ପାର୍ଥକ୍ୟ
ଜଣେ ରାଜାଥିଲେ ତାଙ୍କର ଶାସନ ଆଦର୍ଶ ଶାସନ ଥିଲା, ଦିନେ ସେ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ l ଶିକାର କରୁ କରୁ ସେ ନିଜ ଲୋକଙ୍କଠାରୁ ବିଚ୍ଛନ୍ନ ହୋଇ ବହୁ ଦୂରକୁ ଚାଲିଯାଇଥିଲେ l ସଚେତନ ହୋଇ ସେ ଦେଖିଲେ ସେ ରାସ୍ତା ମଧ୍ୟ ଭୁଲିଯାଇଛନ୍ତି, ସେ କ୍ଷୁଧାତୃଷାରେ ଆତୁର ହୋଇ ବୁଲୁବୁଲୁ ଜଣେ ମୁନିଙ୍କର ଆଶ୍ରମରେ ଯାଇ ପହଞ୍ଚିଲେ l ସେ ଦେଖିଲେ ମୁନି ଧ୍ୟାନସ୍ଥ l ତଥାପି ମଧ୍ୟ ସେ ଅତ୍ୟନ୍ତ ବ୍ୟସ୍ତ ହୋଇ କହିଲେ, ” ମହାତ୍ମା, ରାସ୍ତା ଭୁଲି ବହୁଦୂର ଜଙ୍ଗଲ ମଧ୍ୟରେ ଚାଲି ଆସିଛି l ଆପଣ ଅନୁମତି ଦେଲେ ମୁଁ ଏଠାରେ କିଛି ସମୟ ବିଶ୍ରାମ କରିବି l ” ତାଙ୍କ କଥା ଶୁଣି ଆଖି ନ ଖୋଲି ମୁନି କହିଲେ, ” ଏହି ରାଜ୍ୟର ଶାସକ ଜଣେ ଧାର୍ମିକ ବ୍ୟକ୍ତି l ତାଙ୍କର ଧର୍ମ ଓ ପୁଣ୍ୟ ପ୍ରଭାବରୁ ଏଠାରେ ସବୁକିଛି ତୁମେ ପାଇ ପାରିବ ପଥିକ l ତୁମ ପାଇଁ ସ୍ୱତନ୍ତ୍ର ଭାବରେ ଅତିଥି ସତ୍କାର କରିବାର କୌଣସି ଆବଶ୍ୟକତା ନାହିଁ l ବିଶ୍ରାମ କର, ଓ ଆଶ୍ରମ ବଗିଚାରୁ ଫଳ ବା ପତ୍ର ତୋଳି ଖାଅ l “
ରାଜା କିଛି ସମୟ ବିଶ୍ରାମ କରିବା ପରେ ଆଶ୍ରମ ବଗିଚାକୁ ଯାଇ ସେଠାରେ କିଛି ଫଳ ତୋଳିଲେ l ଯେଉଁ ଫଳ ବା ପତ୍ର ତୋଳି ସେ ଖାଇଲେ ତା’ର ମଧୁର ସ୍ୱାଦର ଆଦୌ କୌଣସି ଉପମା ନାହିଁ l ନିମ୍ବ ପ୍ରଭୃତି ପିତା ଗଛର ପତ୍ର ମଧ୍ୟ ମଧୁର ଲାଗୁଥିଲା l ରାଜା ବହୁସମୟ ଧରି ପରୀକ୍ଷା କରି ସେସବୁ ଖାଇଲେ l ସବୁଥିରୁ ହିଁ ସେ ସୁନ୍ଦର ସ୍ୱାଦ ପାଇଲେ l ରାଜା ତ ଅବାକ, ଏହା କିପରି ସମ୍ଭବ ହେଲା ? ରାଜା ମନଭରି ଖିଆପିଆ କରିବା ପରେ ସନ୍ତୁଷ୍ଟ ମନପପ୍ରାଣ ନେଇ ମୁନିଙ୍କ ପାଖକୁ ଗଲେ l ସେଠାରେ ସେ ତାଙ୍କଠାରୁ ବିଦାୟ ନେଇ ନିଜ ରାଜ୍ୟକୁ ଫେରିଗଲେ l
ସେ ଆଶ୍ଚର୍ଯ୍ୟ ହୋଇ ଭାବିଲେ କି ତାଙ୍କରି ମହତ୍ୱ ବା ଭଲ ଶାସନ ଯୋଗୁଁ ପ୍ରକୃତିରେ ଏପରି ପରିବର୍ତ୍ତନ ହେଉଛି l ତେଣୁ ସେ ମନ୍ତ୍ରୀ ଓ ଅମାତ୍ୟମାନଙ୍କୁ ଏକ ଭୋଜନକୁ ଡାକିଲେ l ଅନ୍ୟାନ୍ୟ ଜିନିଷ ସହ ଖିରୀ ପ୍ରସ୍ତୁତ ହୋଇଥିଲା l ରାଜା ରାନ୍ଧୁଣିଆକୁ କହିଥିଲେ ଯେ ନିମ୍ବ ଓ କଲରାର ରସରେ ଯେପରି ଖିରୀ ହୁଏ l ଏକଥା ଶୁଣି ସେ ରାନ୍ଧୁଣିଆ ବି ଅବାକ l କିନ୍ତୁ ରାଜାଜ୍ଞା ତୁରନ୍ତ ପାଳନ ହେଲା l ଭୋଜନ ସମୟରେ ସ୍ୱତନ୍ତ୍ର ଖିରୀ ତ ପାଟିରେ ଦେଇହଉନାହିଁ l ରାଜା ଵ୍ୟସ୍ତ ହେଲେ l ତା’ ପରେ ସେ ଭାବିଲେ, ” ପୁଝାରୀ ବା କଣ ଜଣେ ? ମୁଁ ନିଜେ ଯାଇ ନିମ୍ବ ରସ ସଂଗ୍ରହ କରିବି l ” ଶେଷରେ ତାହାହିଁ ହେଲା l କିନ୍ତୁ କିଛିଟା ଲାଭ ହେଲାନାହିଁ l ପର ଦିନ ରାଜା ସିଧା ଯାଇ ମୁନିଙ୍କ ଆଶ୍ରମରେ ପହଞ୍ଚି ତାଙ୍କୁ ସବୁକଥା ଜଣାଇ ପଚାରିଲେ, ” ମହାତ୍ମା, ଆପଣଙ୍କ ଆଶ୍ରମରେ ସବୁ ମିଠା, କିନ୍ତୁ ସେଠାରେ କାହିଁକି ନୁହଁ ? “
ମୁନି ବୁଝାଇ କହିଲେ ” ସେଦିନ ମୁଁ ଜାଣିନଥିଲି ତୁମେ ହିଁ ଏଦେଶର ରାଜା ଥିଲ l ଅଜାଣତରେ ମୁଁ ତୁମରି ଧାର୍ମିକ ଗୁଣର ମହାନତା ଯୋଗୁଁ ଏପରି ହୋଇଛି ବୋଲି କହିଥିଲି l କିନ୍ତୁ ତା’ ଫଳରେ ତୁମ ମନରେ ଗର୍ବ ଭରିଗଲା l ତୁମେ ନିଜେ ପରୀକ୍ଷା କରି ଦେଖିଲ ଓ ଜାଣିଲ ସତ୍ୟ କ’ଣ, ମହିମା ଧର୍ମସମ୍ମତ ହୋଇପାରେ, କିନ୍ତୁ ପରୀକ୍ଷା କରାଗଲେ ଅନ୍ୟ ଗୁଣ ଦେଖାଦେବ l ଏଠାରେ ଆଧ୍ୟାତ୍ମିକ ବାତାବରଣ ସହିତ ଅନ୍ୟସବୁ କାମକରୁଛି l ତୁମ ରାଜ୍ୟରେ ସେପରି ହେବ ନାହିଁ l ” ରାଜାଙ୍କର ଗର୍ଵ ଭାଙ୍ଗିଲା l ସେ ମୁନିଙ୍କୁ ପ୍ରଣାମ କରି ରାଜଧାନୀକୁ ଫେରିଲେ l ସେଦିନଠାରୁ ରାଜା ବିଜୟୀ ହୋଇ ରାଜ୍ୟଶାସନ କଲେ l