୧୯୮୦ ଅଗଷ୍ଟ ମାସର ପ୍ରସିଦ୍ଧ ଓଡ଼ିଆ ଶିଶୁ ପତ୍ରିକା ‘ଜହ୍ନମାମୁଁ‘ରେ ପ୍ରକାଶିତ ଶିକ୍ଷଣୀୟ କାହାଣୀ Ichhapuran Odia Story ‘ଇଚ୍ଛାପୂରଣ’। ଲୋଭୀ ଶାଶୁକୁ ପୁଅ କିଭଳି ଉଚିତ୍ ଶିକ୍ଷା ଦେଲା ପଢ଼ନ୍ତୁ।
“ଅନ୍ୟକୁ ସର୍ବସ୍ୱାନ୍ତ କରିବାର ଅତି ଲୋଭ ଶେଷରେ ନିଜ ଉପରେ କିପରି ଭାରି ପଡ଼ିଲା? ପଢ଼ନ୍ତୁ ଏକ ସୁନ୍ଦର ଓ ଶିକ୍ଷଣୀୟ ଓଡ଼ିଆ ଗପ ‘ଇଚ୍ଛାପୂରଣ’ ଏବଂ ଶେୟାର୍ କରନ୍ତୁ!”
ସୌଜନ୍ୟ: ଜହ୍ନମାମୁଁ, ଅଗଷ୍ଟ ୧୯୮୦
ଇଚ୍ଛାପୂରଣ, Ichhapuran Odia Story
ଶାରଦା ବୋଲି ଜଣେ ବଧବା ସ୍ତ୍ରୀଲୋକ ଥାଏ। ତା’ର ପୁଅ ଆନନ୍ଦ କିଛିଦିନ ପୂର୍ବେ ବିବାହ କରିଥାଏ। କିନ୍ତୁ ଶାରଦା ଏତେ ଲୋଭୀ ଓ କଞ୍ଜୁସ ଥିଲା ଯେ ଆନନ୍ଦର ଶ୍ଵଶୁରଠାରୁ ନାନା ଉପାୟରେ ଟଙ୍କା ସୁନା ଆଦାୟ କରି କରି ତାଙ୍କୁ ସର୍ବସ୍ୱାନ୍ତ କରିସାରିଥାଏ। ଦୀପାବଳୀ ଉତ୍ସବ ଆସିବାରୁ ଶାରଦା ଆନନ୍ଦକୁ ଏକାନ୍ତରେ ଡାକି କହିଲା, “ପୁଅ, ଏଥରକ ଶ୍ଵଶୁର ପାଖରେ ସୁନାମୁଦିଟିଏ ଦାବିକରିବୁ। ତୁ ତ ନୂଆ ଜ୍ୱାଇଁ, ତେଣୁ ତୋ ଇଚ୍ଛା ନିଶ୍ଚୟ ସେମାନେ ପୂରଣ କରିବେ ।” ଆନନ୍ଦ ଟିକିଏ ଚଡ଼ିଉଠି କହିଲା, “ମା, ମୋ ବିବାହରେ ଶ୍ଵଶୁର ଗୁଡ଼ାଏ ଖର୍ଚ୍ଚ କରିଛନ୍ତି।
ଏବେ ମଧ୍ୟ କେତେକ ଋଣ ଟଙ୍କା ପରିଶୋଧ କରିନାହାନ୍ତି। ପୁଣି ଏପରି ଅବସ୍ଥାରେ ସୁନାମୁଦି ମାଗିବାଟା କ’ଣ ଯଥାର୍ଥ ହେବ?” ଶାରଦା କହିଲା, “ପୁଅ, ମୁଁ ହାତରେ ସୁନାମୁଦି ପିନ୍ଧିଥିବାର ଦେଖିବାକୁ ଚାହୁଁଛି। ମା’ରଇଚ୍ଛାକୁ ପୁଅ ପୂରଣ କରେ ।” ଆନନ୍ଦ ମା’ କଥା ମାନି ସ୍ତ୍ରୀକୁ ଧରି ଶ୍ଵଶୁରଘରକୁ ଗଲା ଏବଂ ଉତ୍ସବ ସରିବା ପରେ ପଞ୍ଚମ ଦିନରେ ନିଜ ଘରକୁ ଫେରିଆସିଲା। ପୁଅ ହାତରେ ସୁନାର ମୁଦି ଦେଖି ଶାରଦା ଖୁବ୍ ଖୁସୀ ହୋଇଗଲା। କିନ୍ତୁ କିଛିଦିନ ବିତିଗଲା ପରେ ଶାରଦା ଦେଖିଲା ଯେ ତା’ର ଲୁଚାଇ ରଖିଥିବା ହଜାରେ ଟଙ୍କା ମିଳୁନାହିଁ।
ସେ ଆନନ୍ଦକୁ ପଚାରିଲା, “ତୁ ସେ ଟଙ୍କା ନେଇଛୁ କି? ମୋ ଟଙ୍କା ମୋତେ ଆଣିଦେ।” ଆନନ୍ଦ କହିଲା, “ହଁ ମା, ମୁଁ ଶ୍ଵଶୁରଘରକୁ ଯିବାବେଳେ ସେହି ହଜାରେ ଟଙ୍କା ନେଇ ଯାଇଥିଲି। ଶ୍ଵଶୁରଙ୍କ ଆର୍ଥିକ ଅବସ୍ଥା ଖରାପ ଥିବାରୁ ମୁଁ ଆମରି ଟଙ୍କାରେ ମୁଦି ବନେଇ ନେଇଆସିଲି।” ଶାରଦା ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ଆରେ ମୋ ଟଙ୍କାରେ ମୁଦି କରିବାକୁ ତୋ ମନ ଗଲା କେମିତି?” ଆନନ୍ଦ କହିଲା, “ମା, ତୁ ହିଁ କହିଥିଲୁ ସେ ମା’ର ଇଚ୍ଛାକୁ ପିଲାମାନେ ପୂରଣ କରନ୍ତି!”
ତା’ପରେ ଶାରଦା କହିଲା, “ଆଚ୍ଛା ଠିକ୍ ଅଛି, ସେ ମୁଦିକୁ ଏବେ ମୋତେ ଦେ ।” ଆନନ୍ଦ ବୁଝାଇଲା, “ମା, ତୋ ବୋହୂ ରେଶମ ଶାଢ଼ି ପିନ୍ଧିବାକୁ ଇଚ୍ଛା କଲା, ତେଣୁ ମୁଦି ବିକ୍ରି କରି ଶାଢ଼ି ନେଇଆସିଲି।” ଶାରଦା ମୁଣ୍ଡ ପିଟିଦେବାକୁ ବସିବାରୁ ଆନନ୍ଦ ଓଲଟା ପ୍ରଶ୍ନ କଲା, “ମା’, ତୁ ନା କହିଥିଲୁ କି ସ୍ତ୍ରୀର ଇଚ୍ଛା ସ୍ୱାମୀ ପୂରଣ କରିବା ଉଚିତ୍?” ଏ ପ୍ରଶ୍ନର କିଛି ଉତ୍ତର ଆଉ ଶାରଦା ପାଖରେ ନ ଥିଲା। ସେ ବହୁତ ଭାବି ଭାବି ଅଗତ୍ୟା ନୀରବ ରହିଲା।