Bikram Betal Story Subhendra strange judment – ବେତାଳ କଥା: ରାଜା ଶୁଭେନ୍ଦ୍ରଙ୍କ ଅଦ୍ଭୁତ ବିଚାର

Bikram Betal Story Subhendra strange judment – ବେତାଳ କଥା: ରାଜା ଶୁଭେନ୍ଦ୍ରଙ୍କ ଅଦ୍ଭୁତ ବିଚାର

Facebook
WhatsApp
Telegram

ପ୍ରସିଦ୍ଧ ‘ଜହ୍ନମାମୁଁ’ ପତ୍ରିକାର ଅଗଷ୍ଟ ୧୯୮୦ ସଂଖ୍ୟାରୁ ଆନୀତ ଏକ ମନୋରଞ୍ଜକ ପାରମ୍ପରିକ ଗଳ୍ପ। ଏହି କାହାଣୀରେ ରାଜା ବିକ୍ରମାର୍କ ନିଜର ପ୍ରଖର ବୁଦ୍ଧି ବଳରେ ବେତାଳର ସେହି ଜଟିଳ ପ୍ରଶ୍ନର ସମାଧାନ କରିଛନ୍ତି, ଯେଉଁଠି ରାଜା ଶୁଭେନ୍ଦ୍ର ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିବା ପୋଷ୍ୟପୁତ୍ରକୁ ଦଣ୍ଡ ଦେବା ବଦଳରେ ଦୁଇ ଦୁଇଟି ରାଜ୍ୟ ଉପହାର ଦେଇଥିଲେ। ବୁଦ୍ଧି, ବିବେକ ଓ ନ୍ୟାୟରେ ଭରା ଏକ ଚିତ୍ତାକର୍ଷକ ଗପ।

ବେତାଳ କଥା: ରାଜା ଶୁଭେନ୍ଦ୍ରଙ୍କ ଅଦ୍ଭୁତ ବିଚାର

 ରାଜା ବିକ୍ରମାର୍କ ପୁନର୍ବାର ସେହି ଶ୍ମଶାନସ୍ଥିତ ବୃକ୍ଷ ପାଖକୁ ଲେଉଟି ଆସିଲେ । ସେହି ଭୟଙ୍କର ବର୍ଷାମୁଖର ରାତିରେ ଅଶରୀରୀମାନଙ୍କ ହାସ୍ୟ ଏବଂ ଘନ ଘନ ବଜ୍ରପାତ ପ୍ରତି ଭ୍ରୂକ୍ଷେପ ନ କରି ସେ ପୁଣି ବୃକ୍ଷାରୋହଣ କରି ଶବଟିକୁ ଉତ୍ତାରି ଆଣି କାନ୍ଧରେ ପକାଇଲେ । ନିଶବ୍ଦ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ରାଜନୀତି ସମ୍ପର୍କରେ ତୁମର ଧାରଣା ଯେ ଯଥେଷ୍ଟ ଗଭୀର, ଏହା ସ୍ୱାଭାବିକ । କିନ୍ତୁ ଥରେ ଥରେ ଜଣେ ଜଣେ ରାଜାଙ୍କ ବ୍ୟବହାର ବଡ଼ ରହସ୍ୟମୟ ମନେହୁଏ । ମୁଁ ତୁମକୁ ରାଜା ଶୁଭେନ୍ଦ୍ରଙ୍କ କଥା ଶୁଣାଉଛି, ଶୁଣ । ଶୁଣିଲେ ଶ୍ରମଭାର ଲାଘବ ମନେହେବ ।”

ବେତାଳ ଗପିଲା: ଶୁଭେନ୍ଦ୍ର ଜଣେ ରାଜବଂଶୀୟ ଯୁବକ । ସେ ପ୍ରତାପଶାଳୀ ହୋଇ ସାମପୁରର ରାଜଶେଖରଙ୍କ ବିରୁଦ୍ଧରେ ବିଦ୍ରୋହ କରି ତାଙ୍କୁ ହରାଇଦେଲେ । ରାଜା ଯୁଦ୍ଧକ୍ଷେତ୍ରରେ ପ୍ରାଣ ଦେଲେ । ରାଣୀ ରାଜାଙ୍କ ମୃତ୍ୟୁ ଖବର ପାଇ ଚେତା ହରାଇଲେ ଏବଂ ତାଙ୍କର ଚେତା ଆଉ ଫେରିଲା ନାହିଁ । ରାଜଦମ୍ପତିଙ୍କର ଗୋଟିଏ ବୋଲି ଶିଶୁ ସନ୍ତାନ ଥିଲା । ଶୁଭେନ୍ଦ୍ର ରାଜା ହୋଇ ସେ ଶିଶୁକୁ ନିଜ ପୁଅ ଭଳି ପାଳିଲେ ଏବଂ ତା’ର ନାମ ଦେଲେ ବିଜୟ ।

ସେତେବେଳେ ଶୁଭେନ୍ଦ୍ରଙ୍କର ନିଜର ସନ୍ତାନସନ୍ତତି ନଥିଲେ । କିନ୍ତୁ ପରେ ପରେ ତାଙ୍କର ଗୋଟିଏ କନ୍ୟାସନ୍ତାନ ଜାତ ହେଲା । ଲୋକେ ଭାବିଲେ ଏବେ ହୁଏତ ରାଜା ବିଜୟ ପ୍ରତି ଅଲଗା ମନୋଭାବ ଦେଖାଇବେ । କିନ୍ତୁ ତାହା ହେଲା ନାହିଁ । ରାଜା ଶୁଭେନ୍ଦ୍ରଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ହେଲା ନାହିଁ, ସେ ନିଜ କନ୍ୟା ଓ ବିଜୟକୁ ଏକା ଆଖିରେ ଦେଖୁଥିଲେ ।

କ୍ରମେ ଦୁଇ ଶିଶୁ ବଡ଼ ହେଲେ । ରାଜକନ୍ୟାଙ୍କର ବିବାହ ବୟସ ହେବାରୁ ରାଜା ସ୍ୱୟଂବରର ବ୍ୟବସ୍ଥା କରି ଘୋଷଣା କଲେ— ଯିଏ ତାଙ୍କ ଜାମାତା ହେବ, ସେ ରାଜ୍ୟର ଅଧା ଭାଗ ପାଇବ । ଏହି ଘୋଷଣାରେ ବିଜୟ ମନରେ କୌଣସି ମନ୍ଦ ପ୍ରତିକ୍ରିୟା ହେଲା ନାହିଁ । କିନ୍ତୁ ସେତେବେଳେ ନୂଆ କରି ସେନାପତି ବନିଥିବା ଭୂପତି, ବିଜୟକୁ ଡାକି ଏକାନ୍ତରେ କହିଲା, “ବନ୍ଧୁ! ତୁମର ଦୁର୍ଭାଗ୍ୟ ଦେଖି ମୋତେ ବହୁତ ଦୁଃଖ ଲାଗୁଛି । ମୁଁ ଭାବିଥିଲି ରାଜା ପୂରା ରାଜ୍ୟ ତୁମ ପାଇଁ ରଖିଛନ୍ତି । ଯେବେ ହେଲେ ଏ ରାଜ୍ୟ ତୁମ ପିତାଙ୍କର ଥିଲା । ଆଜି ଅଧା ରାଜ୍ୟ ସେ ଜାମାତାଙ୍କୁ ଦେବାକୁ ସ୍ଥିର କଲେ, କାଲି ହୁଏତ ବାକି ଅଧକ ବି ଆଉ କାହାକୁ ଦେଇଦେବେ । ତୁମେ ବଲବଲ ଅନାଇଥିବ! ଟିକିଏ ସାହସ ସଞ୍ଚୟ କରି କାମ କଲେ ପୂର୍ବ ରାଜ୍ୟ ତୁମର ହୋଇଯିବ । ମୁଁ ତୁମକୁ ସବୁମନ୍ତେ ସାହାଯ୍ୟ କରିବି ।”

ବିଜୟ ଟିକିଏ ଚିନ୍ତା କରି କହିଲେ, “କିନ୍ତୁ ଆମ ଷଡ଼ଯନ୍ତ୍ର ଯଦି ଜଣାପଡ଼ିଯାଏ ?” ଭୂପତି ଉତ୍ତର ଦେଲା, “ଆମେ ପଡ଼ୋଶୀ ରାଜ୍ୟ ଗୋପାଳପୁରକୁ ପଳାଇଯିବା । ସେ ରାଜ୍ୟର ରାଜା ମଣିସିଂହ, ରାଜା ଶୁଭେନ୍ଦ୍ରଙ୍କର ଘୋର ଶତ୍ରୁ । ତାଙ୍କ ସହାୟତାରେ ଆମେ ଶୁଭେନ୍ଦ୍ରଙ୍କୁ ଜବଦ କରିବା ।” ବିଜୟ ପ୍ରସ୍ତାବ ଦେଲେ, “ଏହା ବେଶ୍ ଯୁକ୍ତିଯୁକ୍ତ ପ୍ରସ୍ତାବ । ନଅରର ଗୋଟିଏ ଗୋପନ ସୁଡ଼ଙ୍ଗ ପଥ ବଣ ଭିତର ପାଏ ଯାଇଛି, ଆମେ ସେହି ପଥରେ ପଳାଇଯିବା ।” ଭୂପତି ଖୁସୀ ହୋଇ କହିଲା, “ସାବାସ୍!”

ସନ୍ଧ୍ୟାବେଳେ ରାଜା ଉଦ୍ୟାନରେ ପଦଚାରଣା କରୁଥିଲେ । ହଠାତ୍ ଗୋଟିଏ କପୋତ ଆସି ତାଙ୍କ କାନ୍ଧରେ ବସିଗଲା । ତାହା ନଅରର ପାଳିତ କପୋତ । ତା’ ଗୋଡ଼ରେ ଚିଠିଟିଏ ବନ୍ଧା ହୋଇଥିଲା । ରାଜା ତାକୁ ଖୋଲି ପଢ଼ିଲେ, “ସାବଧାନ! ଆଜି ରାତି ଆପଣଙ୍କ ପାଇଁ ବିପଦଜନକ ।” ରାଜା ତତ୍କ୍ଷଣାତ୍ ଅନ୍ତଃପୁର ଯାଇ ନିଜ ଦେହରକ୍ଷୀମାନଙ୍କୁ ସତର୍କ କରିଦେଲେ ଏବଂ ନିଜେ ନିଦ୍ରାର ଛଳନା କରି ଶଯ୍ୟାରେ ପଡ଼ିରହିଲେ । ମଝିରାତି ବେଳକୁ ପ୍ରାସାଦ ଭିତରେ ଲୁଚି ରହିଥିବା ଜଣେ ଅନୁଚର କାର୍ଯ୍ୟ ହାସଲ କରିବା ସକାଶେ ଉଦ୍ୟତ ହୋଇ ଧରପଡ଼ିଗଲା । ଧମକ ଚମକ ଖାଇ ସେ କହିଲା ଯେ, ତାକୁ ଏହି କାମରେ ନିଯୁକ୍ତ କରିଥିଲେ ସେନାପତି ଭୂପତି ତଥା ରାଜାଙ୍କ ପୋଷ୍ୟପୁତ୍ର ବିଜୟ ।

ନଅରରେ ଭୂପତି ଓ ବିଜୟକୁ ଖୋଜା ହେଲା, କିନ୍ତୁ ସେ ଦୁହେଁ ମିଳିଲେ ନାହିଁ । ସେତେବେଳକୁ ସେହି ଗୋପନ ସୁଡ଼ଙ୍ଗ ପଥରେ ଦୁହେଁ ପଳାଇଥିଲେ । ସୁଡ଼ଙ୍ଗ ପଥଟି ବଣ ଭିତରେ ଥିବା ଏକ ମନ୍ଦିର ଭିତରେ ଶେଷ ହୋଇଥିଲା । ସେଠାରେ ବାହାରି ଦୁହେଁ ଗୋପାଳପୁର ପଳାଇଗଲେ । ରାଜା ମଣିସିଂହ ସହ ଭୂପତିର ପୂର୍ବରୁ ଯୋଗସୂତ୍ର ଥିଲା । କିନ୍ତୁ ସେଠାରେ ପହଞ୍ଚି ଭୂପତି ମଣିସିଂହଙ୍କୁ ପରମର୍ଶ ଦେଲା ଯେ, ବିଜୟକୁ କାରାଗାରରେ ଅବରୁଦ୍ଧ କରାଯାଉ, କାରଣ ତାଙ୍କ ଦ୍ୱାରା ଆଉ କୌଣସି ଲାଭର ଆଶା ନଥିଲା ।

ଏହା ପରେ ଭୂପତି ଏବଂ ମଣିସିଂହ ଷଡ଼ଯନ୍ତ୍ର କରି ପଚାଶ ଜଣ ଦକ୍ଷ ସୈନିକଙ୍କ ସହ ସୁଡ଼ଙ୍ଗ ପଥରେ ଶୁଭେନ୍ଦ୍ରଙ୍କ ପ୍ରାସାଦ ଭିତରକୁ ଚାଲିଲେ । ପ୍ରକାଶ୍ୟ ଯୁଦ୍ଧ ନ କରି ଅନ୍ତଃପୁରରେ ପହଞ୍ଚି ରାଜାଙ୍କୁ ବଧ କରିବା ଥିଲା ସେମାନଙ୍କ ଉଦ୍ଦେଶ୍ୟ । କିନ୍ତୁ ସେମାନେ ସୁଡ଼ଙ୍ଗରେ ପ୍ରବେଶ କରିବା ପରେ ଆଉ ବାହାରି ପାରିଲେ ନାହିଁ । ସୁଡ଼ଙ୍ଗର ଦୁଇ ମୁହଁ ବନ୍ଦ କରିଦେଲେ ରାଜା ଶୁଭେନ୍ଦ୍ର । ସୁଡ଼ଙ୍ଗ ଭିତରେ ଅନ୍ନଜଳ ବିନା କିଛିଦିନ ରହିବା ପରେ ଭୂପତି ଓ ତା’ ଅନୁଚରମାନେ ଦୁର୍ବଳ ହୋଇ ଆତ୍ମସମର୍ପଣ କଲେ । ସେହି ସମୟ ଭିତରେ ରାଜା ଶୁଭେନ୍ଦ୍ର ଗୋପାଳପୁର ଆକ୍ରମଣ କରି ମଣିସିଂହଙ୍କୁ ବି ବନ୍ଦୀ କଲେ । ମଣିସିଂହ ଓ ଭୂପତି ଉଭୟଙ୍କୁ ପ୍ରାଣଦଣ୍ଡାଦେଶ ହେଲା ।

କିନ୍ତୁ ଆଶ୍ଚର୍ଯ୍ୟର କଥା, ରାଜା ଶୁଭେନ୍ଦ୍ର ବିଜୟକୁ କାରାଗାରରୁ ମୁକ୍ତ କରି କେବଳ ଗୋପାଳପୁରର ରାଜା କଲେ ତାହା ନୁହେଁ, ନିଜ ଜାମାତାକୁ ଅର୍ଦ୍ଧେକ ରାଜ୍ୟ ଦେଇସାରି ସୋମପୁରର ବାକି ଅର୍ଦ୍ଧେକ ମଧ୍ୟ ସେ ବିଜୟକୁ ଦେଇଦେଲେ!

ବେତାଳ ଟିକିଏ ରହି ତା’ପରେ ପ୍ରଶ୍ନ କଲା: “ରାଜା! ରାଜା ଶୁଭେନ୍ଦ୍ରଙ୍କର ଏହା କିପରି ବିଚାର? ଜଣେ ବିଦ୍ରୋହୀ ଭୂପତିକୁ ପ୍ରାଣଦଣ୍ଡ ଦେବା ସ୍ଥଳେ ଅନ୍ୟଜଣକୁ କିପରି ଦୁଇଥର ପୁରସ୍କୃତ କଲେ? ଏହା ବାତ୍ସଲ୍ୟ ଭାବର ପରିଚୟ ନା ବୋକାମି? ରାଜା! ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ଯଦି ନୀରବ ରହିବ, ତେବେ ତୁମ ଶିର ହେବ ସ୍କନ୍ଧଚ୍ୟୁତ ।”

ରାଜା ବିକ୍ରମାର୍କ ଉତ୍ତର ଦେଲେ, “ରାଜା ଶୁଭେନ୍ଦ୍ର ବିଜୟ ପ୍ରତି ଯାହା କରିଛନ୍ତି, ତାହା ଜଣେ ବିବେକବାନର କାମ । ଏଥିରେ ସନ୍ଦେହ ନାହିଁ ଯେ ବିଜୟ ଯୋଗୁଁ ହିଁ ରାଜାଙ୍କ ପ୍ରାଣରକ୍ଷା ହେଲା । ଷଡ଼ଯନ୍ତ୍ରର କଥା କେବଳ ଭୂପତି ଓ ତା’ ଚର ଭିତରେ ଆବଦ୍ଧ ଥିଲା । ଅତଏବ ବିଜୟ ଛଡ଼ା ଆଉ କିଏ କପୋତ ଦ୍ୱାରା ବାର୍ତ୍ତା ପଠାଇ ପାରିଥାନ୍ତା? ବିଜୟ ରାଜାଙ୍କୁ ମାରିବାକୁ ଚାହିଁଥିଲେ ଭୂପତିର ସାହାଯ୍ୟ ବିନା ହିଁ ତାହା କରିପାରିଥାନ୍ତେ । ପୁଣି ବିଜୟ ଭୂପତିକୁ ସୁଡ଼ଙ୍ଗ ମାର୍ଗର ସନ୍ଧାନ ଦେବା ପଛରେ ତାକୁ କାବୁ କରିବାର ଉଦ୍ଦେଶ୍ୟ ହିଁ ଥିଲା । ସୋମପୁର ରାଜ୍ୟର ଅଧେ ବିଜୟକୁ ଦେବାର କାରଣ, ବିଜୟଙ୍କୁ ସେ ପୁଅ ପରି ଦେଖୁଥିଲେ ଏବଂ ନିଜ ଝିଅ ଓ ବିଜୟ ଉଭୟଙ୍କୁ ସେ ଉତ୍ତରାଧିକାରୀ କଲେ । ଗୋପାଳପୁର ସିଂହାସନରେ ତାକୁ ବସାଇବାର କାରଣ ତା’ ଯୋଗୁଁ ହିଁ ନିଜ ପ୍ରାଣ ଓ ରାଜ୍ୟ ରକ୍ଷା ହେଲା ।”

ରାଜାଙ୍କ ମୌନଭଙ୍ଗ ହେବା ମାତ୍ରେ ଶବ ସହ ବେତାଳ ଖସିଯାଇ ପୁଣି ବୃକ୍ଷଡାଳରେ ଝୁଲିପଡ଼ିଲା ।

Leave a Comment

You cannot copy content of this page