓ ଜବ ଦ୍ବୀପର ବିଶେଷ ସମ୍ପର୍କ ଥାଏ l ତାଙ୍କ ପିତାଙ୍କ ନିର୍ଦେଶରେ ରାଜକୁମାର ଜୟଚନ୍ଦ୍ର ଥରେ ଏ ଉଭୟ ଦ୍ବୀପ ବୁଲି ସେ ସମ୍ପର୍କ ଦୃଢ କରିବାକୁ ଗଲେ l ଆଠମାସରେ ସମସ୍ତେ ଲେଉଟି ଆସିବା କଥା l ମାତ୍ର ଏଭିତରେ ଦୀର୍ଘ ଦେଢ଼ ବର୍ଷ ବିତିଯାଉଥିଲେ ମଧ୍ୟ ତାଙ୍କ ବୋଇତର କୌଣସି ଖୋଜ ଖବର ମିଳିଲା ନାହିଁ l

ଏଣେ ଚନ୍ଦ୍ରପୁରର ରାଜଜ୍ୟୋତିଷ କହିଲେ, ” ଆଗାମୀ ତିନିମାସ ଭିତରେ ରାଜକୁମାରୀ କଞ୍ଚାନର ବିବାହ ହେବା ଦରକାର l କାହିଁକିନା ତାହା ପରେ ବିବାହ ହେଲେ ସେ ବର୍ଷକ ଭିତରେ ନିଶ୍ଚୟ ବିଧବା ହେବେ l ରାଜା ପ୍ରତାପ ଦେବ ଏଥର ମହାସଂକଟରେ ପଡିଲେ l ଏକଥା ତ ପ୍ରଘଟ ହୋଇଯିବ l ତିନିମାସ ଭିତରେ ରାଜକୁମାରୀଙ୍କୁ ବିବାହ ନକଲେ ପରେ ଆଉ କେହି ବି ବିବାହ କରି ମରିବାକୁ ତ ବାହାରିବେ ନାହିଁ l ଏଣେ କାଞ୍ଚନ ତାଙ୍କର ଏକମାତ୍ର ସନ୍ତାନ ହୋଇଥିବା ଦୃଷ୍ଟିରୁ ତାଙ୍କ ସ୍ୱାମୀ ହିଁ ଚନ୍ଦ୍ରପୁରର ଭାବି ରାଜା ହେବା କଥା l ଚନ୍ଦ୍ରପୁର କଳିଙ୍ଗ ସୀମାନ୍ତରେ ଅବସ୍ଥିତ l ଜୟଚନ୍ଦ୍ରଙ୍କ ସହ କଞ୍ଚାନର ବିବାହ ହୋଇଥିଲେ ସ୍ୱାଭାବିକ ଭାବରେ ଚନ୍ଦ୍ରପୁର କଳିଙ୍ଗ ସହ ମିଶିଯାଇଥାନ୍ତା l

ରାଜା କାଞ୍ଚନଙ୍କୁ ଯେତେ ବୁଝାଇଲେ ବି କାଞ୍ଚନ ଜୟଚନ୍ଦ୍ରଙ୍କୁ ଛାଡି ଆଉ କାହାକୁ ମଧ୍ୟ ବାହା ହେବାକୁ ମୋତେ ରାଜି ହେଲେ ନାହିଁ l ଏଣେ ଆଖପାଖର ଆଠ ଦଶଗୋଟି ରାଜ୍ୟର ରାଜକୁମାରମାନେ କାଞ୍ଚନଙ୍କୁ ବିଭା ହେବାକୁ ଇତ୍ସୁକ l ଏଣେ ବେଳବି ଗଡି ଯାଉଛି l ଏବେ ସେ ରାଜା ଆଉ କ’ଣ ବା କରିବେ ? ପାତ୍ର ମିତ୍ର ମନ୍ତ୍ରୀ ଓ ଅମାତ୍ୟମାନଙ୍କ ଦ୍ୱାରା ରାଜକୁମାରୀଙ୍କୁ ବିବାହ ପ୍ରସ୍ତାବରେ ସମ୍ମତ କରାଇବାକୁ ସେ ବହୁବାର ଚେଷ୍ଟା କଲେ l ଶେଷରେ ଜଣାଇଦେଲେ, ରାଜକୁମାରୀ ସମ୍ମତ ନହେଲେ ସେ ନିଜେ ରାଜ୍ୟ ଛାଡି ଚାଲିଯିବେ l

ଅଗତ୍ୟା ରାଜକୁମାରୀ କହିଲେ, ” ବେଶ l ତାହେଲେ ମୁଁ ବିଭା ହେବି l କିନ୍ତୁ ମୋତେ ଯିଏ ବିଭା ହେବ, ସେ ଗୋଟିଏ ସାହସର ପରୀକ୍ଷାରେ ଉତୀର୍ଣ୍ଣ ହେବା ଦରକାର l ” ରାଜା ଏଥର ଖୁସି ହେଲେ l କିନ୍ତୁ ରାଜକୁମାରୀ ପରୀକ୍ଷା ପାଇଁ ଯେଉଁ ସବୁ ସର୍ତ୍ତ ରଖିଲେ, ତାହା ଶୁଣି ତାଙ୍କ ମନ ଭାରି ଖରାପ ହୋଇଗଲା l ସେ ସର୍ତ୍ତରେ କେହି ରାଜି ହେବେ ବୋଲି ତାଙ୍କର ଆଦୌ ବିଶ୍ୱାସ ହେଲା ନାହିଁ l ତେଣୁ ସର୍ତ୍ତର ରୂପ ନ ଜଣାଇ ସେ ଖାଲି ପାର୍ଥିମାନଙ୍କ ପାଖକୁ ଏହି ଖବର ପଠାଇଲେ କି ଗୋଟିଏ ନିର୍ଦ୍ଧିଷ୍ଟ ଦିନ ଯିଏ ଏକ ସାହସର ପରୀକ୍ଷାରେ ଉତୀର୍ଣ୍ଣ ହେବ, କେବଳ ସିଏହିଁ କାଞ୍ଚନଙ୍କୁ ବିଭା ହେବ l”

ଏଣେ, ସେ ରାଜ୍ୟର ଗୋଟିଏ ଗାଁରେ ବିରୂପ ନାମରେ ଜଣେ ଯୁବକ ଥାଏ l ତା’ ନାମ ବିରୂପ, ଏଭଳି ହେବାର କାରଣ, ତାର ଜନ୍ମରୁ ହାତ ଯୋଡିକ ନଥାଏ l ତାକୁ ଜନ୍ମ ଦେଇ ତା ମା ମରିଯାଇଥାନ୍ତି l ତେଣୁ ତା ‘ ବାପା ପୁଣି ଆଉ ଥରେ ବିବାହ କଲେ l ବିରୁପକୁ ତା ‘ ଜେଜେମା ପାଳୁଥାନ୍ତି l ଜେଜେମା ଙ୍କ ମୃତ୍ୟୁ ପରେ ବିଚରାର ଦୁଃଖ ଗଞ୍ଜଣାର ଯେପରି କୌଣସି ଅନ୍ତ ନଥାଏ l ବୀମାତା ତାକୁ ଆଖିରେ ମୋଟେ ଦେଖି ପାରେ ନାହିଁ l ତାକୁ ସେ ବଡ଼ ଦେହଗଞ୍ଜ କରାଏ l ଦିନେ ସକାଳେ ବୀମାତା ଚିତ୍କାର କରି କହିଲା, ” ଏତେ ଲୋକଙ୍କୁ ମରଣ ହେଉଛି ତୋତେ କାଇଁ ହେଉନାହିଁ ? “

ବିରୂପ ନିରୀହ ଭାବରେ କହିଲା, ” ମୃତ୍ୟୁ ପରା ଭାଗ୍ୟର କଥା ? ” ବୀମାତା କହିଲା ” ତୁ ମୃତ୍ୟୁ ଭାଗ୍ୟକୁ ଟିକିଏ ଖୋଜାଖୋଜି କଲେ ହୋଅନ୍ତା ନାହିଁ ? ” ଘରେ ବସିଥିବା ଲୋକଙ୍କୁ ତ ଭାଗ୍ୟ ବି ଭୁଲିଯାଏ ” ବିରୂପ ପ୍ରତି ଗାଁର ସବୁ ଲୋକଙ୍କର ସୁହାନୁଭୂତି ଥାଏ l ତେଣୁ ସେମାନେ ତାକୁ କହିଲେ, ” ଆଦୌ ଚିନ୍ତା କରନା ବାବୁ ! ତୁ ଯାଇ ମନ୍ଦିର ପିଣ୍ଡାରେ ରହ l ଆମେ ତୋତେ ମୁଠିଏ ମୁଠିଏ କରି ଖାଇବାକୁ ଦବୁ l ମନ୍ଦିର ପଛପଟେ ଯେଉଁ ମୂକ ବଧିର ଲୋକଟାଏ ଆଶ୍ରମରେ ରହିଛି, ସେ ତୋତେ ଲୁଗାପଟା ପିନ୍ଧାଇଦେବ, ସେ ବ୍ୟବସ୍ଥା ଆମେ କରିବୁ l ” କିନ୍ତୁ ବିରୂପ କାହା ଉପରେ ଆଉ ବୁଝ ହୋଇ ରହିବାକୁ ମନେକରୁନଥିଲା l

ବିରୂପ ମୃତ୍ୟୁ – ଭାଗ୍ୟ ସନ୍ଧାନରେ ବାହାରି ପଡିଲା l ସେ ଚାଲି ଚାଲି ଯାଇ ରାଜଧାନୀରେ ପହଞ୍ଚିଲା l ସେଠାରେ ସେ ଦେଖିଲା ବହୁଲୋକ କୁଆଡେ ଯାଉଛନ୍ତି l ସେ ବି ଅନ୍ୟମନସ୍କ ଭାବରେ ସେମାନଙ୍କ ପଛେ ପଛେ ଚାଲିଲା l ସେଦିନ ଜ୍ୟୋତିଷମାନେ କହିଥିବା ତିନିମାସ ପୁରିବାକୁ ଆଉ ମାତ୍ର ଦିନଟିଏ ବାକିଥାଏ l କଲେ ଜୟଚନ୍ଦ୍ର ଆସିଯିବେ, ଏହି ଆଶାରେ ଶେଷ ଦିନହିଁ କାଞ୍ଚନ ତାଙ୍କ ବର ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରିଥାନ୍ତି l

ପାଣିପାର୍ଥୀ ତରୁଣ ରାଜକୁମାରମାନେ ନାନପ୍ରକାର ଚାକଚକ୍ୟମୟ ପୋଷାକ ଓ ଅଳଙ୍କାରମାନଙ୍କରେ ସୁସଜ୍ଜିତ ହୋଇ, କିଏ ବା ପାତ୍ର ମିତ୍ର ଧରି ନୌକା ଯୋଗେ, କିଏ ବା ରଥାରୋହଣ କରି, କିଏ ହାତୀ ଉପରେ ବସି ତ ଆଉ କିଏ ଦର୍ଶନୀୟ ଘୋଡା ଉପରେ ସବାର ହୋଇ ଆସି ସେଠାରେ ପହଞ୍ଚିଗଲେ l ସେମାନଙ୍କୁ ରାଜାଙ୍କ ଅତିଥି ଭବନରେ ସ୍ୱାଗତ କରି ସମାଦରେ ରଖାଗଲା l ସମସ୍ତେ ନିଜ ନିଜ ସାହସ ଓ ଦମ୍ଭ ଉପରେ ଆସ୍ଥା ରଖିଥାନ୍ତି l କିଏ ଯୁଦ୍ଧଜୟ କରିଥାଏ, କିଏ ବା ମଲ୍ଲବୀର ଭାବରେ ବେଶ ଖ୍ୟାତି ଲାଭ କରିଥାଏ l ଆଉ ପୁଣି କିଏ ବା ଉତ୍ତମ ଶିକାରୀ ଥିଲେ l

ଆଶାୟୀ ହୋଇ ଆସିଥିବା ରାଜକୁମାରମାନେ ଯେତେବେଳେ ପରୀକ୍ଷାର ରୂପ ଜାଣିଲେ, କେହି ପରୀକ୍ଷା ଦେବାକୁ ବାହାରିଲେ ନାହିଁ l ତିନୋଟି ବଳୟରେ ଶାଣିତ ଅସୀମାନ ଉଦ୍ୟତ ହୋଇ ରହିଥାନ୍ତି l ବଳୟ ମଝିକୁ ଗୋଟାଏ ପ୍ରାଚୀର ଉପରୁ ଡେଇଁ ପଡ଼ିବାକୁ ହବ l ଯାହା ଦେହରେ ଅସୀ ଲାଗିଯିବ, ତାର ବଞ୍ଚିବାର ଆଶା ପୁରାପୁରି କ୍ଷୀଣ l ବଞ୍ଚିଲେ ବି ସେ ଭୀଷଣ ମାତ୍ରାରେ ଆହତ ହେବ l ରାଜକୁମାରମାନେ ପରସ୍ପର ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଥାନ୍ତି,” ଭାରତର ରାଜକୁମାର ମାନଙ୍କର କଣ ଏମିତି ଦୂର୍ଭିକ୍ଷ ପଡିଛି ଯେ ଆମେ ମୃତ୍ୟୁବିଜୟ ଭିତରକୁ ଲମ୍ପ ଦେବୁ! ” ଏଇଟା ବିବାହ ପାଇଁ ନିମନ୍ତ୍ରଣ ନା ହତ୍ୟା ପାଇଁ ଏକ ସୁଚିନ୍ତିତ ଯୋଜନା ? “

ରାଜକୁମାରମାନଙ୍କ ଏଭଳି ମନ୍ତବ୍ୟ ରାଜା ଓ ମନ୍ତ୍ରୀଙ୍କ କାନରେ ଗୁପ୍ତଚରମାନେ ଆସି କହି ଦେଉଥାନ୍ତି l ରାଜା ମନ୍ତ୍ରୀ ବୁଝୁଥାନ୍ତି ଯେ, ସେମାନେ ଏପରି କହିବା ମୋଟେ ଅସ୍ୱାଭାବିକ ନୁହେଁ l ତଥାପି ମଧ୍ୟ ସେ ରାଜା ଆଶା କରୁଥାନ୍ତି, ସେମାନେ ନିଜ ସମ୍ମାନ ଦୃଷ୍ଟିରୁ ପରୀକ୍ଷାରେ ନିଶ୍ଚୟ ଅବତୀର୍ଣ୍ଣ ହେବେ l ଆହତ ହେଲେ ବି ଯିଏ ବଞ୍ଚି ରହିବ, ତାହା ସହ ରାଜକୁମାରୀଙ୍କ ବିବାହ ଦେଇ ସେ ନିଶ୍ଚିନ୍ତ ହେବେ l ରାଜକୁମାରୀମାନେ ପ୍ରାଚୀର ଉପରକୁ ଉଠିଯାଉଥାନ୍ତି ଓ ଓଲ୍ହାଇ ଆସୁଛନ୍ତି l ଜଣ ଜଣ କରି ବିରକ୍ତିପୂର୍ଣ୍ଣ କଣ୍ଠରେ ପ୍ରତିଯୋଗିତାରୁ ଓହରିଯିବାର ଘୋଷଣା କରୁଥାନ୍ତି l

ଏସବୁ ଘଟଣା ଦେଖି ରାଜାଙ୍କର ମନ ଭୀଷଣ ଖରାପ ହୋଇଥାଏ l ହଠାତ ସେ ଦେଖିଲେ, ତାଙ୍କ ଆଗଦେଇ ପାଗଳ ଭଳି ଦିଶୁଥିବା ଗୋଟିଏ ହସ୍ତହୀନ ଯୁବକ ଅଗ୍ରସର ହୋଇ ପ୍ରାଚୀର ଆରୋହଣ କଲା l ତାକୁ କେହି ଅଟକାଇ ପାରିବା ପୂର୍ବରୁ ସେ ଅସୀ ବଳୟ ଭିତରକୁ ଲମ୍ଫ ଦେଲା l ଆଶ୍ଚର୍ଯ୍ୟର କଥା, ତା ‘ ଦେହରେ ଆଞ୍ଚ ବି ଲାଗିଲା ନାହିଁ l ସେ ତା ଭିତରୁ ବାହାରି ଆସିବା ମାତ୍ରେ ତାକୁ ଫୁଲମାଳ ଦିଆଗଲା l ପାତ୍ରମିତ୍ରମାନେ ଏଥିରେ ଖୁସି ହେବେ କି ଦୁଃଖିତ ହେବେ କିଛିବି ବୁଝି ପାରୁନାହାନ୍ତି l

କେତେଜଣ ରାଜକୁମାର ବିରୂପ ପାଖକୁ ଆସି କହିଲେ, ” ସାବସ ! ତମେ ବର୍ତମାନ ରାଜକନ୍ୟା କାଞ୍ଚନଙ୍କୁ ବିଭା ହେବ l ତୁମ ଭଳି ଆଉ ଯୋଗ୍ୟ ବର କାହୁଁ ମିଳିବ ? ” ବିରୂପ କହିଲା, ” ନା! ମୁଁ ଏଠାକୁ ଭିନ୍ନ ଉଦ୍ଦେଶ୍ୟରେ ଆସିଥିଲି l ତାହା ପୂରଣ ହୋଇଛି ” ତା’ ର ଏଭଳି କଥାରେ ରାଜକୁମାରମାନେ କହିଲେ ” ତୁମେ କଣ ବୋକା ? ଏ ସୌଭାଗ୍ୟ କଣ କେବେ କେହି ଛାଡେ ? ” ତହୁଁ ସେ ବିରୂପ କହିଲା, ” ମୁଁ ବୋକା ନୁହଁ, ହତଭାଗ୍ୟ ” ରାଜକୁମାର ମାନେ କହିଲେ ” ତୁମେ ହୁଏତ ହତଭାଗ୍ୟ ଥିଲ ! କିନ୍ତୁ ବର୍ତ୍ତମାନଠାରୁ ଭାଗ୍ୟବାନ ଵନିଯିବ l ଆମେ ସର୍ତ୍ତରକ୍ଷା କରି ରାଜା ଯେମିତି ତମକୁ କନ୍ୟାଦାନ କରିବେ, ସେଥିପାଇଁ ରାଜାଙ୍କୁ ବାଧ୍ୟ କରିବ l ତୁମେ ବ୍ୟସ୍ତ ହୁଅ ନାହିଁ l ରାଜକାର୍ଯ୍ୟ ବୁଝାବୁଝିର ଦାୟିତ୍ୱ ରାଜକୁମାରୀ ନେବେ l ସେ ଅତ୍ୟନ୍ତ ବୁଦ୍ଧିମତୀ l ନହେଲେ ଆମେ ଆସି ତମକୁ ସାହାଯ୍ୟ କରିବୁ l ଏ ସୌଭାଗ୍ୟ ପାଦରେ ଠେଲିଦିଅନାହିଁ l “

” ଜଣଙ୍କ ପାଇଁ ଯାହା ସୌଭାଗ୍ୟ, ଆଉ ଜଣଙ୍କ ପାଇଁ ତାହା ଅଭିଶାପ ହୋଇପାରେ l ” ଏହାକହି ବିରୂପ ସେଠାରୁ ବାହାରିଗଲା l ସେହି ମୁହୂର୍ତ୍ତରେ ଖବର ଆସି ପହଞ୍ଚିଲା ଯେ, ରାଜକୁମାର ଜୟଚନ୍ଦ୍ରଙ୍କ ବୋଇତ ଝଡ଼ରେ ଦିଗଭ୍ରଷ୍ଟ ହୋଇ ସୁମାତ୍ରା ଉପକୂଳକୁ ଚାଲିଯାଉଥିଲା l ସେ ଏବେ ଆସି ପହଞ୍ଚିଛନ୍ତି l କହିବା ବାହୁଲ୍ୟ, ଜୟଚନ୍ଦ୍ରଙ୍କୁ ସବୁ ଜଣାଇ ସେଠାରୁ ଅଣାଗଲା l ତିନିମାସ ପୂର୍ଣ୍ଣ ହେବାର ରାତିକ ପୂର୍ବରୁ କାଞ୍ଚନଙ୍କ ସହିତ ତାଙ୍କ ବିବାହ ସମାହିତ ହେଲା l ରାଜ୍ୟବ୍ୟାପି ଆନନ୍ଦ ଉତ୍ସବ ଭିତରେ ଅନ୍ୟ ପାଣିପାର୍ଥୀ ରାଜକୁମାର ମାନେ ବିଦାୟ ନେଇ ସେଠାରୁ ଚାଲିଗଲେ l ସମ୍ଭବତଃ ରାଜକୁମାରୀଙ୍କୁ ବିରୂପ ସହିତ ବିଭା କରାଇବା ନିମନ୍ତେ ଯେଉଁ ମନ୍ତ୍ରଣା ସେମାନେ କରୁଥିଲେ, ସେଥିପାଇଁ ସେମାନେ ନିଜେ ନିଜେ ଲଜ୍ଜିତ ଅନୁଭବ କରୁଥିଲେ l ଏଣେ କଳିଙ୍ଗର ରାଜକୁମାରମାନଙ୍କ ଭଳି ବୀର ଓ ପ୍ରତିପତିଶାଳୀ ବରପାତ୍ରଙ୍କୁ ବିରୋଧ କରିବା ଅର୍ଥ ନିଜର ଅନିଷ୍ଟ ଡାକି ଆଣିବା ବୋଲି ସେମାନେ ବୁଝୁଥିଲେ l

ଏଣେ ବିରୂପ ଯେପରି ଆଜୀବନ ଭଲରେ ରହିବ, ରାଜା ସେ ବ୍ୟବସ୍ଥା କରି ଦେଲେ l ବେତାଳ ତା’ କାହାଣୀଟି ଏଇଠି ଶେଷ କରି ସେ ହଠାତ ନିଜ କଣ୍ଠଶ୍ୱର ତୀବ୍ର କରି ବିକ୍ରମାର୍କଙ୍କୁ ପ୍ରଶ୍ନ କଲା, ” ରାଜା ! ବିରୂପ ଭିନ୍ନ ଉଦ୍ଦେଶ୍ୟରେ ଆସିଥିଲା ଓ ତାହା ପୂରଣ ହୋଇଛି ବୋଲି କହିବା ଦ୍ୱାରା କଣ ବୁଝାଉଥିଲା ? ଜଣଙ୍କ ପାଇଁ ଯାହା ସୌଭାଗ୍ୟ, ଆଉଜଣଙ୍କ ପାଇଁ ତାହା ଅଭିଶାପ ବୋଲି ସେ ଏପରି କହିବାର ଅର୍ଥ କଣ ? ରାଜା! ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ l ଉତ୍ତର ଦେବାର ଶକ୍ତିଥିବା ସତ୍ତ୍ୱେ ମଧ୍ୟ ଯଦି ତୁମେ ନିରବ ରହିବ, ତେବେ ତୁମ ଶୀର ସ୍କନ୍ଧଚ୍ୟୁତ ହେବ l”

ତିଳେ ବିଳମ୍ବ ନକରି ରାଜା ବିକ୍ରମାର୍କ ଉତ୍ତର ଦେଲେ, ” ବିରୂପର ଉଦ୍ଦେଶ୍ୟ ଥିଲା ମୃତ୍ୟୁ ଭାଗ୍ୟରୁ ଅନ୍ୱେଷଣ l ସେ ଅସୀ ବଳୟ ଦେଖି ବୁଝିଲା, ଯଦି ଆଶୁ ମୃତ୍ୟୁ ତା ଭାଗ୍ୟରେ ଥିବ, ତେବେ ସେ ଭାଗ୍ୟ ବରଣ କରିବା ସକାଶେ ଏହାହିଁ ସୁବର୍ଣ୍ଣ ସୁଯୋଗ l ସେ ଲମ୍ଫ ଦେଲା, କିନ୍ତୁ ମଲା ନାହିଁ l ସେ ସିଦ୍ଧାନ୍ତ କଲା ଯେ ମୃତ୍ୟୁ ପାଇଁ ତାର ସମୟ ହୋଇ ନାହିଁ l ଦ୍ୱିତୀୟ ପ୍ରଶ୍ନର ଉତ୍ତର ମଧ୍ୟ ସହଜ l ସେ କଞ୍ଚାନକୁ ବିବାହ କଲେ ଲୋକ ହସା ହେବ l

ସିଏ କିଏ, ଆଉ ରାଜ୍ୟ ଶାସନ କିଏ ! ପୁଣି ରାଜକୁମାରମାନେ ସେହି ମୁହୂର୍ତ୍ତରୁ ତା ପ୍ରତି ଥଟ୍ଟା ପରିହାସ ସୂତ୍ରପାତ କରିଥିଲେ l ସେପରି ଜୀଵନ ଅଭିଶାପ ଛଡା ଆଉ କଣ ବା ହୋଇପାରେ ? ବିରୂପ ସିନା ଦେଖିବାକୁ ବିକଳାଙ୍ଗ ଥିଲା, କିନ୍ତୁ ସେ ବୋକା ନଥିଲା l ତା’ର ବିବେକ ବୋଧ ଯଥେଷ୍ଟ ଥିଲା l ତାର ଭାଗ୍ୟ ମଧ୍ୟ ଖୁଵ ଭଲ ବୋଲି କହିବାକୁ ହେବ l ସାହସ ପରୀକ୍ଷାରେ ଉତୀର୍ଣ୍ଣ ହେବା ଯୋଗୁଁ ସେ ଆଜୀବନ ଆରାମରେ ରହିବାର ବ୍ୟବସ୍ଥା ରାଜା କରିଦେଲେ l ରାଜାଙ୍କର ଏପ୍ରକାର ଉତ୍ତର ପ୍ରଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ମଧ୍ୟ ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲିପଡ଼ିଲା l

Odia Story Bikram Betala

Leave a Comment

You cannot copy content of this page