ଆଷାଢ଼ ଗୀତି
ବଉଦ ବାଳାର ଶ୍ଵେତ ଅଞ୍ଚଳ
ନେଳିଆ ଗଗନେ ଉଡ଼େ
ରିମ୍ ଝିମ୍ ସୁରେ ବରଷା ରାଗିଣୀ
ପହିଲି ଆଷାଢେ ଛିଡେ।
ଚକ୍ ଚାକ୍ ମାରେ ବିଜୁଳି ଝଟିକା
ବଉଦ ଅଧର କୋଣେ
ସତେ କିବା ଧରି ବନ୍ଦାପନା ଥାଳି
ଧରାବାସୀରେ ସୁମନେ।
ସୁମାରି ସୁମାରି କୃଷକ ଭାଇର
ବୁଦ୍ଧି ହେଲାଣି ବଣା
ଡାହୁକ – ଚାତକ ଆତୁରେ ଚାହିଁଛି
ଟୋପାଏ ତୋ ସୁଧାକଣା।
ଗ୍ରୀଷ୍ମ ରାଜାର ରୁକ୍ଷ ଶାସନ
ଦୂରକୁ ଯାଇଛି ହଟି
ଦେଶ ରାଇଜର ସୁପାତି ଯାଇଛି
ତୀବ୍ର ମୟୂଖେ ଫାଟି।
ଶାନ୍ତି ପାଇଛି ତପ୍ତ ଧରଣୀ
ଶଇଳ କାନନ କ୍ଷେତ
ଘର୍ମ ଶୁଖିଛି ତାଳୁରୁ ତଳିପା
ନାହିଁ ସେ ଝଞ୍ଜାବାତ।
ମେଘ ମୁରୁଦଙ୍ଗ ବଜ୍ର କୁହାଟ
କୃଷକେ କଲାଣିବଣା।
ବିସ୍ମରି ତାର ନୟନ ମାଣିକ
କ୍ଷେତ କରେ ବୁଣା ହଣା।
କାନ୍ତ ଯାଇଛି ବିଲ କରଷଣେ
କାନ୍ତା ଅଛି ତା’ ଘରେ
ଅନାଇ ରହିଛି ଆସିବା ପଥକୁ
ନିର୍ନିମେଷ ନୟନରେ।
ମୁଖେ ଗୀତ ବୋଲି ଗୋପାଳ ତନୟ
ସଦ୍ମେ ଆସଇ ଫେରି
ପଙ୍କିଳ ପିଚ୍ଛିଳ ବରଷାର ଧାରା
ମାର୍ଗରେ ଯାଏ ପୂରି।
ନାହିଁ ସେ ଭୀଷଣ ତପ୍ତ କିରଣ
ଧରଣୀ ରୁକ୍ଷ ବେଶ।
ସବୁଜ ବରଣେ ସ୍ବସ୍ତିଲଭିଛି
ସଜାଇ ନୂତନ ବେଶ।
କେତେକ ତଟନୀ ହୃଦେ ଜଳଧରି
ଗୁରୁ ଗମ୍ଭୀର ନାଦେ
ଲମ୍ଫ ପ୍ରଦାନେ ମାନସେ ପ୍ରକମ୍ଫ
ଭରିଦିଏ ପ୍ରତିପଦେ।
କେତେ ଦିନ ଧରି ପାଶୋରି ଥିଲା ସେ
ସାଗର ସହିତ ବାସ
ନବ ଜଳ ଧରି ଫେନିଳ ଲହରେ
ଦିଏ ତା କୋଳରେ ଝାସ।
ସୁଶୀତଳ ବାୟୁ ପାଇ ଅନୁକ୍ଷଣେ
ଧରଣୀ ହୁଏ ସନ୍ତୋଷ
ବରଷା ଅଟଇ ଋତୁ ମଧ୍ୟେ ସାର
ଶାନ୍ତି ପାଏ ଦଶ ଦିଶ।
ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ
ବାସନ୍ତୀ ସନ୍ଧ୍ୟା
ଦିବା ଅବଶେଷେ ସାୟନ୍ତନ ଆସେ
ବିଭାବସ୍ତୁ ଯା’ ନ୍ତି ଗୃହେ
ମୃଦୁଳ ପବନ ହୋଇ ସନସନ
ଦକ୍ଷିଣ ଦିଗରୁ ବହେ।
ପଶ୍ଚିମ ଅମ୍ବର ଶୋଭାର ସମ୍ଭାର
ହେମବର୍ଣ୍ଣେ ବିଭାସିତ
କି ଅପୂର୍ବ ଶୋଭା ବଳି ସେ ପ୍ରତିଭା
ମନକୁ କଲା ମୋହିତ।
ବିହଗ ସକଳ ଉଡ଼ି ଦଳ ଦଳ
ଲୋଡ଼ନ୍ତି ନିଜ ଆଶ୍ରୟ
ତାଙ୍କ କଳରବ ଆକାଶ ସରବ
ମୁଖରିତ କଲା ପ୍ରାୟ।
ମାଳତୀ ଟଗର ଚମ୍ପା କନିଅର
ଫୁଟେ ଯେବେ କାନନରେ
ମଧୁପ ଗୁଞ୍ଜନେ କୁସୁମ କାନନେ
ବନରାଣୀ ଲୀଳା କରେ।
ହମ୍ବା ରଡ଼ି କରି ଧେନୁ ବତ୍ସା ଧରି
ଆନନ୍ଦେ ରଜ ଉଡ଼ାଇ
ଗୋପାଳ ତନୟେ ଗୋଧୂଳି ସମୟେ
ବାହୁଡନ୍ତି ତାଙ୍କୁ ନେଇ।
ଭେରୀ ତୂରୀ ରୋଳ ଭେଦଇ ମନ୍ଦିର
ପୁଣି ଦ୍ବିଜ ବେଦ ସ୍ବନ
ଉଡୁପ ଉଦୟେ ତାରାଳି ସମୂହେ
ଅମ୍ବର ହୁଏ ବିଘନ।
ପଲ୍ଲୀ ସୀମନ୍ତିନୀ ହୃଦେ ଦୁଃଖ ଘେନି
ତୁଳସୀ ଚଉରା ମୂଳେ।
ନିଜ ପିଲା ପିଲି ଦୁଃଖ ନାଶିବାର
ଆଶିଷ ମାଗଇ ହେଳେ।
ବନ ପ୍ରିୟ ବନେ ସୁମଧୁର ତାନେ
କମ୍ପାଁଇ ବନ ବୀଥିକା।
ନିର୍ଝରଣୀ ଶବ୍ଦ କୁଳୁକୁଳୁ ନାଦ
ଝରାଏ କବି ଗୀତିକା
ବିଭାବରୀ ହେଲା ଦିନବନ୍ଧୁ ଗଲା
ଲୁଚେ ସନ୍ଧ୍ୟା ଖେଳା ଲୀଳା
ଜୀମୂତ ମାଳାରୁ ବିଧୁ ଆସିଲାରୁ
ଅବନୀରେ ଶୋଭା ଭରା।
ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ