Read the classic Odia story ‘Mimira Sabhyata Sikhya’ written by legendary writer Bama Charan Mitra. Originally featured in the 1983 Galpa Ekankika Mala book.
ପଢ଼ନ୍ତୁ ମିମିର ସଭ୍ୟତା ଶିକ୍ଷା ଓ ଜହ୍ନମାମୁଁ ଗପ। ପିଲାମାନଙ୍କ ପାଇଁ ଏକ ସୁନ୍ଦର ଏବଂ ଶିକ୍ଷଣୀୟ ଓଡ଼ିଆ କାହାଣୀ, ଯାହା ସେମାନଙ୍କୁ ଭଲ ସଂସ୍କାର ଶିଖାଇବ।
ପରିଚୟ: ପ୍ରଖ୍ୟାତ ଓଡ଼ିଆ ଗାଳ୍ପିକ ସ୍ଵର୍ଗତ ବାମାଚରଣ ମିତ୍ରଙ୍କ ସୃଷ୍ଟି ‘ମିମି’ ଚରିତ୍ରକୁ ନେଇ ରଚିତ ଏକ ଅତି ସୁନ୍ଦର ଗଳ୍ପ ହେଉଛି ‘ମିମିର ସଭ୍ୟତା ଶିକ୍ଷା’। ପାଠକମାନଙ୍କ ଅନୁରୋଧ କ୍ରମେ, ୧୯୮୩ ମସିହାର ପ୍ରସିଦ୍ଧ ପୁସ୍ତକ ‘+୨ ଗଳ୍ପଏକାଙ୍କିକାମାଳା’ରୁ ସଂଗୃହିତ ଏହି କାହାଣୀଟିକୁ ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସିଛୁ (ପୁସ୍ତକ ସୌଜନ୍ୟ: ସୃଜନୀକା ୱେବ୍ସାଇଟ୍)। ଆସନ୍ତୁ ପଢ଼ିବା ଶିଶୁ ସୁଲଭ ଚପଳତା ଓ ପାଶ୍ଚାତ୍ୟ ଅନ୍ଧାନୁକରଣ ଉପରେ ଆଧାରିତ ଏହି ହାସ୍ୟରସଭରା ଓଡ଼ିଆ ଗପ।
ମିମିର ସଭ୍ୟତା ଶିକ୍ଷା
ବାମାଚରଣ ମିଶ୍ର
—ମିମି, କମ୍ ହିୟାର । କମ୍ ହିୟାର ।
ଗମ୍ଭୀର ଭାବରେ ଜୀବନବାବୁ ଡାକିଲେ । ସେମିତି ଡାକନ୍ତି ମୁଦାଲକୁ—ଦନେଇ ପରିଡା ହାଜର ହେ …….. ….
ମିମି ଧୀରେ ଧୀରେ ଫୁଲୁକା ଫୁଲୁକା ପାଦଯୋଡ଼ିକ ଥପ୍ ଥପ୍ କରି ପ୍ରବେଶ କଲା କବାଟ ଫାଙ୍କରୁ ବାହାରି । ସେଇଟା ତା’ର ଗ୍ରୀନ୍ ରୁମ୍ । ଆଉ ବାପାଙ୍କ ବସିବା ଘରଟା ରଙ୍ଗମଞ୍ଚ ।
—ମିମିର ହାତରେ ଧରା ହୋଇଛି ଅଧଖଣ୍ଡ ରୁଟି । ଦୁଇଟି ନାଲି ଚହଚହ ପାତଳା ଓଠର ଚାରିପାଖରେ ଚିନି ବୁନ୍ଦା ବୁନ୍ଦା ହୋଇ ଲଗି ରହିଚି । ଅଳ୍ପ ସମୟ ପୂର୍ବେ ସେ ବଉ ପାଖରେ ଅଳି କରୁଥିଲା । ଆଖିର ଲୁହସ୍ରୋତ ବନ୍ଦ ହୋଇ ଯାଇଛି ସତ; କନ୍ତୁ ଏ ପର୍ଯ୍ୟନ୍ତ ଶୁଖିନାହିଁ, ବଢି ଚାଲିଛି । ପେଣ୍ଟର ଫାଳେ ଝୁଲି ପଡ଼ିଚି, ଆଉ ଗୋଟିଏ ଫାଳ ହାତରେ ଟେକାହୋଇ ଧରା ହୋଇଛି । ବଡ଼ ବଡ଼ ଉପ୍ତାତ୍ ଆଖି ଯୋଡ଼କ ମେଲି ମିମି ଧୀରେ ଧୀରେ ଆଗେଇ ଆସିଲା ।
—-କମ୍ ହିୟାର । ଜୀବନ ବାବୁ ଅଙ୍ଗୁଳି ଦେଖାଇ ଯେଉଁ ସ୍ଥାନଟି ଦର୍ଶାଇ ଦେଲେ ମିମି ତାକୁ ବେକ ଟିକିଏ ଲମ୍ବାଇ ଦେଖି ମୁଣ୍ଡ ଟେକି ବଡ଼ ବଡ଼ ଆଖି ଯୋଡିକ ଆହୁରି ବଡ଼ ବଡ଼ କରି ବାପାଙ୍କ ଆଡ଼େ ଅନାଇ ରହିଲା! ସ୍ଥାନଟି ବାପାଙ୍କ ହାତ ପାହାନ୍ତା । — କମ୍ ହିୟାର ଆଇ ସେ ।
ମିମି ଥମକି ଯାଇଥିଲା ।ଆଶାକରି ସେ ବାପା ଉକ୍ତ ସ୍ଥାନକୁ ଯିବା ପାଇଁ ଅଯଥା ଜିଦ୍ କରିବେ ନାହିଁ; କିନ୍ତୁ ବାପା ଜିଦ ନ ଛାଡ଼ିବାର ଦେଖି ସେ ଗୋଟିଏ ପାଦ ଆଗକୁ ବଢ଼ାଇ ଆଗେଇଲା ।
ଗତି ଏତେ ଧୀର—ମନ୍ଥର ଯେ ଜୀବନ ବାବୁ ଆଉ ଧୈର୍ଯ୍ୟ ଧରି ରହିନପାରି ଚୌକିରୁ ଉଠିପଡ଼ି ଟାଣି ଆଣିଲେ ।
—କେତେବାର କହିଚି ଯେ ମା’ ଯାହା ଦେବେ ଆନନ୍ଦରେ ନେବୁ, ଗୋଳ କରିବୁ ନାହିଁ, ଆଉ ନେଲାପରେ କହିବୁ: ଥ୍ୟାଙ୍କ୍ ୟୁ-ଆଁ ଏ ।
ମିମିର ଆଖିପତା ଯୋଡ଼ିକ କ୍ଷିପ୍ରଗତିରେ ଥରେ ବନ୍ଦ ହୋଇଗଲା ଓ ଖୋଲିଗଲା । ଏପରି ଅବସ୍ଥାରେ ମିମି ବାପାଙ୍କର ପ୍ରଶ୍ନର ଉତ୍ତର କଥାରେ ନ ଦେଇ ଆଖିପତାଦ୍ୱାରା ଦେଇଥାଏ । ଜୀବନ ବାବୁଙ୍କୁ ଏ ଭାଷା ଯେତେବେଳେ ଜଣା ନ ଥିଲା, ସେତେବେଳେ ସେ ରାଗୁଥିଲେ ଅଧିକରୁ ଅଧିକ; କିନ୍ତୁ ମିମି ବୋଉ ଯେତେବେଳେ ବୁଝାଇଦେଲେ ଆଖିପତା କେତେଥର ପଡ଼ିଲେ ମିମି କ’ଣ କହେ, ସେତେବେଳେ ସେ ଶାନ୍ତ ହେଲେ । ଆଖିପତା ଯଦି ଥରେ ପଡ଼ି ପୁଣି ଖୋଲିଯାଏ କ୍ଷିପ୍ର ଗତିରେ ; ତେବେ ତାହାର ଅର୍ଥ ହେଲା—ହଁ, ସ୍ୱୀକାର କରୁଛି । ତେଣୁ ସେପରି କହିଥିଲା ।
—-ତେବେ କାନ୍ଦୁଥିଲୁ କ୍ୟାଁ ? ଜୀବନବାବୁ ଗର୍ଜନ କଲେ ।
ମିମିର ଫୁଟନ୍ତା ପଦ୍ମଫୁଲ ପରି ଆଖି ଯୋଡ଼କ ମୁଦି ହୋଇଗଲା । ଏହାର ଅର୍ଥ — ଏ ପ୍ରଶ୍ନର ଉତ୍ତର ମୁଁ କ’ଣ ବା ଦେବି ? ଦେଇ ଲାଭ ବା କଣ ? ତୁମେ କ’ଣ ବୁଝିବ ପିଲାଏ କାନ୍ଦନ୍ତି କାହିଁକି ।
—ସେ କଥା ମୁଁ ଶୁଣିବି ନାହିଁ । ବୋଉକୁ ଥ୍ୟାଙ୍କ୍ ୟୁ କହିବୁ କି ନା ? ସିଧା କଥାରେ ହଁ କି ନା କହ ।
ମିମିର ଆଖିପତା ଦୁଇଥର ସଂଚାଳିତ ହେଲା । —କାହିଁକି କହିନୁ ?ଯା …କହିଆ ।
ମିମିର ପ୍ରବେଶ ଯେଉଁ ପରିମାଣରେ ମନ୍ଥର ଓ ନୟନରମ୍ୟ ଥିଲା, ପ୍ରସ୍ଥାନ ସେହି ପରିମାଣରେ କ୍ଷିପ୍ର ଓ ଆନନ୍ଦମୟ ହେଲା । ନେପଥ୍ୟରୁ ଶୁଭିଲା ବୋଉ ପିଠିରେ ପ୍ଲୁକିନା ଲଦି ହୋଇ ପଡ଼ିବାର ଶବ୍ଦ ଓ ଚୁମନର ଶବ୍ଦ ସହ ବାରମ୍ବାର ଥ୍ୟାଙ୍କ୍ ୟୁ ।
ଆମେରିକା ଓ ବିଲାତରୁ ଫେରିବା ପରେ ଜୀବନବାବୁଙ୍କ ଘରେ ଶିକ୍ଷା, ସଭ୍ୟତା ଆଦିରେ ଘୋର ବିପ୍ଳବ ସୃଷ୍ଟି ହୋଇଛି । ତାଙ୍କର ଦୃଢ଼ ଧାରଣା ଜନ୍ମିଛି ଯେ, ପାଶ୍ଚାତ୍ୟ ଦେଶର ସର୍ବାଙ୍ଗୀନ ଉନ୍ନତିର ପ୍ରଧାନ କାରଣ ହେଉଛି ଘରେ ପିଲାମାନଙ୍କର ଶୃଙ୍ଖଳା ଶିକ୍ଷା, ସଦାଚାର ଶିକ୍ଷା । ସେମାନଙ୍କ ଘରେ ପିଲାମାନଙ୍କ ଅଳି ନାହିଁ, ଅଝଟ ପଣିଆ ନାହିଁ; ଘରେ ଟିକିଏ ଗୋଳମାଳ ନାହିଁ । ଆଉ ଆମ ଦେଶର ଘରେ ‘କୋଉ ପିଲା କାଚଗ୍ଲାସ ଫୋପାଡ଼ି ଦେଲାଣି ତ, କିଏ ଗଦି କାଟିଦେଇ ସାରିଲାଣି । କିଏ ବାପାଙ୍କ ଜୋତା ପଟେ ପିନ୍ଧି କେଉଁଠି ଗୁଡ଼ଦେଇ ଆସିଲାଣି ତ ଆଉ ଜଣେ ମଶାରି ଉପରେ ଶୋଇ ଝୁଲୁଚି । ଆମ ସ୍ୱାମୀମାନେ ତ ସେମିତି…
…ଏଇ ତ ସେଦିନ ଦେଖିଲି ବିଜୟ ର ପିଲାମାନଙ୍କୁ: ଗୋଟିଏ ଭଲ ଟେବୁଲରେ କଣ୍ଟା ପିଟୁଛନ୍ତି । ବଜୟୁକୁ ପଚାରିଲି—ଏ କଅଣ ? ବିଜୟ କହିଲା —ପିଲାଏ ଖେଳୁଛନ୍ତି । ଅତି କ୍ଷୋଭର ସହିତ କହିଲି—, ବା!: ମଜାର ଖେଳତ,କିନ୍ତୁ ଏମିତି ଖେଳ ପାଇଁ ତୋତେ ଅନେକ ଖର୍ଚ୍ଚାନ୍ତ ଦେବାକୁ ପଡ଼ୁଥିବ ତ ? ଅମ୍ଳାନ ବଦଳରେ କହିଲା, ନା ଖର୍ଚ ସେମିତି ବେଶି ନୁହେଁ ।ଖୁଚୁରା ହିସାବରେ କଣ୍ଟା ନ କିଣି ମହଣ ଦରିଆ କଣ୍ଟା କଣିଆଣେ ।
କିନ୍ତୁ ଆମେରିକା ବିଲାତରୁ ଫେରି ଜୀବନବାବୁ ଦୁର୍ଦ୍ଦଣ୍ଡ ପ୍ରତାପରେ ସୌଜନ୍ୟ ଶିକ୍ଷା ଦେବାରେ ଲାଗି ପଡ଼ିଲେ । ବଡ଼ ସକାଳୁ ଉଠି ବାପା ବୋଉକୁ ଗୁଡ଼ମର୍ଣ୍ଣିଂ । ତା’ ପରେ ଦାନ୍ତଘଷା ପାଇଁ ସେ ପାଉଡ଼ର ବା କୋଇଲାଗୁଣ୍ଡ ଉଠାଇଦେଇ କିଣିଦେଲେ ଟୁଥ ପେଷ୍ଟ ଓ ବ୍ରସ । ମିମି ପ୍ରଥମେ ଟୁଥ ପେଷ୍ଟ , ସବୁ ଖାଇ ଦେଉଥିଲା, କିନ୍ତୁ ଦୁଇ ଚାରିଦିନ ଛେଚା ଖାଇଲା ପରେ ଟିକିଏ ବାଗକୁ ଆସିଚି । ଦାନ୍ତ ଘଷା ପରେ ବ୍ରେକ୍ ଫାଷ୍ଟ । ଯେଉଁଠି ପାରେ ସେଇଠି ବସି ନୁହେଁ, ସ୍ୱତନ୍ତ୍ର ଟେବୁଲ ଚୌକିରେ । ଖାଇବାକୁ ଦେଲେ ବୋଉକୁ କହିବାକୁ ହୁଏ, ଥ୍ୟାଙ୍କ୍ ୟୁ । ମିମି କିନ୍ତୁ ଏସବୁ ସେମିତି ପସନ୍ଦ କରିପାରି ନାହିଁ ଏ ପର୍ଯ୍ୟନ୍ତ; ବିଶେଷତଃ ଥ୍ୟାଙ୍କ୍ ୟୁ କହିବାକୁ ତାକୁ ଭାରି ଲାଜ ମାଡ଼େ ।
ମିମିବୋଉଙ୍କର ବି ଏସବୁରେ ଆପତ୍ତି । ଦିନରାତି ପିଲାମାନଙ୍କ ଉପରେ ପାଟି କରୁଥିବେ, ଆଉ କହୁଥିବେ—ମରିଯାଆନ୍ତି କି ମୁଁ । ଏ ଗୁଡ଼ାକ କୁଆଡ଼ୁ ଆସିଲେ, ବଣୁଆ ଗୁଡ଼ାକ । କିନ୍ତୁ ଶୃଙ୍ଖଳା ଆସିବା ପରେ ସେ ପୁଣି ଓଲଟି ପଡ଼ି କହିଲେ, ଏସବୁ ସୁଖ ଲାଗୁନାହିଁ, ପିଲାମାନଙ୍କ ଗୋଳମାଳ ନାହିଁ, ଅଝଟପଣିଆ ନାହିଁ; ଘରଟା ମଶାଣି ଭଳି ଲାଗୁଛି ।
ମିମି ବୋଉଙ୍କ ଆଖି ଛଳ ଛଳ ହୋଇଗଲା; କିନ୍ତୁ ଜୀବନବାବୁ ଗୋଟିଏ ବକ୍ତୃତା ଝାଡ଼ି ଦେଲେ । କହୁ କହୁ ସେ ନିଜେ ଏପରି ମୁଗ୍ଧ ହୋଇଗଲେ ଯେ କଥାର ସୁଅ ଖୋଲିଲା ।
…ଆଜି ଏ ଦେଶ ଆଗେଇ ପାରୁ ନାହିଁ କାହିଁକି ? ମୁଁ ପୁଣି ପଚାରେ, ଏ ଦେଶ ଆଗେଇ ପାରୁନାହିଁ କାହିଁକି ? ଚାରିଆଡ଼େ ବିଶୃଙ୍ଖଳା, କାହାରି କାହା ପ୍ରତି ଭୟ ନାହିଁ; ଯିଏ ଯାହା ଇଚ୍ଛା ତାହା କରିଯାଉଚି । ଯଦି ଦୁର୍ନୀତି ହେଉଛି ତ ସେଥିପାଇଁ ଆଇନ୍ ଅଛି । ନା, ସେ ବାଟ ଧରିବେ ନାହିଁ । ବିକ୍ଷୋବ ବିଦ୍ରୋହ କରିବେ । କଥଣ ନା ବିଳମ୍ବ ହେଉଛି ଆଇନ୍ ବାଟେ । ତେବେ କଥଣ ଆଇନ୍ ଉଠିଯିବ । ଧୈର୍ଯ୍ୟ ନାହିଁ, ଶୃଙ୍ଖଳା ନାହିଁ…
—କିରେ , ଶୃଙ୍ଖଳା ବିଷୟରେ ଏତେ ବିଶୃଙ୍ଖଳା ଶବ୍ଦରେ ଉତ୍ତେଜିତ ହେଉଛୁ ଯେ, ହସି ହସି ପ୍ରବେଶ କଲେ ବନ୍ଧୁ ବିଜୟ ବାବୁ ।
—ତୋର ସେଥିରୁ କଥଣ ମିଳିବ ! ରୁପା ପିଲଙ୍କୁ ମହଣ ଦରିଆ କଣ୍ଟା କିଣିଦବୁ । ଯେତେ ତୁମରି ପାଇଁ…ଜୀବନବାବୁଙ୍କ ସବୁ କ୍ରୋଧ ବଜୟୁ ଙ୍କ ଉପରେ ପଡ଼ିଲା ।
—ଆରେ, ପିଲାଙ୍କଦାଉରୁ ଘରୁ ପଲେଇ ଆସିଲ ଯେ ଏଠି ବଡ଼ଙ୍କ ଦାଉ ।
—ଆପଣା ହସ୍ତେ ଜିହ୍ଵା ଛେଦି, କେ ତା’ର ଅଛି ପ୍ରତିବାଦୀ । ତୁ ତ ନିଜେ ପିଲଙ୍କୁ ସେମିତି କରୁଛୁ, ଆଉ ପସ୍ତେଇ ଲାଭ କଅଣ ?
—ବୁଝିଲୁ ଜୀବନ, ଆନୁଷ୍ଠାନିକ ଭାବରେ ବାହାରର ଶୃଙ୍ଖଳାରେ କିଛି ଲାଭ ତ ନାହିଁ; ବରଂ ତୋର କ୍ଷତି । ଗୀତାରେ ପଢ଼ିନାହୁଁ, କର୍ମେନ୍ଦ୍ରିୟକୁ ସଂଯତ କରି ଇନ୍ଦ୍ରିୟ ବସ୍ତୁ ସବୁକୁ ଯିଏ ସର୍ବଦା ଭାବୁଥାଏ ସେ ମିଥ୍ୟାଚାରୀ ।
—ଚୁପ୍ କର, ରଖ୍ ତୋ ଗୀତା , ଭଗବତ୍ । ଯେ ଦେଶ କ୍ଷିପ୍ରଗତିରେ ଆଗେଇ ଚାଲିଚି ଆଉ ଏଠି ଗୀତା ଉପରେ ଶୋଇଗଲେଣି..
—ଆରେ ଜୀବନ, ବୈଜ୍ଞାନିକମାନେ କୁହନ୍ତି, ଯେଉଁ ବସ୍ତୁ ଯେତେ କ୍ଷିପ୍ରଗତିରେ ଯାଏ, ତାହାର ଜଡ଼ତା ସେତେ ବୃଦ୍ଧି ପାଉଥାଏ । ଧୀରେ ବନ୍ଧୁ ଧୀରେ…
—-ନା ଆଉ ବେଳ ନାହିଁ । ଦେଖ, ମୁଁ ମିମିକୁ କେମିତି ଶୃଙ୍ଖଳା ଶିଖାଇଛି । ମିମି କମ୍ ହିୟାର ।
—ଉଁ ହୁଁ ହେଲା ନାହିଁ । କମ୍ ହିୟାର ପ୍ଲିଜ୍ । ଯଦି ନିହାତି ସେ ଦେଶର ସଭ୍ୟତା ମାନୁ…
—ମିମି କମ୍ ହିୟାର୍ ପ୍ଲିଜ୍ । ଜୀବନବାବୁ ବିଜୟଙ୍କ କଥା ସ୍ୱୀକାର କରିନେଇ ‘ପ୍ଲିଜ୍’ ବ୍ୟବହାର କଲେ ସତ, କିନ୍ତୁ କହିବାର ଭଙ୍ଗୀ ସେମିତି ମୁଦାଲକୁ ‘ହାଜର ହୋ’ ଡାକିବା ଭଳି ।
ବାପାଙ୍କ ମୁହଁରୁ ‘କମ୍ ହିୟାର’ ସହିତ ଗୋଟିଏ ନୂତନ ଶବ୍ଦ ଶୁଣି ମିମି କୌତୂହଳୀ ହୋଇ ଆଗେଇ ଆସିଲା ରଙ୍ଗ ମଞ୍ଚକୁ କିନ୍ତୁ ଏ ରଙ୍ଗମଞ୍ଚ ମିମିର ବାହାଦୁରୀ ଦେଖାଇବା ପାଇଁ ନୁହେଁ : ମିମିର ବାପାଙ୍କ ବାହାଦୁରୀ ଦେଖାଇବା ପାଇଁ ସର୍ବଦା ବ୍ୟବହୃତ ହୁଏ ।
ମିମିର ଧୀରେ ପ୍ରବେଶ ଓ ସାଙ୍ଗେ ସାଙ୍ଗେ ଜୀବନ ବାବୁଙ୍କ ଗୋଟିଏ ହୁଙ୍କାର । ଏ ହୁଙ୍କାର ଦ୍ଵାରା ସେ ସଙ୍କେତ ଦେଲେ ବଜୟୁକୁ ନମସ୍କାର କରି ଗୁଡ଼ମର୍ଣ୍ଣିଂ କହିବାକୁ ହେବ । କିନ୍ତୁ ମିମିର ସେ ସବୁ ଏ ପର୍ଯ୍ୟନ୍ତ ଆୟତ୍ତ ହୋଇନାହିଁ । ଯାହାବା ଟିକିଏ ଆୟତ୍ତ ହୋଇଚି, ବାପାଙ୍କ ତୁକାର ସବୁ ଗୋଳମାଳ କରିଦେଲଣି ।
କ୍ଷୀଣ କଣ୍ଠରେ ମିମି କହିଲା,—ଗୁଡ୍ ନାଇଟ୍ ।
ବଜୟୁ ହୋ-ହୋ ହସି କହିଲେ—ଗୁଡ ନାଇଁ ମା’, ନ ଥାଉ , ଚିନିତ ଅଛି ?
ମିମିର ଓଠ ଦୁଇଟି ପ୍ରସ୍ଫୁଟିତ ଗୋଲାପ ଫୁଲ ପରି ଆନନ୍ଦରେ ଖୋଲିଗଲା । ମୁକ୍ତା ଭଳି ସାନ ସାନ ଦାନ୍ତଗୁଡ଼ିକ ହସି ଉଠିଲେ ଏକା ସାଙ୍ଗରେ । ମୁଣ୍ଡ ଟୁଙ୍ଗାରି ସେ ଜଣାଇଲା, ବୋଉ ଟିଣରେ ଟିଣେ ଚିନି ଲୁଚେଇ ରଖିଚି, ମୁଁ ଦେଖିଚି ।
ଜୀବନବାବୁ କିନ୍ତୁ ପୁଣି ଗର୍ଜନ କରି ଉଠିଲେ । ‘ଗୁଡ୍ମର୍ଣ୍ଣିଂ’ ନ କୁହାଇ ସେ ଛାଡ଼ିବେ ନାହିଁ । ମିମିର ସେ କଥାଟା ଅସ୍ପଷ୍ଟ ଭାବରେ ମନକୁ ଆସିଗଲା । ସେ କହିଲା, ଗୁଡ୍ ମଲଣୀ ।
ଜୀବନବାବୁଙ୍କର ମର୍ମନ୍ତୁଦ ଗର୍ଜନ ଶୁଭିଲା । ମିମିର ଆଖିପତା ଚାରିଥର ପଡ଼ିଲା ଉଠିଲା, ଯାହା କହିବାର ତ କହିଲା, ଫେର କାହିଁକି ହେନ୍ତାଳୁଛ ଶୁଣେ ।
ବିଜୟ ପୁଣି ଥରେ ହୋ-ହୋ କରି ହସି ଉଠିଲେ । ଆନନ୍ଦରେ ମିମିକୁ କୋଳକୁ ଟାଣି ନେବାକୁ ହାତ ବଢ଼ାନ୍ତେ ମିମି ଭୟରେ ପଛେଇ ଗଲା । କଅଣ ଗୋଟାଏ ହାତରେ ଅଛି, ତାକୁଇ ଲୁଚାଇବାକୁ ସେ ଯେପରି ବ୍ୟାକୁଳ ।
ଜୀବନବାବୁ ପଚାରିଲେ—ହାତରେ କଅଣ ?
ମିମିର ଆଖିପତା ମୁଦ ହୋଇଗଲା । କବାଟ କଣରୁ ମିମି ବୋଉ ଉତ୍ତର ଦେଲେ,ଟୁଥ ପେଷ୍ଟ ସରି ଯାଇଛି ସେ ଝୁଆ ଖୁଆ କରି ରଖିଥିଲି ସେଇଥିରେ ଦାନ୍ତ ଘଷୁଛନ୍ତି । ସକାଳୁ ପାଞ୍ଚଥର ଦାନ୍ତଘଷା ସରିଲାଣି ।
ସମସ୍ତେ ଏଥର ହୋ-ହୋ ହସି ଉଠିଲେ ।
ଜୀବନବାବୁ ଆକ୍ଷେପ କରି କହିଲେ—ଏଟା ଅସଭ୍ୟ ରହିଗଲା । ପାରିଲି ନାହିଁ ୟାକୁ ।
ଲେଖକ ପରିଚୟ :ବାମାଚରଣ ମିଶ୍ର (୧୯୧୫-୧୯୭୭) ଉଚ୍ଚକୋଟିର ଅନେକ ପ୍ରବନ୍ଧ ଲେଖିଥିଲେ ମଧ୍ୟ ସେ ଲୋକପ୍ରିୟ ଗାଳ୍ପିକ ଭାବରେ ସୁପରିଚିତ । ଗଳ୍ପଗୁଡିକର ଅନ୍ତଃଦୃଷ୍ଟି କାରୁଣ୍ୟପୂର୍ଣ୍ଣ ହେଲେ ମଧ୍ୟ ହାସ୍ୟ ରସର ପୁଷ୍ପଳ ବ୍ୟଞ୍ଜନରେ ସେଗୁଡ଼ିକ ବେଶ୍ ସୁଖପାଠ୍ୟ । ସେ ଗଳ୍ପ ପାଇଁ ସମସ୍ୟା ତିଆରି କରନ୍ତି ନାହିଁ, ନବ୍ୟ ନୈମିତ୍ତିକ ସାମାଜିକ ଜୀବନର ବିଭିନ୍ନ ବାସ୍ତବ ସମସ୍ୟା ନେଇ ଗଳ୍ପ ଲେଖନ୍ତି ଓ ସମାଧାନର ସୂଚନା ଦେଇଥା’ନ୍ତି । ଅନୁଭୂତି ଓ ବୌଦ୍ଧିକ ବିଚାରରେ ତାଙ୍କ ଗଳ୍ପଗୁଡ଼ିକ ସୁନ୍ଦର ଓ ପ୍ରାଣବନ୍ତ ହୋଇଥାଏ । ମନୁଷ୍ୟର ସ୍ଖଳନ, ଅନ୍ଧତା, ଅନ୍ୟାୟ, ଅପକର୍ମ ଓ କୁସଂସ୍କାର ମଧ୍ୟରେ ସମଗ୍ର ସଦ୍ଶୀଳତାର ସହ ସେ ଦେବତ୍ୱର ସନ୍ଧାନ କରନ୍ତି । ଭାଷା ସରଳ, ସାବଲୀଳ, ମାର୍ଜିତ ଓ ସ୍ଵତଃ ମନନଧର୍ମୀ ।
ତାଙ୍କର ଗଳ୍ପ ଗ୍ରନ୍ଥଗୁଡ଼ିକ ମଧ୍ୟରେ ‘କୀର୍ତ୍ତିଯଶସ୍ୟ’, ‘ନର ଛଞ୍ଚାଣ’, ‘ପରାଗ’, ‘ସୂର୍ଯ୍ୟମୁଖୀ’, ‘ପାଷାଣର ପ୍ରାଣ’, ‘ଅସୀମ’, ‘ବେଶ ମହାପୁରୁଷ’, ‘ମହାପୁରୁଷ ବାର’, ‘ମିଥ୍ୟାକଳ୍ପ’ ପ୍ରଭୃତି ପ୍ରଧାନ ।