ନିଜେ ଭଲ ହେଲେ ଦୁନିଆ ଭଲ ହେବ
ଦୁଷ୍ଟ ପିଲାଟିଏ କିଛି ବୁଝେନି କି କାହାକଥା ଶୁଣେନି, ସବୁବେଳେ ଖାଲି କାନ୍ଦେ l ପିଲାଟିକୁ ତା’ର ବାପା ମାଆ ବୁଝେଇ ବୁଝେଇ ବେଦମ ହୋଇ ଗଲେଣି l
ସେହି ପିଲାଟିର ବାପା କୌଣସି ଏକ ଅଫିସରେ କାମ କରନ୍ତି l ଦିନେ ଅଫିସରେ ତାଙ୍କର କାମ ନ ସରିବାରୁ କିଛି ଫାଇଲ ପତ୍ର ନେଇ ଘରକୁ ଆସିଲେ ବାକି କାମ ଘରେ କରିବେ ବୋଲି l
ଠିକ ବେଳରେ କାମ ଆରମ୍ଭ କରିବା ବେଳକୁ ପିଲାଟିର କାନ୍ଦ ଆରମ୍ଭ ହୋଇଗଲା l ମାଆ ତେଣେ ରୋଷେଇ କାର୍ଯ୍ୟରେ ଵ୍ୟସ୍ତ ଥିବାରୁ ବାପାଙ୍କ ପାଖରେ ପିଲାଟିକୁ ଛାଡିଦେଲେ ସମ୍ଭାଳି ନେବାକୁ l
ବାପା ଏବେ କରିବେ କ’ଣ ? ସେ ଫାଇଲ କାମ କରିବେ ନା ପିଲାକୁ ସମ୍ଭାଳିବେ l ସୁତରାଂ ସେ ମନରେ ନାନା କଥା ଚିନ୍ତା କରି ଶେଷରେ ଏକ ଉପାୟ ଠିକ କଲେ l ପାଖରେ ଥିବା ଏକ କାର୍ଡ଼ବୋଡ଼ରେ ପୃଥିବୀ ମାନଚିତ୍ର ଅଙ୍କା ଯାଇଥିବା ଚିତ୍ରକୁ ଖଣ୍ଡ ଖଣ୍ଡ କରି କାଟି ପୁଅକୁ ଧରାଇ ଦେଲେ l ତା ‘ ପରେ କହିଲେ କହିଲେ ଏହାକୁ ଠିକ ଭାବରେ ସଜାଡି ଭାରତର ମାନଚିତ୍ରକୁ ଦେଖାଇବା ପାଇଁ l
ଏଥର ପିଲାଟି ଲାଗିଲା କାମରେ l ତାର କାନ୍ଦ ଆପେ ଆପେ ବନ୍ଦ ହୋଇଗଲା l ସେ ଚିତ୍ରଖଣ୍ଡକୁ ସଜାଡ଼ିବା ପାଇଁ ବହୁତ ଚେଷ୍ଟା କରି ମଧ୍ୟ ପାରିଲା ନାହିଁ l କାରଣ ପୃଥିବୀର କେଉଁ ଅଂଶ କେଉଁଠି ରହିବ ତାକୁ ଜଣାନଥିଲା l ତେଣୁ ସେ ବାପାଙ୍କୁ ପୁଣି ହଇରାଣ କଲା l
ବାପା ଏଥର ଛବିର ପଛପାଖ ଓଲଟାଇ ପୁଅକୁ ଦେଖାଇଲେ ଏକ ମଣିଷ ଚିତ୍ରର ଅଂଶ ଗୁଡିକ l ପୁଅକୁ କହିଲେ, ” ଏବେ ମଣିଷର ଛବିଟିକୁ ଯୋଡିବାକୁ ଚେଷ୍ଟାକର l”
ପିଲାଟି କାନ୍ଦ ବନ୍ଦ କରି ଚିତ୍ରଟିକୁ ଯୋଡିବାକୁ ଲାଗିଲା l ସେ ମଣିଷ ଛବି ସହିତ ଅତି ପରିଚିତ ଥିବାରୁ ଅତି ସହଜରେ ଚିତ୍ରଗୁଡିକୁ ସଜାଡ଼ି ଦେଇ ପୂର୍ଣ୍ଣାଙ୍ଗ ଛବିଟିକୁ ଯୋଡିଦେଲା l
ଏହାଦେଖି ବାପା ଖୁସି ହୋଇ ପୁଅକୁ ସେହି ମଣିଷ ଛବିଟିକୁ ଓଲଟାଇ ସୁନ୍ଦର ପୃଥିବୀର ଛବିଟିକୁ ଦେଖାଇଲେ l ଏହା ଦେଖି ପିଲାଟିର ଖୁସି କହିଲେ ନ ସରେ l ସେ ମନେ ମନେ ଭାବିଲା ସତରେ ଅତି କଷ୍ଟକର କାମଟି କେତେ ସହଜରେ ସେ କରିଦେଲା l ଏହାର କାରଣ ସେ ବାପାଙ୍କୁ ପଚାରିଲା l
ଏବେ ବାପା କହିଲେ – ” ଏଇ ଛବି ଯୋଡିବା ପଛରେ ଗୋଟେ ବଡ ରହସ୍ୟ ଅଛି l ତାହା ହେଲା ମଣିଷ ଛବିଟିକୁ ପିଲାଟିଏ ହେଲେବି ସହଜରେ ସଜାଡି ଦଉଛି, ମାତ୍ର ପୃଥିବୀକୁ ନୁହେଁ l ଠିକ ସେହିପରି ପ୍ରତ୍ୟେକ ମଣିଷ ଯଦି ପରସ୍ପରକୁ ସଜାଡି ଦେବେ, ତେବେ ପୃଥିବୀର ସବୁ ମଣିଷ ଭଲ ହୋଇଯିବେ l ତା ‘ପରେ ଭଲ ମଣିଷମାନଙ୍କୁ ନେଇ ପୃଥିବୀ ମଧ୍ୟ ଭଲ ହୋଇଯିବ l ଭଲ ମଣିଷମାନଙ୍କ ଭିତରେ ସ୍ନେହ, ଶାନ୍ତି, ସଦଭାବ ବଜାୟ ରହିଲେ ଦିନେ ସ୍ଵର୍ଗରେ ପରିଣତ ହୋଇପାରିବ l ସମସ୍ତେ ସୁଖଶାନ୍ତିରେ ରହି ପାରିବେ l “
ଶେଷରେ ବାପା ପୁଅକୁ ଉପଦେଶ ଦେବାକୁ ଯାଇ କହିଲେ , ” ତୁ ଆଜି ଠାରୁ ଦୁଷ୍ଟ ବୁଦ୍ଧି ଛାଡିବାକୁ ଚେଷ୍ଟା କର l ଦେଖିବୁ ସମସ୍ତେ ତୋତେ ଭଲ ପାଇବେ, ଆଉ ତୋତେ ବି ଖୁସି ଲାଗବ l “
ସତକୁ ସତ ପିଲାଟି ବାପାଙ୍କ କଥା ମାନି ଦୁଷ୍ଟ ବୁଦ୍ଧି ଛାଡିଦେଲା, ସମସ୍ତଙ୍କ କଥା ମାନିଲା, ଆଉ କାନ୍ଦିଲା ନାହିଁ ଭଲ ପିଲା ହୋଇଗଲା l