Odia Kabita Kahuni Pochha Abhimana

Odia Kabita Kahuni Pochha Abhimana

Facebook
WhatsApp
Telegram

Introducing “Odia Kabita କହୁଣୀ ପୋଛା ଅଭିମାନ” and “ସମସ୍ୟାର ପ୍ରତିସ୍ୱର” two poignant Odia poems penned by Amaresh Chandra Sahu

କହୁଣୀ ପୋଛା ଅଭିମାନ

ନିରନ୍ତର ସମାଜ ଫେରନ୍ତା ସ୍ୱାଭିମାନର
ଅଭିମାନ ସତ୍ତ୍ୱରେ, ବିଶ୍ରାମର ରେଖା…..
ଅଲେଖା ସରଳର ଜଟିଳ ରେଖାମାନ…..
ଜଞ୍ଜାଳ ପାଇଁ କହୁଣୀ ପୋଛା ଅଭିମାନ l

ପୁଣି କୋଟରେ ଚିକ୍ ଚିକ୍ ଅନ୍ଧକାର ତଳେ
ଠିଆ ଆକାଶରୁ ସେଇ ନିର୍ଜନ ପ୍ରାନ୍ତରେ
ଏକୁଟିଆ ପାଦପର ପତ୍ରଙ୍କ ଆଳାପେ
ଫାଟିପଡେ ସେଇ ନିର୍ବୋଧ, ହସର ମେଳାପେ l

ଜୀବନେ ସ୍ୱାଭିମାନ ପାଇଁ ଅଭିନନ୍ଦନ….
ଅଭିମାନର ଏରୁଣ୍ଡି ଡେଇଁବା ପରେ,
ପଡେ ଚମ ପାଚେରୀ ଘେରା ହାଡୁଆ କାହୁଣୀ
ତମ – ଆମ – ପର – ଆପଣା ଭିତର କାହାଣୀ l

କଂସ – ରାବଣ – ଦୁର୍ଯ୍ୟୋଧନ ଅଭିମାନ
ଆସ୍ଫାଳିତ, ଯେମିତି କହୁଣି ପୋଛା ଶୂନ୍ୟତାରେ
ବିସ୍ତାରିତ ଶ୍ମଶାନର ପ୍ରତାରିତ ଅହଁଦୀପ ପୂର୍ଣତାରେ
କିଏ ବା କହିବ? ଧ୍ଵଂସର ମୃତ୍ୟୁ ପ୍ରତିଶୋଧ l

ମସ୍ତକେ ରାଜଜୁଡ଼ାର ହତ୍ୟା ପରେ
ଅନ୍ୟ ଅଙ୍ଗେ କପଟି ପଶାର କି ମହତ୍ତ୍ୱ?
କି ମହତ୍ତ୍ୱ, ହାଡ଼ୁଆ କହୁଣିର ରାଜତ୍ଵ
ସାରା ବିଶ୍ବରେ ସେ ଏକ ଦଗ୍ଧ ନିସଂଗ ଅସ୍ତିତ୍ବ l

ଅସ୍ତିତ୍ବର ମଧ୍ୟାହ୍ନ ଆଉ ଫେରନ୍ତି
ଫେରେନି ମାଟିତଳେ ଥିବା ହାଡୁଆ କହୁଣୀ
ଫାଶ ଲେଉଟେ ପ୍ରତିହିଂସାର ରଜରେ
ଚେର ଓଟାରି ଆସେ ନିଘଞ୍ଚ ସର୍ପ ବନ୍ଧନରୁ l

ସ୍ଫିତ ବୀଜର ସ୍ଫଟିକକୁ ସାଥେ ନେ଼ଇ
ସାଥେ ନେଇ ସୁପ୍ତ ଶବାଧାରର ନୂଆ ସ୍ୱାଭିମାନକୁ
ଅନ୍ୟ ଏକ ଯୌବନର ଜ୍ଞାନଦୀପ ଓଁ କାରକୁ
କହୁଣି ପୋଛା ଅଭିମାନ, ଜ୍ଞାନଦୀପ ଓଁ କାରକୁ l

ସୂଚନା –

  • ଅଭିମାନ – (ବି) (ଅଭି – ମା – ଅନ) – ଅହଙ୍କାର ପ୍ରିୟଜନ ମଧ୍ୟରେ ନୀରବ ମନୋମାଳିନ୍ୟ l
  • ସ୍ଵାଭିମାନ – ବିଂ -(ସ୍ଵ – ଅଭି – ମା – ଅନ)- ଆତ୍ମବଶ, ସ୍ଵତନ୍ତ୍ର, ନିଜଶକ୍ତି ଉପରେ ନିର୍ଭରତା l
  • କହୁଣି ପୋଛା – ସ୍ୱାର୍ଥ ପାଇଁ ଆଦେଶ କାର୍ଯ୍ୟରେ ଲିପ୍ତ ହେବା ମଣିଷର ଅନ୍ତର୍ନିହିତ ପ୍ରକୃତି l
  • ସତ୍ତ୍ଵ – ବି – ପ୍ରାଣୀ, ଦୟା, ଭକ୍ତି ପ୍ରଭୃତି ସଦଗୁଣ l
  • ସ୍ପୀତ – ବି – ଫୁଲ ଉଠିଥିବା l
  • ସୁପ୍ତ- ବି – ନିଦ୍ରିତ l
  • ସ୍ଫଟିକ – ବି – ସ୍ୱଚ୍ଛ, ଶୁଭ୍ର, ପବିତ୍ର l

ସମସ୍ୟାର ପ୍ରତିସ୍ୱର

ତଥାପି ସର୍ଜନାରେ…….
ଖାଲି ଘଟଣାର ଘନଘଟା,
ସଂପ୍ରତି ଜୀବନସବୁ ଦୌଡୁଛନ୍ତି
ଧଇଁସଇଁ ହୋଇ ପ୍ରତୀକର ବତୀଖୁଣ୍ଟ ପାଖକୁ,

ବୁବ୍ରୁଚିର ସଫେଦ ପଗଡ଼ି ବାନ୍ଧି
ଅଭିନୟର ଆରା ଉଖାରୁଛନ୍ତି
ଜୀବନର ବଡ଼ ବଡ଼ ଉଇହୁଙ୍କା,
ଚଳାଇଛନ୍ତି ଗବେଷଣାର ଯୁଦ୍ଧ l

କଣ ପାଇଁ? କାହା ପାଇଁ?
ଅକ୍ତିଆରକୁ କରିବାକୁ ସୁସ୍ଥ ଓ ସଭ୍ୟତାର ମାପକାଠିକୁ
ମୁଁ କହିବି ନା……
ସବୁ ଭଣ୍ଡାମି – ପ୍ରବଞ୍ଚନା – ମିଥ୍ୟା
ତେବେ…… ତା ପରେ…….
ଓହରି ଆସୁଛନ୍ତି ଫଇସଲାର ତରୁଆଲ ଧରି…..

କେହି ଦୋଳାୟମାନ ସଂପ୍ରତିକୁ ଧରି ରଖୁଛି
ତ, କେହି ପଳାୟନ ହୋଇ ସାହାରାରେ ଭାସୁଛନ୍ତି
ଆଉ କେହି……..
ଅଜ୍ଞତାର ଶେଫାଳିରେ ମନ ପବନ
ନୌକା ନିର୍ମାଣରେ ବ୍ୟସ୍ତ l

ତେଣୁ…….
ଏଥି ପାଇଁ ଦର୍କାର ଶର୍କରା ଜୀବନର
ଉପାଖ୍ୟାନ ଓ ପରିସ୍ଫୁଟନ….. ଆଉ
ଅନ୍ତିମ…. ସାରାଂଶର ପ୍ରତିଭା
ଯେଉଁଥିରେ……..
ମାନସ ପ୍ରତିଲିପିର ପ୍ରତିସ୍ୱର
ଧ୍ଵନିତ ହେଉ ଥିବ ସନ୍ତୋଷ ଲାଭ ପାଇଁ
ସାୟନ୍ତନ ସୂର୍ଯ୍ୟର ଆନନ୍ଦ ଭୋଗ ପାଇଁ l

ସ୍ରଷ୍ଟା - ଅମରେଶ ଚନ୍ଦ୍ର ସାହୁ
( ଅବସର ପ୍ରାପ୍ତ ଶିକ୍ଷକ)
ବାଲିଆପାଳ
ବାଲେଶ୍ଵର

Read More Odia Kabita From Amaresh Chandra Sahu

Leave a Comment

You cannot copy content of this page