Odia Story Gadhua Budha |ଗାଧୁଡୁ ବୁଢା

Odia Story Gadhua Budha

Odia Story Gadhua Budha |ଗାଧୁଡୁ ବୁଢା

Facebook
WhatsApp
Telegram

ଗାଧୁଡୁ ବୁଢା

ପାହାଡ ତଳି ଏକ ଗାଁ ମୁଣ୍ଡରେ ଥାଏ ଗୋଟାଏ ବୁଢା l ନାଁ ତାର ଗାଦୁଡୁ l ପୁଅ ନାହିଁ କି ଝିଅ ନାହିଁ l ବୁଢ଼ୀବି କେଉଁ ଦିନରୁ ଚାଲିଯାଇଥିଲା ଆରପାରିକୁ

ବୁଢ଼ା କିନ୍ତୁ ଏକୁଟିଆ ନଥିଲା l ତା ‘ ଘରେ ଥାନ୍ତି ପଲେ ଛେଳି, କୁକୁଡ଼ା ଆଉ ପଲେ ବତକ l ଦିନରାତି ବୁଢା ଜଗିଥାଏ ଛେଳି, କୁକୁଡ଼ା ଆଉ ବତକଙ୍କୁ l ଠେଙ୍ଗୁଣି ଖଣ୍ଡିଏ ଧରି ଏକଡ ସେକଡ ହେଉଥାଏ l ବିଲୁଆ କି କୋକିଶିଆଳି ଦେଖିଲେ ମାରି ଗୁଡ଼ାଏ l

ଠେଙ୍ଗୁଣୀକୁ କାହାର ଭୟ ନାହିଁ l ବୁଢାର ଘର ସିନା ପରିଷ୍କାର କିନ୍ତୁ ଘର ପଛଟା ଅରମା ବଣରେ ଭରା l ସେଇଠି ଘର କରିଥାନ୍ତି ଗୋଟେ ଶିଆଳ ପରିବାର l ଥରେ ଶିଆଳ ମାନେ ବିଚାରିଲେ ବୁଢା ଘରେ ରାତିରେ ପଶି ଛେଲିଛୁଆଟିକୁ ଟେକିଆଣିବେ l ତା ‘ ପରେ ହବ ରାତି ଅଧିଆ ଭୋଜି l ଏକଥା ଗାଦୁ ଡୁ ବୁଢା ଶୁଣିପକାଇଲା l କହିଲା -“ହାଁ ରେ ହାଁ, ଦଉଛି ପାନେ l ” ରାତି ହେଲା l ବୁଢା ଶିଆଳ ଥରି ଥରି ଆସି କାନ୍ଥରେ ଗାତ ଖୋଳିଲା l ଯେମିତି ମୁହଁ ଗଳେଇଚି, ଗାଦୁଡୁ ବୁଢା ଦେଲା ଏକ ମସ୍ତ ଠେଙ୍ଗୁଣି ପାହାର ! ଶିଆଳକି ଆଉ ରହେ!!
ଦେ ଦଉଡ଼ l ବୁଢା ଶିଆଳ ମୁଣ୍ଡରେ ଗୋଟେ ଆବୁ ହେଇ ରହିଲା l ପୁଣି କେତେଦିନ ଗଲା l ଟୋକା ଶିଆଳି କହିଲା -“ଆଜି ରାତିରେ ମୁଁ କୁକୁଡ଼ା ଭାଡ଼ିରେ ପଶି ବଡ ଗଞ୍ଜାଟାକୁ ଟେକି ଆଣିବି l ରାତି ଅଧିଆ ଭୋଜି ହେବ l ନିଶ୍ଚେ ନିଶ୍ଚେ ନିଶ୍ଚେ “l

ବୁଢା ଏ କଥା ଶୁଣିପାରିଲା l କହିଲା – “ରହ ରହ ଦଉଛି କେଞ୍ଚେ l”ରାତି ହେଲା l ଅଧ ରାତି l ଗୋଡ ଟିପି ଟିପି ଟୋକା ଶିଆଳ ଆସି ଖୁସୁରୁ ଖୁସୁରୁ ମାଟି ଖୋଲିଲା l ବୁଢା ଏଥର ଦାଆ ଧରି ବସିଥାଏ l ଟୋକା ଯେମିତି ମୁଣ୍ଡ ଗଳେଇଚି, ଦେଲା ଗୋଟେ ଚୁଟ l ଫାଳେ କାନ ସେଇଠି ଛିଡ଼ିପଡିଲା l କେଁ କେଁ ହେଇ ଟୋକା ଧାଇଁଲା l

ଆହୁରି କେତେଦିନ ଗଲା l ବତକ ମାଉଁସ ଲୋଭରେ ବୁଢ଼ୀ ଶିଆଳ ଦିନେ କହିଲା, “”ଏଥର ଆଉ କାନ୍ଥ ଫାନ୍ଥ ନୁହଁ, ମୁଁ ନଳା ବାଟେ ପଛୁଆ ପଛୁଆ ବୁଢା ଘରେ ପଶିଯିବି l ସବୁଠୁ ମୋଟୀ ବତକଟାକୁ ଝାମ୍ପିଆଣିବି l ରାତି ଅଧିଆ ଭୋଜି ହେବ ନିଶ୍ଚୟ l ବୁଢା ଏକଥା ଶୁଣି ପାରିଲା l କହିଲା -“ହଉ ତମର ଦିନକୁ ମୋର ଦିନେ l ” ରାତି ହେଲା, ନିଶା ଗରଜିଲା l ବୁଢ଼ୀ ଶିଆଳ ପଛେ ପଛେ ପଶିଲା ନଳା ଭିତରେ l ବୁଢା ତ ଅନେଇ ବସିଥିଲା, ଯେମିତି ଲାଞ୍ଜ ଦିଶିଚି , ବୁଢା କୁରାଢ଼ିରେ ପକେଇଲା ଚୋଟେ l ଅଧା ଲାଞ୍ଜ ଛିଟିକି ଯାଇ ଅଗଣାରେ ପଡିଲା l ପ୍ରାଣ ବିକଳରେ ରକେଟ ଭଳିଆ ବୁଢ଼ୀ ଶିଆଳ କୁଆଡେ ଗଲା ଯେ ଗଲା କେହି ତା ‘ର ଟେର ପାଇଲେନି l ସକାଳ ପାହିଲାରୁ ଗାଦୁଡୁ ବୁଢା କଟୁରୀ ଧରି ଅରମା ବନ ସଫା କରିଦେଲା l ସେତେବେଳକୁ ଶିଆଳ ପରିବାର ଧାଇଁ ଧାଇଁ ପାହାଡ ଆରପଟେ l

Leave a Comment

You cannot copy content of this page