Janapadare Eka Rakshasa – Janhamamu Story

Janapadare Eka Rakshasa

Janapadare Eka Rakshasa – Janhamamu Story

Facebook
WhatsApp
Telegram

Janhamamu storybook ru eka sundara kahani ‘Janapadare Eka Rakshasa’. Vindhyachal ra rakshasa Kamarupa jibana ru mukti pain manisha samajaku asila. Manisha jibana ra mahatwa o ebong manaba janma ra rahasya janibaku padhantu ei lokapriya kahani.

Janapadare Eka Rakshasa – ଜନପଦରେ ଏକ ରାକ୍ଷସ

ବିନ୍ଧ୍ୟାଚଳର ଜଙ୍ଗଲରେ କାମରୂପ ନାମକ ଏକ ରାକ୍ଷସ ବାସ କରୁଥାଏ । ସେ ନିଜର ଇଚ୍ଛାଶକ୍ତି ଅନୁସାରେ ରୂପ ଧାରଣ କରିପାରୁଥିଲା । କିଛିଦିନ ପରେ ହଠାତ୍ ତା’ର ଜୀବନ ପ୍ରତି ବିତୃଷ୍ଣା ଜାତ ହେଲା ଓ ସେ ମରିବାକୁ ଇଚ୍ଛା କଲା । କିନ୍ତୁ ସେ ଜାଣି ନ ଥିଲା କିପରି ମରିବ । ପାହାଡ଼ ଉପରୁ ଗୋଡ଼ ବଢ଼ାଇଲେ ତଳକୁ ଲାଗେ, ସମୁଦ୍ର ପାଣି ତା’ ପାଇଁ ଆଣ୍ଠୁଏ । ଅନ୍ୟ ରୂପ ନେଲେ ମଧ୍ୟ ମଲାବେଳକୁ ନିଜ ରୂପ ପାଇଯାଏ ।

ତେଣୁ ସେ ମରିବା ପାଇଁ କୌଣସି ଉପାୟ ପାଇଲା ନାହିଁ । ଥରେ ବିନ୍ଧ୍ୟାଚଳକୁ ଜଣେ ତେଜସ୍ୱୀ ଋଷି ଆସିଲେ । ସେ ତାଙ୍କ ତେଜରେ ପ୍ରଭାବିତ ହୋଇ ମଣିଷ ରୂପ ଧରି ଋଷିଙ୍କ ପାଖକୁ ଗଲା ଓ ତାଙ୍କୁ ନିଜର କାହାଣୀ ଶୁଣାଇଲା । ଋଷି ରାକ୍ଷସକୁ କହିଲେ, “ଦେଖ, ରାକ୍ଷସମାନଙ୍କର ସମୟ କ୍ରମେ ଲୋପ ପାଇଯାଉଛି । ତା’ ଛଡ଼ା ରାକ୍ଷସ ଜନ୍ମରେ କୌଣସି ସୁଖ ନାହିଁ । ତୁ ଯେ ନିଜ ଜୀବନର ଅନ୍ତ କରିଦେବାକୁ ଚାହୁଁଛୁ ତାହା ଖୁବ୍ ଭଲ କଥା । କିନ୍ତୁ ତୋର ଆୟୁଷ ତ ବହୁତ ଲମ୍ବା, ତେଣୁ ଏବେ ମରିଗଲେ ତୋତେ ପୁଣି ଏକ ରାକ୍ଷସଜନ୍ମ ନେବାକୁ ପଡ଼ିବ । କିନ୍ତୁ ତୁ କି ପ୍ରକାର ଜନ୍ମ ଚାହୁଁଛୁ କହିଲେ ମୁଁ ତୋତେ ଏଇ ଜନ୍ମରୁ ମୁକ୍ତି କରିଦେବି ।” ବହୁତ ଚିନ୍ତା କରି ମଧ୍ୟ କାମରୂପ ଠିକ୍ କରିପାରିଲା ନାହିଁ ଯେ ଋଷିଙ୍କୁ କେଉଁ ଜନ୍ମ ମାଗିବ ।

ଶେଷରେ ସେ ଋଷିଙ୍କୁହିଁ ପଚାରିଲା ତାଙ୍କର ମତ କ’ଣ । ଋଷି କହିଲେ, “ସବୁ ଜନ୍ମ ମଧ୍ୟରୁ ମାନବ ଜନ୍ମ ଶ୍ରେଷ୍ଠ । ତୁ ସେଇଆ ମାଗି ନେ ।” କାମରୂପ ଋଷିଙ୍କ କଥାର ସତ୍ୟତା ଜାଣିବା ସକାଶେ ଋଷିଙ୍କଠାରୁ ବିଦାୟ ନେଇ କିଛିଦିନ ମଣିଷ ସମାଜରେ ବିତାଇବାକୁ ଗଲା । ସେ ଗୋଟିଏ ସୁନ୍ଦର ସହରରେ ପହଞ୍ଚିଲା । ସେଠାରେ ସେ ମଣିଷ ରୂପ ଧରି ମଣିଷମାନଙ୍କର ଚାଲିଚଳନ, ରୀତିନୀତି ପାଳନ କରି ସେମାନେ କିପରି ସୁଖରେ ଅଛନ୍ତି ତାହା ଜାଣିବାକୁ ଚାହିଁଲା । ସେଇ ସହରର ପ୍ରଧାନ ରକ୍ଷକ ଥାଏ ବୀରସିଂହ । ନଗରବାସୀଙ୍କର ବିଶ୍ୱାସ ଥାଏ ଯେ ବୀରସିଂହ ପରି ବଳଶାଳୀ ଲୋକ ନଗରରକ୍ଷକ ହୋଇ ରହିଥିବା ପର୍ଯ୍ୟନ୍ତ ନଗର ଉପରେ କୌଣସି ବିପଦର ଆଶଙ୍କା ନାହିଁ ।

କାମରୂପ ବୀରସିଂହର ପରାକ୍ରମ ପରୀକ୍ଷା କରିବାକୁ ତା’ ପାଖକୁ ଗଲା । ବୀରସିଂହ ଅନେକ ବାହାଦୁରୀ ମାରି ନିଜର ବଡ଼ପଣ ଦେଖାଇ ଶେଷକୁ କହିଲା, “ମୁଁ ଶୁଣିଛି ରାଜା ବିକ୍ରମାର୍କ ରାକ୍ଷସମାନଙ୍କ ସହିତ ଯୁଦ୍ଧ କରି ସେମାନଙ୍କୁ ହରାଇ ଦେଉଥିଲେ । ଯଦି ସେପରି ସୁଯୋଗ ମୋତେ ଥରେ ମିଳନ୍ତା ତେବେ ମୁଁ ବି ସେମାନଙ୍କୁ ହରାଇ ଦିଅନ୍ତି ।” ଏକଥା ଶୁଣିବା ମାତ୍ରେ କାମରୂପ ନିଜର ପ୍ରକୃତ ରୂପ ଧରି କହିଲା, “ବର୍ତ୍ତମାନ ତୁ ତିନିଥର ମୋତେ ପରିକ୍ରମା କରି ମୋ ପାଦରେ ପ୍ରଣାମ କର; ତେବେ ଯାଇ ତୋତେ ମୁଁ ପ୍ରାଣ ନେଇ ଯିବାକୁ ଦେବି ।” ବୀରସିଂହ ଥରି ଥରି ରାକ୍ଷସର କଥା ଅନୁସାରେ ପରିକ୍ରମା କରି ତା’ ପାଦ ତଳେ ପଡ଼ିଗଲା ।

ମାନବଙ୍କର ପରାକ୍ରମ ସେକଥା ଭଲ ଭାବରେ ବୁଝିଗଲା କାମରୂପ । ସେଠାରୁ ଯାଇ ସେ ଆଉ ଏକ ନଗରୀରେ ଜଣେ ଧନୀ ଘରେ ପହଞ୍ଚିଲା । ଧନୀ ଲୋକର ହେମାଙ୍ଗୀ ନାମରେ ଗୋଟିଏ ସୁନ୍ଦର ଝିଅ ଥାଏ । ଝିଅଟିର ବିବାହ ଯୋଗ୍ୟ ବୟସ ହେବାରୁ ତା’ର ବାପା ମନେ ମନେ ବରପାତ୍ର ଖୋଜୁଥାନ୍ତି । ଦିନେ କାମରୂପ ଏକ ସୁନ୍ଦର ଯୁବକ ସୁବଳ ହୋଇ ସେଠାରେ ପହଞ୍ଚି ଧନୀକୁ କହିଲା ଯେ ସେ ତାଙ୍କର କନ୍ୟାକୁ ବିବାହ କରିବାକୁ ଚାହେଁ । ଧନୀ ବ୍ୟକ୍ତିଟି ଏତେ ସହଜରେ ମାନିଯିବା ଲୋକ ନୁହେଁ । ସେ ଯୁବକର ଘର, ବଂଶ, ଧନ ଆଦି ବିଷୟରେ ନାନା ପ୍ରଶ୍ନ କରି ଶେଷକୁ ପ୍ରସ୍ତାବଟି ପ୍ରତ୍ୟାଖ୍ୟାନ କରିଦେଲେ । ତା’ପରେ କାମରୂପ ନିଜରୂପ ଧରି ଚିତ୍କାର କରି ପଚାରିଲା, “ବର୍ତ୍ତମାନ କହ ତୋ ଝିଅକୁ ମୋତେ ବିବାହ ଦେବୁ ନା ନାହିଁ?” ଧନୀ ବ୍ୟକ୍ତିଟି ଭୟରେ ଗୁନିଆ ହୋଇଯାଇ ବିବାହ ଦେବ બોલી ତରବରରେ କହିପକାଇଲା ।

ତା’ ଭୟ ଦେଖି ରାକ୍ଷସ ଠାସ୍ରେ ଅଟ୍ଟହାସ୍ୟ କରିଉଠିଲା ଓ ତତ୍କ୍ଷଣାତ୍ ସେଠାରୁ ଚାଲିଗଲା । ଏବେ ସେ ଜାଣିଗଲା ମଣିଷ ଭିତରେ ପ୍ରେମ ଓ ଆଦରର ଭାବ କେଉଁ ପ୍ରକାରର । ସେଇ ନଗରରେ ଶିବାନନ୍ଦ ନାମରେ ଜଣେ ଭକ୍ତ ରହୁଥାଏ । ପ୍ରତିଦିନ ତା’ ଘରେ ଭଜନ କୀର୍ତ୍ତନ ହୁଏ, ଅସଂଖ୍ୟ ଭକ୍ତଙ୍କର ଯିବାଆସିବା ଲାଗିଥାଏ । ଦିନେ ଅଧରାତିରେ କାମରୂପ ରାକ୍ଷସରୂପ ଧରି ଶିବାନନ୍ଦ ପାଖରେ ପହଞ୍ଚି କହିଲା, “ତୁ ସବୁଦିନେ ଯେଉଁ ଈଶ୍ୱରଙ୍କର ଭଜନ କରୁଛୁ ତାଙ୍କର ନିନ୍ଦା କରିବୁ ନା ନାହିଁ?” ଶିବାନନ୍ଦ ରାକ୍ଷସର ପାଦ ପାଖରେ ପଡ଼ିଯାଇ କହିଲା, “ମୋତେ ସେ ପାପରେ ଭାଗୀ କର ନାହିଁ ।” ରାକ୍ଷସ କିନ୍ତୁ ନଛୋଡ଼ବନ୍ଧା ।

ଶେଷକୁ ଶିବାନନ୍ଦ ଲାଚାର ହୋଇ ନିଜ ଜୀବନ ରକ୍ଷା କରିବାକୁ ଯାଇ ରାକ୍ଷସର କଥା ଅନୁସାରେ ଈଶ୍ୱରଙ୍କୁ ଗାଳିଦେଲା । ତା’ପରେ କାମରୂପ ସେଠାରୁ ଚାଲିଗଲା । ତାକୁ ଜଣାପଡ଼ିଗଲା ମଣିଷମାନଙ୍କର ଭକ୍ତି କେତେ ଦୂର । ତା’ପରେ କାମରୂପ ସିଧା ବିନ୍ଧ୍ୟାଚଳକୁ ଲେଉଟି ଆସିଲା । ଋଷିଙ୍କୁ ଦର୍ଶନ କରି କହିଲା, “ଋଷିବର, ଆପଣ ତ ଭଲ ମାନବ ଜନ୍ମ କଥା କହିଲେ! କିନ୍ତୁ ମୁଁ ଦେଖିଲି ମାନବ ଖୁବ୍ ସ୍ୱାର୍ଥୀ । ଏକଥା ସତ ଯେ ମାନବ ସୃଷ୍ଟିର ସମସ୍ତ ପ୍ରାଣୀଙ୍କ ଉପରେ ଅଧିକାର ସାବ୍ୟସ୍ତ କରିପାରିଛି; ସଭ୍ୟତାର ସୃଷ୍ଟି କରିଛି ଓ ସୁଖମୟ ଜୀବନ ବିତାଇ ପାରୁଛି ।

କିନ୍ତୁ ତା’ର ଜୀବନ କୃତ୍ରିମତାଭରା, ନାଟକଟିଏ ପରି । ସେ ଯାହାକୁ ଠିକ୍ ମନେ କରେ ସେଥିରେ ବି ତା’ର ବିଶ୍ୱାସ ନ ଥାଏ ।” “ତେବେ କହ ତୁ କେଉଁ ଜନ୍ମ ଚାହୁଁଛୁ?” ଋଷି ପଚାରିଲେ । “ମଣିଷ ଜନ୍ମହିଁ ଚାହେଁ ।” କାମରୂପ କହିଲା । ଋଷି ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରନ୍ତେ, କାମରୂପ କହିଲା, “ମଣିଷ ଜୀବନ କୃତ୍ରିମ ହେଲେ ମଧ୍ୟ ତାହା ମଣିଷଜନ୍ମ । ମୁଁ ସବୁପ୍ରକାର ଶକ୍ତିରେ ଶକ୍ତିଶାଳୀ ହୋଇ ମଧ୍ୟ ଜୀବନ ପ୍ରତି ବିରକ୍ତ ହୋଇଗଲି ।

କିନ୍ତୁ ମୁଁ ଯାହା ଦେଖିଲି ମଣିଷ ତା’ର ନିଜ ଜୀବନକୁ ବେଶୀ ମୂଲ୍ୟ ଦିଏ । ତା’ର ଜୀବନ ପ୍ରତି ଆଶା ଓ ବିଶ୍ୱାସ ଅଛି । ସେଥିପାଇଁ ସେ ମୃତ୍ୟୁକୁ ଡରେ । ଆଉ ମୃତ୍ୟୁରୁ ନିଜକୁ ରକ୍ଷା କରିବାକୁ ଯାଇ ନିଜର ପ୍ରେମ, ସ୍ନେହ, ବିଶ୍ୱାସ, ଧନ ସବୁ ତ୍ୟାଗ କରିପାରେ । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ମଣିଷ ଭିତରେ ଜୀବନ ପ୍ରତି ଖୁବ୍ ଆକର୍ଷଣ ଅଛି । ସେଇ କାରଣରୁ ଜୀବନସାରା ବଞ୍ଚିବାର ଇଚ୍ଛା ରଖିଥିବା ମାନବଜନ୍ମ ମୋର ଖୁବ୍ ପସନ୍ଦ ।”

ତା’ ପରେ ଋଷି ରାକ୍ଷସ ଉପରେ କିଛି ଅଭିମନ୍ତ୍ରିତ ଜଳ ସିଞ୍ଚିଦେଲେ । ସେ ତତ୍କ୍ଷଣାତ୍ ନଗରୀର କୌଣସି ଏକ ଘରେ ଜନ୍ମ ନେଲା ।

Dastakhata Janhamamu Odia Story | Read Online

Samudra Manthan Ra Rahasya – କାହିଁକି ହୋଇଥିଲା ଏହି ମହାଜାଗତିକ ଘଟଣା?

Leave a Comment

From Most Popular Categories

You cannot copy content of this page