ସୁଧାର ବ୍ୟବହାର
ଥରେ ଜୟ ନିଜର ପ୍ରିୟ ବନ୍ଧୁ ବିଜୟଙ୍କ ଘରେ ରାତିଟିଏ କଟାଇଲେ l ବିଜୟର ଗୋଟିଏ ବ୍ୟବସାୟ ଥିବାରୁ ସେ ବିଳମ୍ବିତ ରାତିରେ ଘରକୁ ଫେରିଲେ ଏବଂ ଖାଇବାକୁ ବସିଲେ l ବିଜୟଙ୍କ ପତ୍ନୀ ସ୍ୱାମୀଙ୍କ ଲାଗି ରୁଟି ତରକାରୀ ବଢ଼ିଦେଲେ l ସେତିକି ବେଳକୁ ଜୟ ଖାଇସାରିଥାନ୍ତି l କିନ୍ତୁ କିଛି ଆଳାପ କରିବା ପାଇଁ ବନ୍ଧୁଙ୍କୁ ଅପେକ୍ଷା କରିଥାନ୍ତି l
ସେ ଦେଖିଲେ ଯେ ବିଜୟଙ୍କୁ ଯଉ ରୁଟି ଦିଆଯାଇଛି ତାହା ଅଧିକ ପୋଡି ଯାଇଛି l ଜୟ ଜାଣନ୍ତି ବିଜୟୀ କ୍ଷଣକୋପି l ତେଣୁ ସେ ଆଶଙ୍କା କଲେ ଯେ ବିଜୟ ନିଶ୍ଚୟ ପତ୍ନୀଙ୍କ ଉପରେ ରାଗିବେ ନା ନ ଖାଇ ଖାଇବା ଥାଳି ଛାଡି ଉଠିଯିବେ l କିନ୍ତୁ ସେଭଳି କିଛି ହେଲାନାହିଁ l ବିଜୟ ପୋଡା ରୁଟିକୁ ନିରବରେ ଖାଇଲେ l ତାଙ୍କ ମନରେ ଅସନ୍ତୋଷର କୌଣସି ଚି଼ହ୍ନ ନଥିଲା l ସେ ଖାଇ ସାରିବା ପରେ ତାଙ୍କ ପତ୍ନୀ ରୁଟି ପୋଡି ଯାଇଥିବା କାରଣରୁ ବହୁତ ଦୁଃଖ ପ୍ରକାଶ କଲେ l
ରାତ୍ରି ଭୋଜନ ସରିବା ପରେ ଦୁଇ ବନ୍ଧୁ ଏକାଠି ଆଳାପ କରିବାକୁ ଉଠିଗଲେ l ସେତିକି ବେଳେ ଜୟ ପଚାରିଲେ -” ବନ୍ଧୁ, ତୁମ ରାଗ କୁଆଡେ ଗଲା ? ” ବହୁତ ବଦଳି ଯାଇଛ l ବିଜୟ ହସି କହିଲେ -” ବହୁତ ରାଗିବା ପରେ ଅସଲ କଥା ଶିଖିଚି l ମୁଁ ଜାଣେ ମୋ ସ୍ତ୍ରୀ ସକାଳୁ ରାତି ଯାଏ ଘର କାମ କରି ପ୍ରବଳ କ୍ଲାନ୍ତ l ସେଥିଲାଗି ହୁଏତ ଏମିତି ହୋଇ ଥାଇପାରେ l ନିରବରେ ପୋଡା ରୁଟି ଖାଇବା ବେଳେ ମୋ ସ୍ତ୍ରୀ ମୋ ମନ ଭିତରେ ଏଇ ବିଚାରଟିକୁ ପଢି ପାରିଲେ l ସେଥି ଲାଗି ତ ସେ ପୋଡା ରୁଟି ଲାଗି ଦୁଃଖ କଲେ l ଦେଖ, କଥାଟି କେତେ ସୁନ୍ଦର ଭାବେ ସରିଗଲା l
ମୁଁ ଏବେ ବୁଝୁଛି ଯେ ପୋଡା ରୁଟି ଖାଇଦେଇ ହେବ, କିନ୍ତୁ ସେତିକି ବେଳେ ମୋର କଟୁ କଥା ମୋ ପତ୍ନୀର ମନକୁ ଯେମିତି ପୋଡିଦେଇଥାନ୍ତା l ତାର କ୍ଷତ ଅନେକ ଦିନ ରହିଥାନ୍ତା l ଆମେ ସମସ୍ତେ ତ ଦୋଷତ୍ରୁଟିରେ ଭରା l ସେ କଥା ଆମେ ଯେତେ ଶୀଘ୍ର ବୁଝିବା ସେତେ ଭଲ l