This is a series of 10 short Odia Gapa ( odia stories) written by Odia writers and authors from Odisha.
ଗୁରୁଙ୍କ ଉପଦେଶ
ଦିନେ ସୁଫି ସନ୍ଥ ହସନ ପ୍ରାର୍ଥନା କରିବା ପରେ ତାଙ୍କୁ ଜଣେ ପଚାରିଲେ - ହସନ ଆପଣ କଣ ପ୍ରାର୍ଥନା କରନ୍ତି ? ହସନ କହିଲେ - ମୁଁ ଈଶ୍ବରଙ୍କୁ ଏହା କହେ ଯେ ଯେ ପରମାତ୍ମା ମୋତେ ଏଭଳି କୌଣସି ଗୋଟିଏ ବି ଦିନ ନ ଦିଅ, ଯେଉଁ ଦିନ ଦୁଃଖ ନଥିବ l ଏହା ଶୁଣି ହସନଙ୍କ ଶିଷ୍ୟମାନେ କହିଲେ - ଏ କି ପ୍ରାର୍ଥନା ? ଆମେମାନେ ତ ଠିକ ଏହାର ବିପରୀତଟି ପ୍ରାର୍ଥନା କରୁ l
ହସନ କହିଲେ – ମୁଁ କିନ୍ତୁ ଦୁଃଖର ଉପକାର କିଭଳି ଭୁଲିଯିବି ? ଯେତେବେଳେ ହସନ ସୁଖନିଦ୍ରାରେ ଶୋଇ ରହିଥିଲା, ପରମେଶ୍ୱରଙ୍କୁ ଭୁଲି ଯାଇଥିଲା l ସେତିକି ବେଳେ ତ ଦୁଃଖ ତା’ର ନିଦ ଭାଙ୍ଗିଥିଲା l ଦୁଃଖତ ହସନକୁ ପରମାତ୍ମାଙ୍କ ନିକଟର କରାଇଥିଲା l ଆଜି କେମିତି ମୁଁ ଦୁଃଖର ଉପକାର ଭୁଲିଯିବି ? ସୁଖ କେମିତି ଜଣଙ୍କୁ ପରମେଶ୍ୱରଙ୍କ ବାଟରୁ ବଣା କରାଏ ତାହା କଣ ତୁମେମାନେ ଜାଣିନାହଁ ? ତେଣୁ ମୁଁ ପରମପିତାଙ୍କୁ ଗୋଟିଏ ପ୍ରାର୍ଥନା କରେ ଯେ ମୋତେ ଏମିତି କିଛି ଦିଅନାହିଁ ଯେ ମୁଁ ତୁମକୁ ବି ଭୁଲିଯିବି l ହସନ ତାଙ୍କ ଜୀଵନରେ ଅନେକ କିଛି ହରେଇଛନ୍ତି l ଅନେକ କଷଣ ଭୋଗିଥିଲେ l ଏବଂ ସେଥି ଲାଗି ସେ ସର୍ବଦା କହୁଥିଲେ – ମୋର ପରମେଶ୍ୱରଙ୍କ ସହିତ ସିଧା ସମ୍ପର୍କ ଅଛି ! ସେ ମୋ କଥା ଶୁଣୁଛନ୍ତି l ଦୁଃଖକୁ ସହିବାରେ ଓ ତାକୁ ପରମ ପରମ ସୌଭାଗ୍ୟ ମଣିବାର ଏ ଉଦାହରଣ ଜଗତରେ ବିରଳ
ଶୋଇଥିବା ସୈତାନ
ଦିନେ ୟୁଜିକେ କହିଲେ – ଥରେ ଭାବନ୍ତୁ ତ ଈଶ୍ବରଙ୍କ କୌଣସି ଉପାସନା ସ୍ଥଳ ଈଶ୍ବରଙ୍କ ନାମରେ ଅଛି କି ? ତାହା କୌଣସି ନା କୌଣସି ଧର୍ମାବଲମ୍ବୀଙ୍କ ନାମରେ ଚାଲିଛି l ପୁଣି ଧର୍ମାବଲମ୍ବୀଙ୍କ ଭିତରେ ବିଭିନ୍ନ ମତବାଦୀଙ୍କ ଲାଗି ଭିନ୍ନ ଭିନ୍ନ ଉପାସନା ସ୍ଥଳ l ସେହି ସବୁ ସ୍ଥାନରେ ଈଶ୍ବର କିନ୍ତୁ ଅନୁପସ୍ଥିତ ଏବଂ ମାନବ ଦ୍ୱାରା ସୃଷ୍ଟ ଏହି ପ୍ରକରଣ କେବଳ ହିଂସା, ଘୃଣା, ବିଦ୍ବେଷ ସୃଷ୍ଟି କରି ଚାଲିଛି l ଏହି ମର୍ମରେ କଥାଟିଏ ଶୁଣନ୍ତୁ l
ଥରେ ଜଣେ ଫକୀର ସୈତାନକୁ ଦେଖିଲେ l ସୈତାନ ଆରାମରେ ଶୋଇଥିଲା l ଫକୀର ବିସ୍ମିତ ହେଲେ l କାରଣ ସୈତାନ ତ ଚବିଶ ଘଣ୍ଟା ସୈତାନୀ ବୁଦ୍ଧି ଓ ଉପଦ୍ରବରେ ଲାଗି ରହିବା କଥା l ସେ ଏମିତି ଅଳସୁଆ ଭାବେ ଶୋଇଛି କେମିତି ?
ସେ ସୈତାନକୁ ପଚାରିଲେ – ବଡ଼ ଆଶ୍ଚର୍ଯ୍ୟ ! ତୁମେ କେମିତି ଶୋଇଛ ? ଆଉ କଣ ଲୋକଙ୍କୁ ବାଟବଣା କରିବା ଦରକାର ପଡୁନି ? ଲୋକଙ୍କୁ ଅବାଟରେ ନେବାର ଆବଶ୍ୟକତା ନାହିଁ ? ଶୀଘ୍ର ଯାଅ ନହେଲେ ଲୋକ ଠିକଣା ବାଟରେ ଚାଲିଯିବେ l
ସୈତାନ ଜୋରରେ ହସିଲା l ସେ କହିଲା – ନିର୍ବୋଧ ! ମୋର ଆଉ ବ୍ୟସ୍ତ ହେବାର କୌଣସି ହେତୁ ନାହିଁ l କାରଣ ଭଗବାନଙ୍କ ଭକ୍ତମାନେ ତ ମୋ କାମ କରି ଦେଉଛନ୍ତି l ଧର୍ମ ନାମରେ ସେମାନେ ଘୃଣା , ବିଦ୍ବେଷ ପ୍ରସାର କରୁଛନ୍ତି, ଯୁଦ୍ଧ କରୁଛନ୍ତି, ରକ୍ତ ବୁହାଉଛନ୍ତି l ତେଣୁ ଏବେ ମୋର ଆରାମ କରିବାର ବେଳ l
ବର ନା ଅଭିଶାପ !! -Odia Gapa
ଜଣେ ବ୍ୟକ୍ତି ଥରେ ଦୈବାତ ଈଶ୍ବରଙ୍କ ସାକ୍ଷାତ ପାଇଗଲେ l ଈଶ୍ବର ତାଙ୍କୁ ପଚାରିଲେ – କ’ଣ ଚାହୁଁଛୁ କହ ?
ସେ ବ୍ୟକ୍ତି କହିଲେ – ପ୍ରଭୁ, ଗୋଟିଏ କାମନା l ମୃତ୍ୟୁ ପରେ ଯେମିତି ସ୍ୱର୍ଗକୁ ଯାଏ ସେହି ବର ପ୍ରଦାନ କରନ୍ତୁ l
ଈଶ୍ବର କହିଲେ – ଚିନ୍ତା କରି ବର ମାଗିବା କଥା l ତୁ ଏମିତି ଚଟକିନା ମାଗି ଦେଉଛୁ କାହିଁକି ? ଚିନ୍ତା କର l
ସେହି ବ୍ୟକ୍ତି କହିଲା – ପ୍ରଭୁ, ସ୍ୱର୍ଗକୁ ଯିବାକୁ ଚାହୁଁଛି, ନର୍କକୁ ନୁହଁ l ଏଥିରେ ପୁଣି ଦୁଇ ଥର ଚିନ୍ତା କରିବି କାହିଁକି ?
ତା ‘ ପରେ ଈଶ୍ବର ତଥାସ୍ତୁ ବୋଲି କହି ଉଭେଇ ଗଲେ l ସମୟ ଆସିବାରୁ ସେହି ବ୍ୟକ୍ତିଙ୍କ ଆତ୍ମା ମୃତ୍ୟୁ ପରେ ସ୍ୱର୍ଗକୁ ଗଲା l ସେଠାରେ ତ ଚିରନ୍ତନ ଆନନ୍ଦ, ତେଣୁ ଭାରି ଖୁସିରେ ରହିଲା l ଏମିତି ଅନେକ ବର୍ଷ ବିତିଗଲା l ଆନନ୍ଦ ଲାଭର ଧାରାରେ ଟିକିଏ ବ୍ୟତିକ୍ରମ ନାହିଁ l ଅନେକ ବର୍ଷ ପରେ ସେ ବିରକ୍ତି ହୋଇଗଲା l ସବୁଠାରୁ ପ୍ରିୟ ମିଷ୍ଠାନ ବହୁତ ପରିମାଣରେ ଖାଇବା ପରେ ପାଟି ଯେମିତି ବାନ୍ଧିଯାଏ, ସେ ଭଳି ଅବସ୍ଥା l ସେ ତହିଁରୁ ମୁକ୍ତି ପାଇବାକୁ ଚାହିଁଲା l କିନ୍ତୁ ମୁକ୍ତି କାହିଁ ?
ସେ କାନ୍ଦି ପକାଇଲା l ହେଲେ କିଛି ଉପାୟ ନ ଥିଲା l ଶେଷରେ ଆନନ୍ଦ ଲାଭ ବି ସେ ଏକ ଅଭିଶାପ ଭଳି ଲାଗିଲା l ସେ ବୁଝିପାରିଲା ଯେ ଈଶ୍ବର କାହିଁକି ତାକୁ ଦୁଇ ଥର ଚିନ୍ତା କରିବା ଲାଗି କହିଥିଲେ l
ବାପାଙ୍କ ବିଚରା -Odia Gapa
ବାପା ମୃତ୍ୟୁ ବେଳକୁ ତାଙ୍କର ଜମିକୁ ଦୁଇ ପୁଅଙ୍କୁ ସମାନ ଭାବେ ବାଣ୍ଟିଦେଲେ l ଗେଲ ବସରର ବଡ଼ ପୁଅକୁ ଦେଲେ ଭଲ ଓ ଉର୍ବର ଜମି ଏବଂ ସାନ ପୁଅକୁ ମିଳିଲା ପଥୁରିଆ ଓ ଜମିର ଚକଡା l ଏଭଳି ଜମି ବଣ୍ଟାକୁ ସମସ୍ତେ ସମାଲୋଚନା କଲେ l କିନ୍ତୁ ସାନ ପୁଅ ବାପା କରିଥିବା ବିଚାର କୁ ନେଇ କିଛି କହିଲା ନାହିଁ l
ଦିନ ବିତିଗଲା l ବଡ଼ ପୁଅକୁ ବିଶେଷ କିଛି କରିବାକୁ ପଡିଲାନି l ସେ ଘରେ ବସି ତା ଜମିରୁ ଭଲ ଅମଳ ପାଇଲା ଓ ଆରାମରେ ରହିଲା l କିନ୍ତୁ ସାନ ପୁଅ ତା ଭାଗର ଜମିରୁ ଫସଲ ପାଇବା ଲାଗି ହାଡ଼ ଭାଙ୍ଗିଦେଲା l ଅନେକ ପରିଶ୍ରମ ଓ କୌଶଳ କରି ଜମିକୁ ପାଣି ନେବାର ବ୍ୟବସ୍ଥା କଲା l ଚାଷବାସର କିସମକୁ ନେଇ କେତେ ପରୀକ୍ଷାନିରୀକ୍ଷା କଲା l ଜମିରୁ କେମିତି ଭଲ ଫସଲ ମିଳିବ ସେଥି ଲାଗି ଦିନ ରାତି ଉଦ୍ୟମ କଲା l ଧୀରେ ଧୀରେ ତା ଜମିରେ ଭଲ ଫସଲ ହେଲା l ବଡ଼ ଭାଇ ଭଳି ଭଲ ଅମଳ କଲା l ହେଲେ ସେତେ ବେଳକୁ ଯୁଗ ବିତିଯାଇଥିଲା l
ଦିନକର କଥା l ସାନ ଭାଇକୁ କେହି ଜଣେ କହିଲା – ତୁମ ବାପା ତୁମ ପ୍ରତି କେତେ ଅନ୍ୟାୟ କରିଛନ୍ତି ?
ସାନ ପୁଅ କହିଲା – ଚୁପ କର l ବାପା ଜାଣିଥିଲେ ଯେ ଏ ଜମିରୁ କେବଳ ତାଙ୍କ ସାନ ପୁଅ ହିଁ ଫସଲ ଉପୁଜାଇ ପାରିବ l ତେଣୁ ସେ ମୋତେ ତାହା ଦେଇଥିଲେ l ସେହି ଜମି ଚକଡାକ ଦେଇ ବାପା ମୋତେ ଯାହା ଶିଖାଇ ଦେଇଛନ୍ତି, ତାହା କୌଣସି ଗୁରୁ ଶିଖାଇ ପାରିବେ ନାହିଁ l ଏହି ଜମି ମୋତେ ଗଢ଼ିଛି l
ବୃଦ୍ଧଙ୍କ ଉତ୍ତର – Odia Gapa
ଜଣେ ବୃଦ୍ଧ ପ୍ରତିଦିନ ମନ୍ଦିର ଆସୁଥିଲେ l ବୃଦ୍ଧ ଜଣକ ଆସୁଥିଲେ ନିକଟସ୍ଥ ବୃଦ୍ଧାଶ୍ରମରୁ l ଦିନେ ପୂଜକ ପଚାରିଲେ – ଆଜ୍ଞା, ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି l ବୃଦ୍ଧ କହିଲେ – ମୋ ପୁଅ ବୋହୂ ଓ ନାତି l
ପୂଜକ ପଚାରିଲେ – ସେମାନେ ଏବେ କେଉଁଠି ? ବୃଦ୍ଧ କହିଲେ – ସେମାନେ ଏଇ ପାଖ ସହରରେ ରହନ୍ତି l ପୂଜକ କହିଲେ – ଆପଣ ଯାହାଙ୍କ ନାମରେ ବେଳେ ବେଳେ ପୂଜା କରନ୍ତି, ସେ କିଏ ?
ବୃଦ୍ଧ କହିଲେ – ସେ ମୋର ପୁଅ l ପୂଜକ ଟିକିଏ ବିସ୍ମିତ ହୋଇ କହିଲେ – ପଚାରୁଛି ବୋଲି କିଛି ଖରାପ ଭାବିବେ ନାହିଁ l ଆପଣଙ୍କ ପୁଅ ଆପଣଙ୍କୁ ଆଣି ଏଠାରେ ପରିତ୍ୟକ୍ତ ଭାବେ ଛାଡିଦେଇଗଲେ, ଅଥଚ ଆପଣ ତା’ରି ମଙ୍ଗଳ ଲାଗି ପ୍ରତି ଦିନ ପୂଜା କରୁଛନ୍ତି l
ବୃଦ୍ଧ କିଛି ସମୟ ନିରବ ରହି କହିଲେ – ସତ କହିବି ? ମୋ ପୁଅ ମୋତେ ପରିତ୍ୟକ୍ତ କରିଦେଲା ପରେ ମୋ ମନରେ ଅନେକ ଦିନ ଧରି ପ୍ରତିକ୍ରିୟା ସୃଷ୍ଟି ହେଲା l ମୋ ମନ ଘୃଣାରେ ଭରିଗଲା l କିନ୍ତୁ ଦିନେ ହଠାତ ଭାବିଲି ତା’ର ଏଭଳି ଆଚରଣ ପରେ ମୁଁ ଯଦି ସେଇ ସମାନ ଆଚରଣ କରେ ତେବେ ଆମ ଭିତରେ ଫରକ କଣ ରହିଲା ? ତେଣୁ ସେ ମୋତେ ଭଲ ନ ପାଇଲେ ବି ମୁଁ ସେଥି ପ୍ରତି ଧ୍ୟାନ ଦେବି ନାହିଁ l ସେହି ଦିନ ଠାରୁ ମୁଁ ଶାନ୍ତିରେ ଅଛି l ମନରେ ଆଉ ସେ ଜ୍ୱାଳା ନାହିଁ l
ଏମିତି ଋଣ ଶୁଝେନା -Odia Gapa
ଜଣେ ଯୁବକ ଭାଗ୍ୟର ତଲାସରେ ରାଜଧାନୀକୁ ବାହାରିଲେ l ସଂଭ୍ରାନ୍ତ ବଂଶଯ ଯୁବକ ଜଣକ ଘୋଡା ପିଠିରେ ଯାଉଥିଲେ l ବାଟରେ ଅନ୍ଧାର ହୋଇଗଲା l କେଉଁଠି ଆଶ୍ରୟ ନେବେ ବୋଲି ଚିନ୍ତା କଲେ l ସେତିକି ବେଳେ ଜଣେ ଅତ୍ୟନ୍ତ ଦରିଦ୍ର ବ୍ୟକ୍ତି ତାଙ୍କୁ ନିଜ କୁଡ଼ିଆରେ ଆଶ୍ରୟ ଦେଲେ l ଉଚ୍ଚ କୁଳଶୀଳ ଯୁବକର ଯେମିତି କିଛି ଅସୁବିଧା ନ ହୁଏ, ସେଥି ଲାଗି ସେ ନିଜେ ଉପାସ ରହିଲେ ଓ ବାହାରେ ଶୋଇଲେ l କିନ୍ତୁ ଯୁବକକୁ ଖାଦ୍ୟ ଓ ଶଯ୍ୟା ଦେଲେ l ଗଲା ବେଳେ ଯୁବକ କହିଲେ ଏ ଋଣ ମୁଁ ଶୁଝିପାରିବିନି l
ଅନେକ ବର୍ଷ ବିତିଗଲା l ଯୁବକ ଜଣକ ଅତ୍ୟନ୍ତ ସଫଳ ହୋଇ ଶେଷରେ ରାଜାଙ୍କ ମନ୍ତ୍ରୀ ବି ହେଲେ l ତେବେ ସେ ସେଇ ରାତି କଥା ଭୁଲି ନ ଥିଲେ l ତେଣୁ ସେ ଏବେ ସ୍ଥିର କଲେ ଯେ ସେହି ଦରିଦ୍ର ଲୋକଙ୍କ ପାଖକୁ ଯିବେ l
ତ ଦିନେ ସେ ତାଙ୍କ ପାଖରେ ପହଞ୍ଚିଲେ ଓ ପଚାରିଲେ – ଚିହ୍ନି ପାରୁଛନ୍ତି ?
ଦରିଦ୍ର ଲୋକ ଜଣକ ଉତ୍ତର ଦେଲେ – ଆଜ୍ଞା, ଆପଣ ହେଉଛନ୍ତି ଆମ ରାଜାଙ୍କ ମନ୍ତ୍ରୀ l
ଯୁବକ କହିଲେ – ତେବେ, ଆପଣ ସେଇ ତରୁଣକୁ ଭୁଲି ଯାଇଛନ୍ତି, ଯାହାକୁ ଆପଣ ଦରକାର ବେଳେ ଆଶ୍ରୟ ଦେଇଥିଲେ !!
ଦରିଦ୍ର ବ୍ୟକ୍ତି ଜଣକ କହିଲେ – ନା, ମୁଁ ଭୁଲିନାହିଁ l ଆପଣଙ୍କ ସେ ଦିନର କଥା ମନେ ଅଛି l ଏବେ ଯୁବକ କହିଲେ – ଧନ୍ୟବାଦ l ଏବେ ମୋର ଋଣ ଶୁଝିବାର ବେଳ l ଆପଣ ଯାହା ଚାହାଁନ୍ତି ମାଗନ୍ତୁ l ମୁଁ ଦେବି l
ଦରିଦ୍ର ଲୋକ କହିଲେ – ମୁଁ ଜାଣେ ଆପଣ ଦେଇପାରିବେ l କିନ୍ତୁ ଆପଣ ସେ ଋଣ ଶୁଝିପାରିବେ ନାହିଁ l କାରଣ ଆପଣ ଯେଉଁ ପରିସ୍ଥିତିରେ ଯେଉଁ ଭଳି ବ୍ୟକ୍ତି ଠାରୁ ଉପକାର ପାଇଥିଲେ, ତାକୁ ଶୁଝାଯିବା ଅସମ୍ଭବ l ଏମିତି ଋଣ ଶୁଝେନା l
ଆଜି ଅଛି , କାଲି ନାହିଁ – Odia Gapa
ଜଣେ ବୈରାଗୀ ଗୁରୁ କୁଡ଼ିଆରେ ରହୁଥିଲେ l ଆଶାବାବପତ୍ର ବୋଲି ତାଙ୍କର କିଛି ନଥିଲା l ଘରେ କବାଟ ଲାଗି ନ ଥିଲା l ସେ କହୁଥିଲେ ମୁଁ ନିଜେ ଗୋଟିଏ ଯାତ୍ରୀ, ଏବଂ ଏ ଘରଟି ଏକ ସରାଇଖାନା l ତେଣୁ ଏତେ କଥା କାହିଁକି ?
ତେବେ ତାଙ୍କ ପାଖରେ ଥିଲା କିଛି ଅତି ବିରଳ ପାଣ୍ଡୁଲିପି l ସେ ସବୁକୁ ସେ ବହୁତ ଭଲ ପାଉଥିଲେ l ସେ ସବୁବେଳେ ରହୁଥିଲା ଘରର ଗୋଟିଏ ଥାକରେ l ଅନେକ ସମୟରେ ସେ ତହିଁରୁ କିଛି ବାହାର କରି ପଢୁଥିଲେ ଏବଂ ଝାଡାଝାଡି କରି ରଖୁଥିଲେ l ତାଙ୍କ ଶିଷ୍ୟମାନେ ପରସ୍ପର ଭିତରେ କଥା ହେଉଥିଲେ ଯେ ଗୁରୁଙ୍କର ଗୋଟିଏ ପାର୍ଥିବ ଆକର୍ଷଣ ରହିଛି l ତାହା ହେଉଛି ଏ ପାଣ୍ଡୁଲିପି l
ଦିନକର କଥା ଦୈବାତ କୁଡ଼ିଆରେ ନିଆଁ ଲାଗିଗଲା l ସେଇ ସମୟରେ କୁଡ଼ିଆରେ କେହି ବି ନଥିଲେ l ଶିଷ୍ୟମାନଙ୍କ ସହ ଗୁରୁ ଫେରିବା ବେଳକୁ ସବୁ କିଛି ସରିଯାଇଥିଲା l ଶିଷ୍ୟମାନେ ମୁଣ୍ଡରେ ହାତ ଦେଇ ବସିପଡିଲେ l କିନ୍ତୁ ଯେମିତି କିଛି ହୋଇନାହିଁ ଭଳି ଆଚରଣ କରି ଗୁରୁ ଆଉ ଗୋଟିଏ କୁଡ଼ିଆ ତିଆରି କରିବାକୁ ଲାଗିଲେ l
ଗୁରୁଙ୍କ ପ୍ରିୟ ଶିଷ୍ୟ ପଚାରିଲେ – ମହାଶୟ, ଆପଣଙ୍କ ପାଣ୍ଡୁଲିପିସବୁ ଜଳିଗଲା l ଆପଣଙ୍କ ମନରେ କଷ୍ଟ ଆସୁନାହିଁ l
ଗୁରୁ କହିଲେ – ଆଜି ଠାରୁ ଶହେ ବର୍ଷ ଆଗକୁ ଦେଖ l ମୁଁ ଅଛି କି ? ଯଦି ଏମିତି ଦିନ ଆସିବ ଯେ ମୁଁ ନଥିବି, ପାଣ୍ଡୁଲିପି ଗୁଡିକ ପାଇଁ ଘାଣ୍ଟି ହେବି କାହିଁକି ? ଯଦି ଏହା ବୁଝିବ ଯେ ସବୁ କିଛି ଆଜି ଅଛି, କାଲି ନାହିଁ ; ତେବେ ହାଲୁକା ରହିବ l
ଭୟ ବି ଭଲ – Odia Gapa
ଜଣେ ବ୍ୟକ୍ତି ଗୁରୁଙ୍କୁ କହିଲେ – ମହାଶୟ, ମୋ ଭିତରେ ଗୋଟିଏ ଦୁର୍ବଳତା ରହୁଛି l ତାହା ହେଲା, ମୁଁ ଡରୁଆ ବୋଲି ମୋର ଧାରଣା l ମୋ ମନରୁ ଡର ଦୂର କରନ୍ତୁ l ଗୁରୁ କହିଲେ – ଠିକ ଅଛି l ତୁମକୁ ଗପଟିଏ କହୁଛି l ତାହା ଶୁଣିଲେ ତୁମେ ଟିକିଏ ପରିଷ୍କାର ଭାବେ କିଛି ଚିନ୍ତା କରିପାରିବ l
ଗୋଟିଏ ଜଙ୍ଗଲରେ ଠେକୁଆ ପରିବାରଟିଏ ଥିଲେ l ସେମାନେ ଥିଲେ ତାଙ୍କ ଅଞ୍ଚଳର ସବୁଠାରୁ ପୁରୁଣା ବାସିନ୍ଦା l ସେମାନେ ଯେତେବେଳେ ସେଠାରେ ରହିଲେ, ସେ ଅଞ୍ଚଳରେ ଆଉ କୌଣସି ଜୀବଜନ୍ତୁ ନ ଥିଲେ l ତେଣୁ ସେମାନେ ନିର୍ଭୟରେ ବୁଲାବୁଲି କରୁଥିଲେ l ଦିନେ ଦଳର ମୁଖିଆ ବୁଢ଼ା ଠେକୁଆ ଆସି କହିଲା ଭାଇମାନେ ଶୀଘ୍ର ଲୁଚିଯାଅ l
ଏଭଳି ଲୁଚିବା ଠେକୁଆମାନଙ୍କ ଲାଗି ନୂଆ ଥିଲା l ତଥାପି ସେମାନେ ଲୁଚିଗଲେ l କିଛି ସମୟ ପରେ ମୁଖିଆ କହିଲେ – ଏବେ ବାହାରକୁ ଆସ l
ସମସ୍ତେ ବାହାରକୁ ଆସିବା ପରେ ସେ କହିଲା – ଭାଇମାନେ ସମୟ ବଦଳି ଯାଇଛି l ଗୋଟିଏ କଟାଶ ଆମ ଅଞ୍ଚଳରେ ବୁଲାବୁଲି କରୁଥିବାର ଆଭାସ ପାଇଲି l ଏଣିକି ଆଉ ଆଗ ଭଳି ନିର୍ଭୟରେ ବୁଲାବୁଲି କରିହେବନାହିଁ l
ଏ କଥାକୁ ଦଳର କିଛି ଯୁବକ ନାପସନ୍ଦ କରି କହିଲେ – ଆମେ ଯେମିତି ଖୁସିରେ ବୁଲୁଥିଲେ ସେମିତି ବୁଲିବା l ବୁଢା ମହା ଡରୁଆ l କହିବା ବାହୁଲ୍ୟ ଯେଉଁମାନେ ବୁଢ଼ା କଥାରେ ଭୟାଳୁ ଥିଲେ ବଞ୍ଚି ପାରିଲେ l ତେଣୁ ଅଯଥା ଭୟ ସିନା ଭଲ ନୁହେଁ l କିନ୍ତୁ ଯଥାର୍ଥ ଭୟ ଭଲ l
ଧନୀ ଧରମ ଦାସ – Odia Gapa
ଜଣେ ଅତ୍ୟନ୍ତ ଧନୀ ବ୍ୟକ୍ତି ଥିଲେ l ତାଙ୍କ ନାମ ଥିଲା ଧରମ ଦାସ l ଲୋକେ ତାଙ୍କୁ ଡାକୁଥିଲେ ଧନୀ ଧରମ ଦାସ l ସେ ସନ୍ଥ କବି କବୀରଙ୍କୁ ବହୁତ ଭଲ ପାଉଥିଲେ l ତେଣୁ ସେ କବୀରଙ୍କ ନିକଟକୁ ବରାବର ଆସୁଥିଲେ l କବୀର କିନ୍ତୁ ତାଙ୍କୁ ସର୍ବଦା କେବଳ ତାଙ୍କୁ ଧରମ ଦାସ ବୋଲି ଡାକୁଥିଲେ l
ଦିନେ କ’ଣ ହେଲା କେଜାଣି କବୀରଙ୍କ ସହ କଥାବାର୍ତ୍ତା ହୋଇ ଫେରିବା ବାଟରେ ତାଙ୍କ ଭାବାନ୍ତର ଆସିଲା l ତାଙ୍କ ମନରେ ଫୁଲର ସୁଗନ୍ଧ ଚହଟି ଗଲା l ନିଜ ଭିତରେ ଥିବା ଅପୂର୍ବ ସତ୍ତାକୁ ସେ ଆବିଷ୍କାର କଲେ l ବାହାର ଧନସମ୍ପଦ ତାଙ୍କୁ ତୁଚ୍ଛ ମନେ ହେଲା l ତେଣୁ ଧରମ ଦାସ ସବୁ କିଛି ଦାନ କରିବାକୁ ଲାଗିଲେ l ଦିନ କେଇଟା ଭିତରେ ସେ ନିଃସ୍ଵ ହୋଇଗଲେ l ଲୋକେ ଚମକୃତ ହେଲେ l ସେମାନେ କଥା ହେଲେ ଧନୀ ଧରମ ଦାସ ଗରିବ ହୋଇଗଲେ l
ତା ‘ ପରେ ଧରମ ଦାସ କବୀରଙ୍କ ନିକଟକୁ ଆସିଲେ l କବୀର ତାଙ୍କୁ ଦେଖି ଉତ୍ସାହିତ କଣ୍ଠରେ ସମ୍ବୋଧନ କଲେ – ଧନୀ ଧରମ ଦାସ l ଧରମ ଦାସ ଏହା ଶୁଣି ହସିଦେଲେ l କବୀର ତାଙ୍କୁ ପାଖରେ ବସାଇ କହିଲେ – ତୁମେ ଏବେ ପ୍ରକୃତରେ ଧନୀ ହୋଇ ଉଠିଛ l ପ୍ରଥମ କଥା ତ ତୁମେ ନିଜ ଭିତରେ ଥିବା ଏପରିମେୟ ସମ୍ପଦର ସନ୍ଧାନ ପାଇଲା l ଦ୍ୱିତୀୟରେ ଯାହାକୁ ଲୋକେ ଧନ ବୋଲି କହି ଜାବୁଡି ଧରନ୍ତି, ତାକୁ ପାଦରେ ଆଡେଇ ଦେଇ ତାହା ତୁମ ଲାଗି ମୂଲ୍ୟହୀନ ବୋଲି ପ୍ରମାଣ କରିଦେଲେ l ତୁମ ଠାରୁ ଧନୀ ମୋ ଆଖିରେ ଆଉ କେହି ନାହାନ୍ତି l
ସୁନାର ମୂଲ୍ୟ – Odia Gapa
ଆକବର ରାଜା ଥିଲେ ଖୁଵ ଉଚ୍ଚଭିଳାଷୀ ଓ ଲୋଭୀ l ସେ କେବଳ ରାଜ୍ୟ ଜୟ କରୁନଥିଲେ ରାଜ୍ୟକୁ ଲୁଣ୍ଠନ କରି ଛାରଖାର କରି ଦେଉଥିଲେ l ତାଙ୍କର ଲକ୍ଷ୍ୟ ଥିଲା ପୃଥିବୀର ସବୁ ସୁନାର ମାଲିକ ହେବା l
ଦିନକର କଥା l ଦୂରରେ ଥିବା ଗୋଟିଏ ରାଜ୍ୟକୁ ସେ ଆକ୍ରମଣ କରିବାକୁ ବାହାରିଲେ l ତାକୁ ଆକ୍ରମଣ କରି ବିଧ୍ୱସ୍ତ କରିଦେଲେ ସିନା ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳକୁ ସମସ୍ତେ ସାଙ୍ଘାତିକ ଭାବେ କ୍ଲାନ୍ତ ହୋଇ ପଡ଼ିଥିଲେ l କିନ୍ତୁ ସେତେବେଳକୁ ବିଶ୍ରାମ ନେବାର ଜୁନୁନ ଥିଲା l କାରଣ ସେମାନେ ଥିଲେ ଗୋଟିଏ ବିଶାଳ ମରୁଭୂମିର ମଧ୍ୟ ଭାଗରେ l ସେମାନଙ୍କ ପାଖରେ ପାଣି ସରିବାକୁ ବସିଥିଲା l ଜଣକ ପରେ ଜଣେ ଶୋଷରେ ମରିବାକୁ ଲାଗିଥିଲେ l ଯାହା ପାଣି ଥିଲା ସେଥିରେ କେବଳ ରାଜାଙ୍କୁ ବଞ୍ଚାଇ ରଖାଗଲା l କିନ୍ତୁ ସେତକ ବି ସରିଗଲା l ଏବେ ସମସ୍ତେ ଘୋର ତୃଷାର୍ତ୍ତ, ପାଣି ନ ପାଇଲେ ପ୍ରାଣ ଛାଡ଼ିଯିବ l ଏହି ସମୟରେ ଦିଶିଲା ଗୋଟିଏ କୂଅ l କୂଅରେ ଅନେକ ଗଭୀରରେ ଟିକିଏ ପାଣି ଥିଲା l ବାହାରେ ଦଉଡ଼ିରେ ବନ୍ଧା ହୋଇଥିଲା ଗୋଟିଏ ସୁନାର ପାତ୍ର l ପାଣି ମିଳିଗଲା ବୋଲି ରାଜା ଆତ୍ମହରା ହୋଇଗଲେ l ପାତ୍ରଟି ସୁନାର ହୋଇଥିବା ସତ୍ତ୍ୱେ ରାଜାଙ୍କ ଆଖିରେ ତାହା ପଡିଲା ନାହିଁ l
ଜଣେ ସୈନିକ ପାତ୍ରକୁ କୂଅରେ ପକାଇଲା l କିନ୍ତୁ ତାକୁ ବାହାରକୁ ଟାଣିବା ପରେ ଆର୍ତ୍ତନାଦ କରି କହି ଉଠିଲା ମହାରାଜ, ଏଥିରେ ପାଣି ଆସୁ ନାହିଁ l କାରଣ ଏଥିରେ ରହିଛି ଗୋଟିଏ ବଡ଼ ଛିଦ୍ର l ରାଜା ହତାଶ ଓ କ୍ରୋଧରେ ସୁବର୍ଣ୍ଣ ପାତ୍ରକୁ ଗୋଇଠାଟିଏ ମାରିଲା l
ତୁମର ଶତ୍ରୁ ଓ ମିତ୍ର – Odia Gapa
ଗୌତମ ବୁଦ୍ଧଙ୍କୁ ଆନନ୍ଦ ପଚାରିଲେ – ପ୍ରକୃତ ଶତ୍ରୁ କିଏ ? ତାକୁ ଚିହ୍ନିବା କେମିତି ? ଆନନ୍ଦଙ୍କ ପ୍ରଶ୍ନ ସରିଛି କି ନାହିଁ ଜଣେ କ୍ଷତବିକ୍ଷତ ଯୁବକ ଦୌଡ଼ି ଆସି ସେଠାରେ ଟଳି ପଡିଲା l ଗୌତମ ଓ ଆନନ୍ଦ ଉଭୟେ ଲାଗି ପଡି ତାର ସେବା କଲେ l ପ୍ରଶ୍ନର ଉତ୍ତର ମିଳିଲା ନାହିଁ l
କିଛି ଦିନ ପରେ ଯୁବକଟି ଭଲ ହୋଇଗଲା l ସେଇ ସମୟ ଭିତରେ ବୃଦ୍ଧଙ୍କ କଥା, ଆଚରଣ ଓ ସାନ୍ନିଧ୍ୟରେ ବିମୋହିତ ହୋଇ ସେ ବୃଦ୍ଧଙ୍କ ଶିଷ୍ୟତ୍ୱ ଗ୍ରହଣ କରି ଏକ ଭିକ୍ଷୁରେ ପରିଣତ ହେଲା ଓ ଵୃଦ୍ଧଙ୍କ ସହିତ ରହିଲା l
କିଛି ଦିନ ପରେ ପୁଣି ଆନନ୍ଦ ସେଇ ନୂତନ ପ୍ରଶ୍ନ ପଚାରିଲେ l ଏବେ ବୃଦ୍ଧ ସେଇ ନୂତନ ଭାବେ ଯୋଗ ଦେଇଥିବା ଯୁବକଙ୍କୁ ପ୍ରଶ୍ନ କଲେ – କହ ପ୍ରକୃତ ଶତ୍ରୁ କିଏ ?
ଯୁବକଜଣକ କହିଲେ – ଆଗରୁ ମୁଁ ଥିଲି ଜଣେ ଦୁଷ୍ଟ ଲୋକ l ସେତେବେଳେ ମୋର ଶତ୍ରୁ ଥିଲେ ଏବଂ ମୁଁ ବି ଅନେକଙ୍କ ଶତ୍ରୁ ଥିଲି l କିନ୍ତୁ ମାର୍ଗ ବଦଳାଇ ସତ ପଥରେ ଆସିବା ପରେ ମୋର କେହି ଶତ୍ରୁ ନାହାନ୍ତି l ବୃଦ୍ଧ ଏଇଠି କହିଲେ – ତୁମେ ଯାହା ବୁଝୁଛ ତାହା କେବଳ ଆଂଶିକ ସତ୍ୟ l ଅସଲରେ କଥାଟି ହେଲା କୁପଥରେ ଗଲେ ତୁମେ ହିଁ ତୁମର ଶତ୍ରୁ ହୋଇଯାଅ l ସତ ପଥରେ ଥିଲା ବେଳେ ତୁମେ ହିଁ ତୁମର ପରମ ମିତ୍ର ହୋଇଯାଅ l ଅବାଟରେ ଗଲେ ବିଭିନ୍ନ ଆଡୁ ତୁମ ପ୍ରତି କ୍ଷତି ପହଞ୍ଚେ l ସେହି କ୍ଷତି ବାହାରୁ ଆସୁଥିଲେ ବି ପ୍ରକୃତରେ ତୁମେ ହିଁ ଏହାର କାରଣ l ସୁମାର୍ଗରେ ଗଲେ ତୁମେ କେବଳ ଶ୍ରଦ୍ଧା ଓ ଭକ୍ତି ପାଅ l ଏ ସବୁ ପାଇବା ପଛରେ ବି କାରଣ କେବଳ ତୁମେ l ତେଣୁ ବାହାରେ ଶତ୍ରୁକୁ ଖୋଜ ନାହିଁ l କେବଳ ତୁମେ ହିଁ ତୁମର ପରମ ମିତ୍ର ବା ଚରମ ଶତ୍ରୁ l
10 Short Odia Gapa
10 Short Odia Gapa, 10 Short Odia Gapa, 10 Short Odia Gapa, 10 Short Odia Gapa, 10 Short Odia Gapa, 10 Short Odia Gapa, 10 Short Odia Gapa, 10 Short Odia Gapa, 10 Short Odia Gapa, 10 Short Odia Gapa, 10 Short Odia Gapa, 10 Short Odia Gapa, 10 Short Odia Gapa, 10 Short Odia Gapa, 10 Short Odia Gapa, 10 Short Odia Gapa,