ଅସନ୍ତୋଷରେ ଲାଭ କଣ
ଏକଦା ସିଂହଟିଏ ବହୁତ ଦୁଃଖରେ ଥିଲା l ଦିନେ ସେ ଈଶ୍ବରଙ୍କ ପାଖରେ ଯାଇ ପହଞ୍ଚିଲା ଏବଂ କହିଲା ପ୍ରଭୋ ! ମୋ ଶରୀରରେ ବଳ, ପରାକ୍ରମ, ସାହସ, ଆଉ ସୌନ୍ଦର୍ଯ୍ୟ ଭର୍ତ୍ତି ହୋଇ ରହିଛି l ଦାନ୍ତ ଆଉ ନଖ ମୋର ଏତେ ଶକ୍ତି ଶାଳୀ ଯେ ଯାହାକୁ ଥରେ ଧରେ, ସେ ପ୍ରାଣୀ ଆଉ ମୋ କବଳରୁ ବଞ୍ଚି ପାରେନାହିଁ l ଏଇସବୁ କାରଣ ପାଇଁ ମୁଁ ବଣରେ ଏକ ଛାତ୍ରବାଦୀ ହୋଇ ବୁଲୁଛି l ସମସ୍ତ ପ୍ରାଣୀ ମାନେ ମୋତେ ଦେଖିଲେ ଛାନିଆରେ ସେଠାରୁ ପଳାଇଯାନ୍ତି l ଏତେ ସବୁ ଥାଇ ମଧ୍ୟ ଗୋଟିଏ ଗଞ୍ଜା କୁକୁଡ଼ାର ଆବାଜରେ ମୁଁ ଡରି ଯାଏ – ଏହା ମୋ ପାଇଁ ଲଜ୍ଜ୍ୟାର କଥା ନୁହେଁ କି ? ପ୍ରଭୁ ମୋତେ ତିଆରି କରିବା ବେଳେ ଏହା କି ଧରଣର କଳଙ୍କ ମୋ ପଛରେ ଲେଖି ଦେଇଛନ୍ତି l
ଈଶ୍ଵର ସିଂହର ଏଭଳି କଥା ଶୁଣି କହିଲେ -ବତ୍ସ, ଏହା କିଭଳି ଦୁଃଖର କାରଣ ? ଏଥିରୁ ତମର କିଭଳି ଲାଭ ହେବ ? ଯେଉଁ ମାନେ ସଂସାରରେ ଜନ୍ମ ହୁଅନ୍ତି, ସେମାନେ କିଛି ନା କିଛି କଥାରେ କମଜୋର ହୋଇଥାନ୍ତି l ଅର୍ଥାତ ସେ ଯେତେ ବୀର ହୋଅନ୍ତୁ ନା କାହିଁକି, ସେ ଅତି ସାମାନ୍ୟ ବସ୍ତୁରେ ଭୟଭୀତ ହୋଇଯାନ୍ତି l ଏହା ଦ୍ୱାରା ସେ ମଧ୍ୟ ଲାଭବାନ ହୋଇଥାଏ l ଯାଅ ଏଥିରେ ଦୁଃଖିତ ନ ହୋଇ ଆନନ୍ଦରେ ଜୀବନ ଯାପନ କର l
ଈଶ୍ବରଙ୍କର ଏଭଳି ଉପଦେଶରେ ମଧ୍ୟ ସିଂହ ମହାରାଜାଙ୍କର କୌଣସି ପ୍ରତିକ୍ରିୟା ସୃଷ୍ଟି ହେଲା ନାହିଁ କିମ୍ବା ସେ ସନ୍ତୁଷ୍ଟ ହେଲା ନାହିଁ l
ସେ ମନ ମଧ୍ୟରେ ଈଶ୍ବରଙ୍କ ଉପରେ ଚିଡି ଚିଡି ହୋଇ ବଣ ଭିତରକୁ ଚାଲିଆସିଲା l ସେ ଆସିଲା ବେଳେ ଦେଖିଲା ଯେ ଗୋଟିଏ ବିରାଟକାୟ ହାତୀ ତାର ବିରାଟକାୟ କାନକୁ ହଲାଇ ହଲାଇ ଆସୁଛି l ତାର କାନ ଗୁଡିକ ଯେଭଳି ବଡ଼ ବଡ଼ କୁଲା ଆକାରରେ l
ସିଂହ ହାତୀକୁ ପଚାରିଲା – କ’ଣ ଭାଇ ତୁମର ଏତେ ବଡ ବଡ କାନକୁ ତୁମେ ବରାବର ହଲେଇ ହଲେଇ ଚାଲି ଯାଉଛ ?
ହାତୀ ତାର ଗୋଡ଼ ଆଗକୁ ବଢ଼େଇ ଉତ୍ତର ଦେଲା – ତୁମେ ଏମିତି ମଧ୍ୟ ଜାଣି ନାହଁ କି ଏହି ଭଣ ଭଣ କରୁଥିବା ମଶା ମାନଙ୍କୁ ମୁଁ ବହୁତ ଡରେ l ଯଦି କୌଣସି କାରଣ ବଶତ ଗୋଟିଏ ମଶା ମୋ କାନ ଭିତରେ ପଶିଯାଏ ତ… ମୁଁ ବିଚଳିତ ହୋଇ ଯିବି ଆଉ ଛଟ ପଟ ହୋଇ ଶେଷରେ ମରିଯିବି l
ଏହି କଥା ଶୁଣିବା ସଙ୍ଗେ ସଙ୍ଗେ ସିଂହର ମନ ଖୁସି ହୋଇଗଲା l ସେ ନିଜକୁ ନିଜେ କହିଲା – ଅସନ୍ତୋଷରେ ଲାଭ କ’ଣ? ଈଶ୍ବର ଙ୍କ ବାଣୀ ସତରେ ଠିକ ଅଟେ l କାରଣ ମୋର ଦୁଃଖିତ ହେବାର କୌଣସି କାରଣ ହିଁ ନାହିଁ l ଯେତେବେଳେ ହାତୀ ଭଳି ବିରାଟକାୟ ପଶୁ ଗୋଟିଏ ସାମାନ୍ୟ ମଶାକୁ ଡରି ଦିନ ରାତି କାନକୁ ହଲାଉ ଥାଏ ତେବେ କୁକୁଡ଼ା ତ ମଶା ଠାରୁ ବହୁତ ବଡ଼ l ତେଣୁ କୁକୁଡ଼ାର ଡାକରେ ମୁଁ ଥରି ଉଠିବା ସ୍ୱାଭାବିକ l ତେବେ ଏଥିରେ ଲଜ୍ଜିତ ବା ଦୁଃଖିତ ହେବାର କୌଣସି କାରଣ ନାହିଁ ? ତେଣୁ ସବୁ ଦୁଃଖ ପାଶୋରି ଦେଇ ସୁଖରେ କାଳାତିପାତ କରିବା ହିଁ ବିଜ୍ଞତାର ପରିଚୟ l