ପଶ୍ଚାତ୍ତାପ
ଥରେ ମୁଲ୍ଲା ନସିରୁଦ୍ଦିନ ମନ ଦୁଃଖରେ ଯାଉଥିବାର ଦେଖି ଜଣେ ପଡୋଶୀ ପଚାରିଲେ – ମୁଲ୍ଲା, ମନ ଦୁଃଖ ଥିଲା ଭଳି ଲାଗୁଛି l କଥା କ’ଣ ? ଗତ କାଲି ରାତିରେ ତୁମ ଘରୁ ଭୀଷଣ ପାଟି ତୁଣ୍ଡ ଶୁଭୁଥିଲା l ଭାଉଜ ତୁମକୁ ବହୁତ ବକୁଥିଲେ l ସେଥି ଲାଗି ମନ ଉଦାସ କରିଛ କି ? ମୁଲ୍ଲା କହିଲେ – ନା, ନା ତାହା କିଛି ନୁହଁ l କାଲି ଯେଉଁ ଝଗଡା ହୋଇଥିଲା ତାର କାରଣ ଥିଲା ଏୟା ଯେ ମୁଁ କାହିଁକି ଘରଦ୍ୱାରର ଯତ୍ନ ନେଉନି ତମ ଭାଉଜ ସେଇ କଥା କହି ମୋତେ ରାଗୁଥିଲେ l ସେ ତୁମର ଉଦାହରଣ ଦେଇ କହୁଥିଲେ, ଦେଖ ସେ କେମିତି ନିଜ ଘରଦୁଆର ସଜାଡି କରି ରଖିଛି l ହେଲେ ଆମ ଘରେ କେଉଁଠି କବାଟ ଭଙ୍ଗା ତ କେଉଁଠି ଝରକା ଓହଳି ପଡ଼ିଲାଣି l
ପଡୋଶୀ ହସି କହିଲେ – ତା ‘ ତ ଠିକ l ହେଲେ ତୁମେ କଣ କହିଲ ?
ମୁଲ୍ଲା କହିଲେ – ମୁଁ ଛାଡିବା ଜନ୍ତୁ ନୁହେଁ l ମୁଁ ବି ଜବାବ ଦେଲି l ହେଲେ, ଆଜି ଅଲଗା କାରଣରୁ ମନ ଦୁଃଖ l ମୁଁ ପସ୍ତେଇ ହେଉଛି ଯେ କାହିଁକି ତୁମ ଭଳି ଘରଦ୍ୱାର, ଜିଣିଷପତ୍ରର ଯତ୍ନ ନେଉ ନ ଥିଲି ବୋଲି l
ପଡୋଶୀ କହିଲେ – ତୁମେ ତ ବିଚିତ୍ର ଲୋକ ! ଭାଉଜକୁ ଜବାବ ଦେଲ କହୁଛ l ପୁଣି ପଶ୍ଚାତାପ କରୁଛ ?
ମୁଲ୍ଲା କହିଲା – ତୁମେ କଥାଟା ପୁରା ଶୁଣିନାହଁ l କାଲିର ଝଗଡା ବଢିଲା l ଭାଉଜ ରାଗରେ ତା ‘ ବାପ ଘରକୁ ଚାଲିଯିବାକୁ ବାହାରିବା ବେଳେ ଲୁଗାପଟା ରଖିଥିବା ସିନ୍ଦୁକରେ ତାଲା ଖୋଲିଲା ନାହିଁ l ସେତିକି ବେଳେ ଭାବିଲି – ହାୟ, ଠିକଣା ସମୟରେ ତାଲାରେ ତେଲ ଟିକିଏ ଦେଇଥିଲେ କେତେ ବଢିଆ ହୋଇଥାନ୍ତା