Odia Gapa Budhia Mahajana : Many years ago, there was a Mahajan in a village. He had three sons. The eldest son was named Suresh, the younger son was named Dinesh and the youngest son was Abinash. The Mahajan had movable wealth. Be that as it may, that Mahajan was raising his family very happily
ବୁଦ୍ଧିଆ ମହାଜନ
ଅନେକ ବର୍ଷ ତଳର କଥା l ଗୋଟିଏ ଗାଁରେ ଜଣେ ମହାଜନ ଥିଲେ l ତାଙ୍କର ତିନୋଟି ପୁଅ ଥିଲେ l ସେଥିରୁ ବଡ଼ ପୁଅ ନାମ ସୁରେଶ, ମଝିଆଁ ପୁଅର ନାମ ଦୀନେଶ ଏବଂ ସାନ ପୁଅର ନାମ ଅବିନାଶ l ସେ ମହାଜନଙ୍କର ପୁଣି ଅଚଳାଚଳ ଧନ ସମ୍ପତ୍ତି ଥିଲା l ଗୋରୁ ଗାଈ, ଘୋଡା, ଛେଳି ସବୁ ମହାଜନ ପାଳିଥିଲେ l ସେ ଯାହାବି ହେଉ, ସେ ମହାଜନ ତାଙ୍କର କୁଟୁମ୍ବ ଅତି ସୁଖରେ ପ୍ରତିପୋଷଣ କରୁଥିଲେ l
ଏକଦା ସେ ମହାଜନ ଏକ ଅଜଣା ରୋଗରେ ଶଯ୍ୟାଶାୟୀ ହେଲେ l ତାଙ୍କ ଜୀଵନ ସଙ୍କଟାପନ୍ନ, ଏମିତିକି କୌଣସି ବଇଦ ମଧ୍ୟ ସେ ମହାରାଜଙ୍କ ରୋଗକୁ ଆଦୌ ଚିହ୍ନି ପାରିଲେ ନାହିଁ l ଯେତେ ଔଷଧ ଦେଲେ ବି ମହାଜନଙ୍କର ସେ ରୋଗଟି ମୋଟେ ଭଲ ହେଲା ନାହିଁ l ଏଥର ମହାଜନ ଘୋର ଚିନ୍ତାରେ ପଡିଲେ ଯେ ମୃତ୍ୟୁ ତ ନିଶ୍ଚିତ l ତହୁଁ ମହାଜନ ମୃତ୍ୟୁ ନିଶ୍ଚିତ ବୋଲି ଜାଣିପାରି ଖାଲି ଚିନ୍ତା କରିବାକୁ ଲାଗିଲେ l ତାଙ୍କ ମୃତ୍ୟୁ ପରେ ପୁତ୍ରମାନେ ସମ୍ପତ୍ତି ଭାଗବଣ୍ଟାରେ କାଳେ ଝଗଡା ଲାଗିବେ l ତେଣୁ ମହାଜନ ଖଣ୍ଡିଏ ସାଧା କାଗଜରେ ଲେଖିଦେଲେ ଯେ, ସେ ତାଙ୍କ ପରେ ତାଙ୍କର ପୁଅମାନଙ୍କୁ କିପରି ଭାବରେ ସମ୍ପତ୍ତି ବଣ୍ଟନ କରିପାରିବେ l
ସେ କାଗଜରେ ମହାଜନ ପରିଷ୍କାର ଭାବରେ ଲେଖିଲେ ମୁଁ ମରିଗଲା ପରେ ମୋର ତିନି ପୁଅ ଯାକ ଅଲଗା ଅଲଗା ରହିବେ l ସେମାନେ ମୋ ସମ୍ପତ୍ତିକୁ ସମାନ ତିନିଭାଗ କରିବେ, ହେଲେ ମୋ ମରିବା ପରେ ଘରେ ଯେତୋଟି ହୀରା ଥିବ ତାକୁ ନିମ୍ନ ଲେଖାନୁଯାୟୀ ଭାଗ କରିବାକୁ ମୋର ଏକାନ୍ତ ମନ୍ତବ୍ୟ l
ମୋର ବଡ଼ ପୁଅ ସୁରେଶ, ସେ ହୀରାକୁ ବହୁତ ଭଲ ପାଏ l ତେଣୁ ସେ ଦୁଇଭାଗରୁ ଏକ ଭାଗ ନେବ l ତା ‘ ପରେ ମଝିଆଁ ପୁଅ ଦିନେଶ ସେ ତାର ବଡଭାଇ ଠାରୁ ଏ ହୀରାକୁ ଟିକେ କମ ଭଲ ପାଏ l ତେଣୁ ସେ ତିନିଭାଗ ରୁ ଏକ ଭାଗ ନେବ l ଶେଷରେ ରହିଲା ସାନ ପୁଅ ଅବିନାଶ ସେ ହୀରାକୁ ସମସ୍ତଙ୍କଠାରୁ କମ ଭଲ ପାଏ, ତେଣୁ ସେ ‘ ନଅ ‘ ଭାଗରୁ ଏକ ଭାଗ ନେବ l ମୋ ମଲାପରେ ମୋ ପୁଅମାନେ ଠିକ ଏହିପରେ ଭାବରେ ହୀରା ଭାଗକରି ନେବେ l ହୀରା ଭାଗ କଲାବେଳେ ସେଗୁଡିକୁ ଆଦୌ ଖଣ୍ଡ ଖଣ୍ଡ କରିବେ ନାହିଁ l ଏହି ଲେଖାଟିକୁ ପଢି ସେ ତିନି ଭାଇଯାକ ରାଜି ହୋଇଗଲେ l କେହି ବି ଆଉ ଏହାର ପ୍ରତିବାଦ କଲେ ନାହିଁ l
ମଜାଜନ ବୁଢା ତାଙ୍କ ଲେଖା କାଗଜଟିକୁ ବଡ଼ ପୁଅ ସୁରେଶ ହାତରେ ଦେଇ ସବୁଦିନ ପାଇଁ ଏ ସଂସାରରୁ ବିଦାୟ ନେଲେ l ତା’ପରେ ସେ ମହାଜନଙ୍କ ଏକ ଦଶାହ କ୍ରିୟାକର୍ମ ସମାପନ ପରେ ତିନି ଭାଇ ସମ୍ପତ୍ତି ବଣ୍ଟନରେ ଲାଗିପଡିଲେ l ଗାଈ, ଗୋରୁ, ଛେଳି, ମେଣ୍ଢା, ଜମିବାଡ଼ି ସବୁ ସମାନ ତିନିଭାଗରେ ବଣ୍ଟା ହୋଇଗଲା l ଶେଷରେ ରହିଲା ହୀରା ବଣ୍ଟା କଥା l ମହାଜନଙ୍କ ସେହି ପୁଅମାନେ ହୀରା ଥିବା ବାକ୍ସକୁ ଆଣି ଦେଖିଲେ ଯେ, ସେ ବାକ୍ସରେ ମୋଟ ସତରଟି ହୀରା ଅଛି l ଏ ତ ଏକ ମହାନ ସମସ୍ୟା l ସତରଟି ହୀରାକୁ ତ ସମାନ ଦୁଇଭାଗ କରିହେଉନାହିଁ l ତାପରେ ପୁଣି ବାପା ହସ୍ତଲେଖା କାଗଜରେ ଉଲ୍ଲେଖ ଅଛି ଯେ, ହୀରାକୁ କଦାପି ଖଣ୍ଡ ଖଣ୍ଡ ଭାଗ କରାଯାଇ ପାରିବ ନାହଁ l ତେଣୁ ଭାଇମାନେ ମହାଦ୍ୱନ୍ଦ୍ୱରେ ପଡିଲେ l
ସେମାନେ ଶେଷରେ ଗ୍ରାମ ମୁଖିଆଙ୍କ ପାଖକୁ ଗଲେ l ମୁଖିଆଙ୍କୁ ମହାଜନଙ୍କ ବଡ ପୁଅ ସୁରେଶ ସମସ୍ତ ବିଷୟ କହିଲେ ଏବଂ ତାଙ୍କ ବାପା ହୀରା ବଣ୍ଟନର ଭାଗ କରିଥିବା ନିୟମ ଲେଖା ହୋଇଥିବା କାଗଜଟିକୁ ମଧ୍ୟ ଦେଲେ l ମୁଖିଆ ସେ ମହାଜନ ବୁଢା କାଗଜରେ ଲେଖିଥିବା ହୀରା ବଣ୍ଟନ ନିୟମକୁ ପଢି ଉପଲବ୍ଧି କଲେ l ସେ ମୁଖିଆ ଜଣେ ବୁଦ୍ଧିଜୀବୀ ବ୍ୟକ୍ତି ଥିଲେ l ତେଣୁ ସେ ଚିନ୍ତାକରି ଗୋଟିଏ ଉପାୟ ବାହାର କଲେ l ତାଙ୍କ ପାଖରେ ବି ଗୋଟିଏ ହୀରା ଥିଲା l ସେ ହୀରାଟିକୁ ସାଙ୍ଗରେ ଧରି ତିନି ଭାଇଙ୍କ ସହ ମହାଜନଙ୍କ ଘରକୁ ଗଲେ l ତାପରେ ସେ ହୀରା ବାକ୍ସଟିକୁ ଅଣାଗଲା l ହୀରା ବାକ୍ସରୁ ସମସ୍ତ ହୀରା ବାହାର କରାଗଲା l ମୋଟରେ ସତରଟି ହୀରା ମୁଖିଆ ସାଙ୍ଗରେ ନେଇଥିବା ନିଜ ହୀରାଟିକୁ ମିଶାଇ ଦେବାରୁ ମୋଟ ଅଠରଟି ହୀରା ହୋଇଗଲା l ତା’ପରେ ସେ ହୀରାକୁ ଭାଗ କଲେ l
ମହାଜନର ପୁଅ ସୁରେଶକୁ ମୁଖିଆ ପଚାରିଲେ ତୁମେ କେତୋଟି ହୀରା ପାଇବା କଥା, ତହୁଁ ସୁରେଶ କହିଲା ଦୁଇଭାଗରୁ ଏକ ଭାଗ l ତା’ପରେ ସେ ମୁଖିଆ ତାକୁ ନଅ ଟି ହୀରା ଦେଲେ l ସୁରେଶ ଏଥିରେ ଖୁସି ହେଲା l ତା ‘ ପରେ ଆସିଲା ମଝିଆଁ ପୁଅର ପାଳି l ମଝିଆଁ ପୁଅ ଦିନେଶକୁ ମୁଖିଆ ପଚାରିଲେ ତୁମର କେତୋଟି ହୀରା ପାଇବା କଥା, ଏପରି କଥା ଶୁଣି ଦିନେଶ କହିଲା ମୋର ତିନି ଭାଗରୁ ଏକ ଭାଗ l ମୁଖିଆ ତାକୁ ଛଅ ଟି ହୀରା ଦେଲେ l ଦିନେଶ ବି ଖୁସି ହୋଇଗଲା l ତା ‘ ପରେ ସାନ ପୁଅ ଅବିନାଶ କୁ ମୁଖିଆ ପଚାରିଲେ ଅବିନାଶ, ତୁମେ କେତୋଟି ହୀରା ପାଇବ ? ତହୁଁ ସେ କହିଲା, ” ନଅ ଭାଗରୁ ଏକ ଭାଗ ” l ଏହା ଶୁଣି ମୁଖିଆ ତାକୁ ଦୁଇ ଟି ହୀରା ଦେଲେ l ଶେଷରେ ସେ ବି ଖୁସି ହୋଇଗଲା l ନଅ, ଛଅ, ଦୁଇ ମୋଟ ସତର l ଏହିପରି ଭାବେ ସେ ତିନିଭାଇ ଯାକ ନିଜ ନିଜର ସମାନ ଭାଗ ପାଇଁ ଅତ୍ୟନ୍ତ ଖୁସି ହେଲେ l ତାପରେ ମୁଖିଆ ତାଙ୍କ ସାଙ୍ଗରେ ନେଇଥିବା ହୀରାଟିକୁ ଧରି ଘରକୁ ଆସିଲେ l