Odia Gapa Demons help: Sonali is very fond of wearing jewelery since her childhood. When she grows up, she marries Bahadur. Bahadur works in the landlord’s office. Since coming to her mother-in-law’s house, Sonali repeatedly asks her husband to bring new jewellery. “You have enough jewels. Am I a rich landlord who will make you jewels on demand? Remember that I am a mere clerk in the office and leave this madness.”
ଭୂତୁଣୀର ସାହାଯ୍ୟ
ସୋନାଲୀର ପିଲାଦିନଠାରୁ ଅଳଙ୍କାର ପିନ୍ଧିବାରେ ବଡ ସଉକ l ବଡ଼ ହୋଇ ସେ ବାହାଦୁରକୁ ବିବାହ କଲା l ବାହାଦୁର ଜମିଦାରଙ୍କ କଚେରୀରେ କାମ କରୁଥାଏ l ଶାଶୁଘରକୁ ଆସିବା ପରଠାରୁ ସୋନାଲୀ ବାରବାର ତା ସ୍ୱାମୀକୁ ନୂଆ ଅଳଙ୍କାର ଆଣିବା ପାଇଁ କହେ l ବାହାଦୁର ଅଳ୍ପ ହସି ଚୁପ ରହେ l କ୍ରମେ ଗହଣା ମାଗିବା ବଦଳରେ ଦାବୀ ଓ ଜିଦି କରିବାରୁ ସେ କହିଲା , ” ତୁମର ତ ଯଥେଷ୍ଟ ଅଳଙ୍କାର ଅଛି l ମୁଁ କଣ ଧନୀ ଜମିଦାର ଯେ ତୁମ ପାଇଁ ଚାହିଦା ମାତ୍ରେ ଅଳଙ୍କାର ଗଢ଼ାଇ ଆଣିବି ? ମୁଁ କଚେରୀରେ ଜଣେ ମାମୁଲି କର୍ମଚାରୀ ବୋଲି ମନେ ରଖ ଓ ଏ ପାଗଳାମୀ ଛାଡ଼ l “
ସୋନାଲୀ ଚୁପ ରହିଲା ସିନା, କିନ୍ତୁ ଅଳଙ୍କାର ପାଇଁ ତା’ର ପିପାସା ଦିନକୁ ଦିନ ବଢିଚାଲିଲା l ଏମିତି ସମୟ ବିତିଗଲା l ତା’ର ପୁଅଟିଏ ହେଲା l ତାର ନାମ ରଖାଗଲା ଗୋବିନ୍ଦ l ସମୟ କ୍ରମେ ସେ ବଡ଼ ହେଲା, ଶିକ୍ଷାଦୀକ୍ଷା ଲାଭ କରି ସେ ମଧ୍ୟ କଚେରୀରେ ଭଲ ଚାକିରୀଟିଏ ପାଇଲା l ଅଳ୍ପଦିନ ମଧ୍ୟରେ ବିନକାରଣରେ ବାହାଦୁରର ହଠାତ ଦେହ ଖରାପ ହେଲା l ବହୁଦିନ ଶଯ୍ୟାଶାୟୀ ହେବାରୁ ସେ ମଧ୍ୟ ଚାକିରୀ ଛାଡିଲା l ସେ ବଡ଼ ଦୁର୍ବଳ ହୋଇପଡ଼ିଲା l ଏବେ ଅଧିକାଂଶ ସମୟ ସେ ଘରେ ରହୁଥାଏ l
ସୋନାଲୀର ଇଚ୍ଛା ଥିଲା ପୁଅ ବାହାଘର ବେଳେ ଗଦାଏ ଯୌତୁକ ନେବ ଓ ସାରା ଜୀଵନ ସେ ନୂଆ ଅଳଙ୍କାର ପିନ୍ଧିପାରିବ l ତା’ର ସେହି ଇଚ୍ଛା ବଡ଼ ପ୍ରବଳ ହେଲା l କିନ୍ତୁ ପରିସ୍ଥିତି ଭିନ୍ନ ହେଲା, ଗୋବିନ୍ଦ ବାହାହେଲା ଯେ ମାତ୍ର ତାର ସ୍ତ୍ରୀ କାଣୀ କଉଡ଼ିଟିଏ ବି ସୁଦ୍ଧା ଆଣିନାହିଁ l ସୋନାଲୀର ଏତେ ଦିନର ସ୍ବପ୍ନ ଶେଷରେ ବୃଥା ହେଲା l କେତେ ଆଶା କରିଥିଲା ଧନୀଘରର ଝିଅକୁ ବୋହୁ କରି ଆଣିଲେ ସମସ୍ତେ ଗହଣା ଓ ଲୋଗା ସେ ପିନ୍ଧିବ l ନୂଆ ନୂଆ ଗହଣା ପିନ୍ଧି ପଡୋଶୀ ଘରକୁ ଯାଇ ଦେଖାଇବ l କିଛି ତ ହେଲା ନାହିଁ l ଗୋବିନ୍ଦର ବାହାଘର ହଠାତ ସ୍ଥିର ହେଲା l ଗୋବିନ୍ଦ ଦିନେ ତା ସାଙ୍ଗର ବିବାହାରେ ଯୋଗ ଦେବାପାଇଁ ଗଲା l ସେଠାରେ କନ୍ୟାର ସାଙ୍ଗମାନଙ୍କ ମଧ୍ୟରେ କମଳା ନାମରେ ସୁନ୍ଦରୀ ଓ ଗୁଣବତୀ ଝିଅଟିଏ ଥିଲା l ତା’ର ବ୍ୟବହାରରେ ମୁଗ୍ଧ ହୋଇ ଗୋବିନ୍ଦ ତା ବାପାମାଆଙ୍କ ପାଖରେ ନିଜର ବାହାଘର ପାଇଁ ପ୍ରସ୍ତାବ ଦେଲା l ସେମାନେ ରାଜି ହେଲେ ଯେ କିନ୍ତୁ ସେହିଦିନ ପରେ ଆଉ ବିବାହ ପାଇଁ ଶୁଭ ଦିନ ତିନିମାସ ମଧ୍ୟରେ ନଥିଲା l ତେଣୁ ଗୋବିନ୍ଦର ଉତ୍ସାହ ଯୋଗୁଁ ସେହିଦିନ ସେମାନଙ୍କର ବିବାହ ହେଲା l କମଳାର ବାପାମାଙ୍କୁ ବହୁତ ଯୌତୁକ ଦେବାପାଇଁ ଯଥେଷ୍ଟ ସମୟ ନଥିଲା l ବିବାହ ପରେ କମଳାକୁ ଛାଡିବାକୁ ତାର ବାପାମା ମଧ୍ୟ ସାଙ୍ଗରେ ଆସିଲେ l
ଘରେ ପହଞ୍ଚୁ ଗୋବିନ୍ଦ ସୋନାଲୀକୁ କହିଲା , ” ମା ଇଏ ତୁମର ବୋହୂ ; ଆମକୁ ଆଶୀର୍ବାଦ ଦିଅ l “ଏତିକି କହି ସେ ଦୁହେଁ ସୋନାଲୀର ପାଦଛୁଇଁବାକୁ ଯିବାରୁ ସେ ହଠାତ ପଛକୁ ଘୁଞ୍ଚିଯାଇ କହିଲା,” ସେ ତୋ ସ୍ତ୍ରୀ ହୋଇପାରେ କିନ୍ତୁ ମୋର ସେ ବୋହୂ ନୁହଁ l ” ସେତେବେଳେ କମଳାର ବାପା ତା ପାଖରେ ଥିଲେ ; ସେ କହିଲେ, ” ଆପଣ ଏମିତି କାହିଁକି ବିରକ୍ତ ହେଉଛନ୍ତି ? ମୋ ଝିଅକୁ ଆପଣଙ୍କ ପୁଅ ପସନ୍ଦ କଲେ ଆମେ କହିଥିଲୁ ଯେ ଆମେ ସାଧାରଣ ଲୋକ l ବେଶି ଯୌତୁକ ଦେଇ ପାରିବୁ ନାହିଁ l ତଥାପି ମଧ୍ୟ ସେ ମୋ ଝିଅକୁ ବିବାହ କଲେ l ସେଥିରେ ମୋ ଝିଅର ଦୋଷ କଣ ? “
ସୋନାଲୀ ବିରକ୍ତ ହୋଉ କହିଲା, ” ଏବେ ଜାଣିଲି ଏ ବିବାହ ପଛରେ କି ଉଦ୍ଦେଶ୍ୟ ରହିଛି l ମୋର ଗୋଟିଏ ବୋଲି ପୁଅ ଏମିତି କଣ ବିବାହ ହୋଏ ?ମୋ ମନ କଷ୍ଟ ହେବ ନାହିଁ ? କ’ଣ ଏତେ ତରବର ହେବାର ଥିଲା ? ” କମଳାର ମାଆ କହିଲେ, ” ଏକଥା ସତ ଯେ ବାପାମାଆ ଙ୍କ ଅନୁପସ୍ଥିତିରେ ବିବାହ ହେବା ବଡ଼ ଅନ୍ୟାୟ l କିନ୍ତୁ ଆପଣଙ୍କ ପୁଅ ଜିଦ ଧରିବାରୁ ସେପରି ହେଲା l ତେଣୁ ଆମର ଦୋଷ ଅଛି ବୋଲି ଯଦି ଭାବୁଛନ୍ତି, ତେବେ ସମୁଦୁଣୀ ଆମକୁ କ୍ଷମା କରନ୍ତୁ l ” ଏତିକି କହି ସେ ସୋନାଲିର ହାତ ଧରିଲେ l ସୋନାଲୀ ହାତ ଛଡାଇ ନେଇ କହିଲା , ଛାଡ଼, ଛାଡ଼, ସମୁଦୁଣୀ ପୁଣି କିଏ ? କାହାର ସମୁଦୁଣୀ ? ବଡ଼ ସାହସ ତ ତମର l ଝିଅକୁ ଏଠାରେ ଛାଡି ଶୀଘ୍ର ଏଠାରୁ ବାହାରି ଯାଅ l ତୁମ ମୁହଁ ଦେଖିବାକୁ ମୋର ଆଦୌ ଇଚ୍ଛା ହଉନି l ସବୁ କିଛି କରିସାରି ଠକିଲାଭଳି ଗୋଟିଏ ବିବାହ କାର୍ଯ୍ୟ କରିଦେଲ ପୁଣି ” ସମୁଦୁଣୀ ” ଡାକ l ମୋ ହୃଦୟରେ ତୁମେମାନେ ଛୁରୀ ଚଳାଇଛ l ଆଉ ଏବେ ମୋ ପାଇଁ କଣ ବା ବାକି ରହିଲା ? ” ସେତେବେଳେ ଗୋବିନ୍ଦର ବାପା ବାହାଦୁର ଘରେ ନଥିଲେ l ଚାରିକୋଶ ଦୂରରେ ଥିବା ଗୋଟିଏ ଗ୍ରାମକୁ ଜଣେ ସାଧୁ ଆସିଥିଲେ l ବାହାଦୁର ନିଜର ବ୍ୟାଧି ଉପଶମ ଆଶାରେ ଦେଖା କରିବାକୁ ଯାଇଥିଲା l
ପରଦିନ ସେ ଘରକୁ ଫେରି ସମସ୍ତ କଥା ପୁଅଠାରୁ ଶୁଣି ଭୀଷଣ ଦୁଃଖିତ ହୋଉ କହିଲେ , ” ମୁଁ ବଡ଼ ଭାଗ୍ୟହୀନ ଲୋକ, ମୁଁ ସାଧୁ ଦର୍ଶନ ଆଶାରେ ସେଠାକୁ ଗଲି, ହେଲେ ସାଧୁଙ୍କୁ ପାଇଲି ନାହିଁ l ତୁ ତ ତୋର ମା’ ର ସ୍ଵଭାଵ ଭଲଭାବେ ଜାଣିଛୁ l ତାକୁ ନପଚାରି ତୁ କାହିଁକି ଏପରି ବିବାହ କଲୁ ? ” ସପ୍ତାହକ ମଧ୍ୟରେ ସୋନାଲୀ ଘରର କାମତକ କମଳା ଉପରେ ଲଦିଦେଲା l ଚାକର କୁ ବାହାର କରିଦେଲା l ଦିନରାତି କମଳା କାମ କରି ଖଟୁଥାଏ l ସେଥିରେ ମଧ୍ୟ ଶାଶୁ ସନ୍ତୁଷ୍ଟ ନହୋଇ କହିଲେ ” ପଇସାଟିକର ଯୌତୁକ ନ ଆଣି ମହାରାଣୀ ପରି ଏଠାରେ ରାଜ୍ୟ କରିବାକୁ ଚାଲି ଆସିଲୁ l ଆଜିଠାରୁ କେବଳ ରାତିରେ ଥରେ ମାତ୍ର ତୁ ଖାଇବୁ l ଏସବୁ କଥା ଗୋବିନ୍ଦକୁ କହିବୁ ତ ମୋର ନିଜ ରୂପ ଦେଖିବୁ, ବାପ ଘରକୁ ଯେ ଥରେ ପଠାଇ ଦେବି ଆଉ ଆସିବୁ ନାହିଁ l “
ଦିନକୁ ଥରେ ମାତ୍ର ଖାଇ, ଘରଟା ଯାକର କାମ କରି କମଳା ଏକବାର ଝଡ଼ିଗଲା l ଦିନେ ଗୋବିନ୍ଦ ତାକୁ ପଚାରିଲା, ” କମଳା, ଏତେ କାହିଁକି ଝଡିଗଲ ? ” ସେତିକିବେଳେ ଗୋବିନ୍ଦର ମାଆ କହିଲା ” ତା’ ମା ‘ କୁ ଝୁରି ଝୁରି ସେ ଝଡି ଯାଉଛି l କାଲି ତାକୁ ନେଇ ତା ମା ଘରେ ଛାଡି ଦେଇ ଆସ l ” କମଳା ଗୋବିନ୍ଦକୁ କିଛି କହିବାର ସୁଯୋଗ ଆଉ ପାଇଲା ନାହିଁ l ଦେଖିଲା ଶାଶୁ ବଡ ଚତୁରୀ l ସବୁ ମିଥ୍ୟାଚାର କରି ପୁଣି କମଳାକୁ ସାବଧାନ କରାଇଛନ୍ତି ଯେପରି ସେ ଟିକିଏ ବିଶ୍ୱାସ କିଛି ଗୋବିନ୍ଦକୁ ନ କହୁ l ଏପରି ଏକ ପରିସ୍ଥିତିରେ କେତେଦିନ ରହିବି, ସେକଥା ଭାବି କମଳା ବଡ ଦୁଃଖରେ ଥାଏ l
ରାତିରେ କମଳା ସୋଇପାରିଲା ନାହିଁ l ଅଧରାତି ବେଳକୁ ଘର ପଛପଟେ ପିଣ୍ଡାରେ ବସି ସେ ବହୁତ କାନ୍ଦିଲା l ଶାଶୁର କଟୁକ୍ତି କଥା ମନେ ପକାଇ ସେ କାନ୍ଦୁଥାଏ l ଠିକ ଏଇ ସମୟରେ ଖଡଖଡ଼ ଶବ୍ଦ ହେବାରୁ ମୁହଁ ଟେକି ସେ ଗଛକୁ ଚାହିଁଲା l ହଠାତ ଗଛ ଡାଳ ହଲିଲା ଓ ଡାଳ ଉପରୁ ତଳକୁ ଭୂତୁଣୀଟିଏ ଡେଇଁଲା, ଆଉ ଆସି କମଳାର ସମ୍ମୁଖରେ ସେ ଠିଆ ହୋଇ ପଡିଲା l ସେ କହିଲା, ତୁ ଆଦୌ ଭୟ କର ନା l ମୁଁ ଏଠାକୁ ତୋର ସହାୟତା କରିବାକୁ ଆସିଛି l ତୋର ଦୁଃଖ କ’ଣ କହିଲୁ ଦେଖି ? “
ତା’ କଥା ଶୁଣି, କମଳା ସାହସ ପାଇଁ ନିଜର ସମସ୍ତ ଦୁଃଖକଥା ତାକୁ ଶୁଣାଇଲା l ସବୁ ଶୁଣି ସେ ଭୂତୁଣୀ କହିଲା, ” ଠିକ ଅଛି, ଆଜିଠାରୁ ତୁ ହଜାରଟି ଭାତ ଖାଇଲେ ଗୋଟିଏ ସୁନାର ଭାତ ତୋ ଭାତଥାଳି ତଳେ ଲାଗିରହିବ l ତୋ ଶାଶୁ ସୁନା ପାଇବାକୁ ପାଗଳ l ଏବେ ସେ ତୋତେ ବହୁତ ଖୁଆଇବ l ” ସକାଳେ ବାପଘରକୁ ଯିବା ପାଇଁ ଜିନିଷପତ୍ର ସଜଡା ହେଲା l କଥାବାର୍ତ୍ତା ମଧ୍ୟରେ କମଳା ତା’ ଶାଶୁକୁ କହିଲା ” ରାତ୍ରିରେ ସ୍ୱପ୍ନରେ ଦେଵୀ କହିଲେ ଯେ ମୁଁ ହଜାରତି ଭାତ ଖାଇଲେ ଗୋଟିଏ ଭାତ ସୁନା ପାଲଟିଯିବ ଓ ଥାଳିରେ ଲାଗିରହିବ l “
ସୋନାଲୀ ଖୁସି ହୋଇ କହିଲା, ” ସତେ ? କିନ୍ତୁ ଆଜିପଯ୍ୟନ୍ତ ତୋର ସେ ଦେଵୀ ଥିଲେ କେଉଁଠି! ଏକଥା ଆଗରୁ କହିଥିଲେ ତ ଆମେ ଧନୀ ହୋଇ ଯାଇଥାନ୍ତେ l ମୁଁ ସୁନାରେ କେତେ ଗହଣା କରି ପିନ୍ଧି ପକିଥାନ୍ତି l ଯାହା ହେଉ ପଛେ ତୁ କିନ୍ତୁ ଆଜି ଆଉ ତୋ ବାପଘରକୁ ଯିବୁ ନାହିଁ l ” ରାତିରେ ବୋହୂର ଅଇଁଠା ଥାଳୀ ତା’ ଶାଶୁ ଖୋଜି ଦେଖିଲା ସତରେ ସୁନାର ଭାତଟିଏ ଲାଖି ରହିଛି l ସେ ଖୁସି ହୋଇ ସେହି ଦିନଠାରୁ ବୋହୂକୁ ଦିନକୁ ତିନିଥର ଖାଇବା ଦେଲା l ସାରା ମାସ ଧରି ସଂଗ୍ରହ କରିଥିବା ସୁନାରେ ଅଳଙ୍କାରମାନ ତିଆରି କରି ସେ ପିନ୍ଧିଲା, ଆଉ କହିଲା, ଆରେ ବୋହୂ, ତୋର ବାପଘର କଥା ଚିରଦିନ ପାଇଁ ଭୁଲିଯା l ତୋତେ ମୁଁ ଦିନକ ପାଇଁ ହେଲେ ମୁଁ ଛାଡି ପାରିବି ନାହିଁ l ” କିନ୍ତୁ ସୁନା ସଂଗ୍ରହ କରିବା ପାଇଁ ଲୋଭ ଆହୁରି ବଢିଲା l ସେ କମଳାକୁ ବହୁତ ବହୁତ ଖୁଆଇଲା l
ଫଳରେ ଦିନେ ତାର ପେଟ କାଟିଲା l ସେ ତା’ ବାପଘରକୁ ଯିବାକୁ ଚାହିଁଲା l ସେତେବେଳେ ଭୂତୁଣୀ ଆସି ତାକୁ ପଚାରିଲା, ” ପୁଣି କଣ ସମସ୍ୟା ହେଲା? କମଳା ସବୁକଥା କହିଲା l ଭୂତୁଣୀ ସି ଶବ୍ଦଟାଏ କରି କହିଲା, ” ଏଥର ତୋ ଶାଶୁ କୁ କହ, ଦିନରେ ବକତେ ଖାଇବା ଛାଡିଦେଲେ ତା’ ଥାଳି ତଳୁ ସୁନା ମିଳିବ l” ସକାଳୁ ହେବାରୁ କମଳା ସବୁକଥା କହିଲା l ଏକଥା ଶୁଣି ଶାଶୁ ଖୁସି ହୋଇ କହିଲା, ତେବେ ତୋର ଏଠି ରହିବାର ଆଉ କଣ ବା ପ୍ରୟୋଜନ ରହିଛି l ତୁ ବରଂ ଆଜି ହିଁ ତୋ ବାପଘରକୁ ଚାଲିଯା l ” ଏହାପରେ କମଳା ତା ବାପଘରକୁ ଗଲା l
ସେଦିନ ଖରାବେଳେ ସେ ନଖାଇ ଦେଖିଲେ କି ଥାଳି ତଳେ ସୁନା ମୋହରଟିଏ ଅଛି l ଆହୁରି ନଖାଇ ରହିଲା l ଆହୁରି ସୁନା ମିଳିଲା, ତା’ ପରେ ସେ ଭାବିଲା ” ଜନ୍ମରୁ ତ ଆଜିଯାଏଁ ମୁଁ ଖାଉଛି l ଏବେ ଦଶଦିନ ଉପବାସ ରହିଗଲେ, କୋଡିଏଟି ମୋହର ମିଳିବ l ସେଥିରେ ସୁନ୍ଦର ହାରଟିଏ ଓ କିଛି ଚୁଡ଼ି ବନାଇ ପଡିଶା ଘରକୁ ଯିବି l ଯେପରି ମୋତେ ଦେଖିଲେ ଅନ୍ୟମାନେ ଇର୍ଷାରେ ଜଳିବେ l ବଡ଼ ମଜା ହେବ l ” ତିନିଦିନ ମଧ୍ୟରେ ସେ ଏତେ ଦୁର୍ବଳ ହୋଇଗଲା ଯେ ବିଛଣାରୁ ଉଠି ଗୋବିନ୍ଦକୁ ଡାକି କହିଲା, ” ପୁଅ, ଯାଇ ବୈଦ୍ୟକୁ ପଚାରି ଆସ ଯେ ସାଗୁଦାନ ଖିରି ବା ଚାଉଳ ଖିରି କଣ ଖାଦ୍ୟ ସହିତ ସମାନ ? “
ଗୋବିନ୍ଦ ବୁଝି ପାରିଲା ନାହିଁ ଯେ ମା’ ଙ୍କର ଏପରି ବିଚିତ୍ର ସନ୍ଦେହ କେଉଁଠୁ ଆସିଲା? ସେ ବୈଦ୍ୟଙ୍କ ପାଖକୁ ଯାଇ ମା ଯାହା କହିଥିଲେ ତାହା କହିଲା l ବୈଦ୍ୟ ହସି ହସି କହିଲେ ” ପାଣି ବ୍ୟତୀତ ଯାହା ଖାଇଲେ ମଧ୍ୟ ତାକୁ ଭୋଜନ ବୋଲି କୁହାଯିବ l ” ଗୋବିନ୍ଦ ଘରକୁ ଫେରି ଦେଖିଲା ତା ମା ବେହୋସ ହୋଇ ପଡିଛି l ସେ ବୈଦ୍ୟକୁ ଡାକି ଚିକିତ୍ସା କରାଇଲା ଓ ବାପାଙ୍କୁ ମା’ର ଦାୟିତ୍ୱ ଦେଇ ଶୀଘ୍ର ଶଶୁର ଘରକୁ ଯାଇ କମଳାକୁ ନେଇ ଆସିଲା l
ଶାଶୁଙ୍କୁ ଦେଖି କମଳା କାନ୍ଦି କାନ୍ଦି କହିଲା, ” ମା’ ତୁମର ଏ କଣ ହେଲା ? ସୋନାଲୀ କମଳାକୁ ପାଖକୁ ଡାକି ବସାଇ ସବୁ କହିଲା l ତା’ ପରେ କହିଲେ, ” ତୋ ପରି ରତ୍ନକୁ ବୋହୂ କରି ପାଇ ମଧ୍ୟ ମୁଁ ସୁନା ପଛରେ ପାଗଳ ହୋଇ ନିଜର ଏହି ଅବସ୍ଥା ନିଜେ କରିଛି l ମୁଁ ମଧ୍ୟ କି ବୋକା l ଏତେ ବୟସ ହେଲାଣି l ଏବେ ମୋର ଏତେ ଅଳଙ୍କାର ପିନ୍ଧିବା କଣ ଦରକାର ? ଏସବୁ ସୁନା ନେଇ ତୁ ଅଳଙ୍କାର ବନାଇ ପିନ୍ଧିବୁ l ଏକଥା ତୁ ଆଉ ତୋ ଶ୍ୱଶୁରଙ୍କୁ କହିବୁ ନାହିଁଟି? ” କମଳା ଶାଶୁଙ୍କର ସେବା କରି ଠିକ ମାସକ ଭିତରେ ତାଙ୍କର ସ୍ୱାସ୍ଥ୍ୟ ଫେରାଇ ଆଣିଲା l ଏଣିକି ସେମାନେ ଖୁସିରେ ରହିଲେ l