ଗାଆଁ ଚହାଳୀରୁ ବାରିଷ୍ଟର ହେବା ପର୍ଯ୍ୟନ୍ତ ମଧୁସୂଦନ ଦାସଙ୍କ ଜୀବନର ଏକ ପ୍ରେରଣାଦାୟୀ କବିତା। କିପରି ସେ ପିଲାଦିନରୁ କର୍ତ୍ତବ୍ୟପରାୟଣ ଓ ସମାଜସେବୀ ଥିଲେ, ଜାଣିବା ପାଇଁ ସମ୍ପୂର୍ଣ୍ଣ ପୋଷ୍ଟ ପଢ଼ନ୍ତୁ।
ଛୋଟ ପିଲାରୁ ‘ମଧୁ ବାରିଷ୍ଟର’: ପଢ଼ନ୍ତୁ ମଧୁବାବୁଙ୍କ ଜୀବନର ଏହି ଅମର କବିତା ଓ ତାହାର ମହାନ ସନ୍ଦେଶ
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପିଲାଦିନର ପ୍ରେରଣାଦାୟୀ କାହାଣୀ: “ତୁମ ପରି ଛୋଟ ପିଲାଟିଏ”
ତୁମ ପରି ଛୋଟ ପିଲାଟିଏ, ଗାଆଁ ଚହାଳୀର ଚାଟ ସିଏ ।
ଚେହେରାଟି ତାର ଡଉଲ ଡାଉଲ, ପାଠରେ ତାହାର ସରି କିଏ ?
ଛାଡ଼ି ଯାଇଥିଲା ଦିନେ ଝଡ଼ି ବାହାରିଲା ସିଏ ପାଠ ପଢ଼ି ।
ବାଟେ ଯାଉଯାଉ ଖସିଗଲା ଗୋଡ଼ ମୁଁହ ମାଡି ତଳେ ଗଲା ପଡ଼ି ॥
ଗୁରୁଜୀ ଦେଖିଲେ ଦେହ ତାର, ପାଣି କାଦୁଅରେ ସର ସର ।
ତିଳେହେଁ ସେଥିକୁ ଖାତିରି ନକରି, ଆସିଛି ହୋଇ ସେ ତର ବର ॥
ପଚାରିଲେ ଗୁରୁ ଏକି ହେଲା, ଏତେ ସରି ତୋତେ କିଏ କଲା ।
ପିଲାଟି କହିଲା ବେଗେ ଆସୁଆସୁ, କାଦୁଆରେ ଗୋଡ଼ ଖସିଗଲା ॥
ହେଲା ଦଶହରା ଛୁଟି ବେଳ, ପିଲାଟି ସଭିଙ୍କି କଲା ମେଳ ।
ମାଟି ଗୋଡ଼ି ବାଲି ପକାଇ ସଭିଏଁ, ଗାଆଁ ମାଟି କଲେ ସମତୁଲ ॥
ଏହା ଦେଖି ଲୋକେ ହେଲେ କାବା, ଡକାଇଲେ ଗୁରୁ ଚାଟସଭା ।
କହିଲେ ଏଭଳି ଭଲକାମ କଲେ, ନିଶ୍ଚେ ଆମେ ଦିନେ ବଡ଼ହେବା ॥
ବଡ଼ ହେଲା ଦିନେ ସେହି ପିଲା, ମଧୁ ବାରିଷ୍ଟର ବୋଲାଇଲା ।
ଦେଶ ପାଇଁ କେତେ କାମ କରି ସିଏ, କାଳେ କାଳେ ଯଶ ରଖିଗଲା ॥
କହିଲା ଜାତିର କାନେ କାନେ, ଉଠିବୁ ଆଉ ତୁ କେତେ ଦିନେ ।
ପୂରୁବ ଗୌରବ ପୂରୁବ ମହିମା, ପଡୁନାହିଁ କିରେ ତତେ ମନେ ?
ତୁମ ଜାଣିବା ପାଇଁ: ଏହି କବିତାଟି ଉତ୍କଳ ଗୌରବ ମଧୁସୂଦନ ଦାସ (ମଧୁବାବୁ) ଙ୍କ ନିଷ୍ଠା, ଦେଶପ୍ରେମ ଓ ସମାଜସେବା ଭାବନାକୁ ଛୋଟ ପିଲାଙ୍କ ପାଇଁ ଅତ୍ୟନ୍ତ ସୁନ୍ଦର ଭାବେ ବର୍ଣ୍ଣନା କରେ।