Odia Story Value of Money

Odia Story Value of Money

Odia Story Value of Money

Facebook
WhatsApp
Telegram

Odia Story Value of Money: It was Prashant’s business to give loans. He spoke so sweetly that people would run to Prashant, even if they needed little. Many people came to borrow money. Gradually their number increased. Therefore, there were four clerks to write down the names of the borrowers and collect the loan money. to l

ଧନର ମୂଲ୍ୟ

କରଜ ଦେବା ପ୍ରଶାନ୍ତଙ୍କର ବ୍ୟବସାୟ ଥିଲା l ସେ ଏତେ ମଧୁର ଭାବରେ କଥା କୁହନ୍ତି ଯେ ଲୋକେ, ଅଳ୍ପ ଦରକାର ହେଲେ ବି ପ୍ରଶାନ୍ତଙ୍କ ନିକଟକୁ ଦୌଡ଼ିବେ l ବହୁତ ଲୋକ ଟଙ୍କା କରଜ ନେବାକୁ ଆସନ୍ତି l କ୍ରମେ ସେମାନଙ୍କ ସଂଖ୍ୟା ବଢିଚାଲିଲା l ତେଣୁ ସେଥିପାଇଁ ଗୁମାସ୍ତା ଚାରିଜଣ ରହିଥାନ୍ତି, କରଜ ନେଉଥିବା ଲୋକଙ୍କର ନାମଧାମ ଲେଖିବାକୁ ଓ କରଜ ଟଙ୍କା ଆଦାୟ କରିବାକୁ l ପ୍ରଶାନ୍ତଙ୍କର ଏହି କରଜ ଦେବାର ବ୍ୟବସାୟ ଦେଖି ସେହି ଗ୍ରାମର ଅନ୍ୟ କେତେକ ଲୋକ ଭାବିଲେ ହେ ସେହିପରି ଟଙ୍କା କରଜ ଦେଇ ସୁଧ ଟଙ୍କାରେ ଘରେ ବସି କିଛି କାମ ନକରି ଆରାମରେ ଚଳିବେ l କିନ୍ତୁ ଯେଉଁ ବ୍ୟକ୍ତି କରଜ ନେଇଥାଏ ତା’ ଠାରୁ ଟଙ୍କା ଆଦାୟ କରିବା ଗୋଟାଏ ବିଦ୍ୟା କହିଲେ ଚଲେ l ସେ ବିଦ୍ୟାତ ଆଉ ସମସ୍ତେ ଜାଣି ନଥାନ୍ତି l ଚନ୍ଦ୍ରକାନ୍ତ ନାମକ ଜଣେ ବ୍ୟକ୍ତି, ସେହି ଗ୍ରାମର ବାସିନ୍ଦା, ତାଙ୍କର କିଛି ଧନ ଥାଏ l ସେ ଚାହିଁଲେ ଏହିପରି କିଛି ଏକା ବ୍ୟବସାୟ କରି ଟଙ୍କା ଅର୍ଜନ କରିବେ l

ବହୁତ ଭାବି ଭାବି ସେ ଶେଷରେ ଏହା ଠିକ କଲେ ଯେ ସେ ଏଥର ଟଙ୍କା କରଜ ବ୍ୟବସାୟ କରିବେ l ସେ ଭାବିଲେ, ” ପ୍ରଶାନ୍ତ ତ ଶହେ ଟଙ୍କାରେ ପନ୍ଦର ଟଙ୍କା ସୁଧ ନେଉଛନ୍ତି, ମୁଁ ଯଦି ସାଢେ ସାତ ଟଙ୍କା ସୁଧ ନିଏ, ତେବେ ମୋ ପାଖକୁ ବେଶି ଲୋକ ଆସିବେ l ମୋ ପ୍ରତି କୃତଜ୍ଞ ରହିବେ l ” ଏହି କଥା ସେ ତାଙ୍କ ସ୍ତ୍ରୀ ସୁଜାତାଙ୍କୁ ବି କହିଲେ l ସୁଜାତା ବହୁତ ବୁଦ୍ଧିମତୀ l ସେ କହିଲେ, ” ତୁମେ ଯଦି ଏପରି କରଜ ଦେବ ତ ବହୁତ ଲୋକ ଆମ ପାଖକୁ ଆସିବେ, କିନ୍ତୁ ଆମର ଯେତେକ ସମ୍ପତ୍ତି ଅଛି ସେସବୁ ନଷ୍ଟ ହୋଇଯିବ l ଦେଖୁ ଦେଖୁ ଆମେ ଦରିଦ୍ର ହେଇଯିବା l ପ୍ରଶାନ୍ତ ଟଙ୍କା ଆଦାୟ କରିବାରେ ହଇରାଣ ହେଇଯାଏ l ତମେ ଏତେ କମ ସୁଧରେ ଟଙ୍କା ଦେଲେ ବହୁତ ଲୋକ ଆସିବେ ଓ ତମେ ଟଙ୍କା ଆଦାୟ କରିବାରେ ବଡ଼ ହଇରାଣ ହେବେ l ପୁଣି ପ୍ରଶାନ୍ତ ଆମର ବନ୍ଧୁବାନ୍ଧବ l ତା’ ମନ ଭିତରେ ଆମ ପ୍ରତି ଖରାପ ଭାବ ଆସିବ l ଧର୍ମରାଜ ଯୁଧିଷ୍ଠିର ଯୁଦ୍ଧ ଜିତିବା ପାଇଁ ଶତ୍ରୁପକ୍ଷର ବ୍ୟକ୍ତି ଭୀଷ୍ମଙ୍କ ପାଖକୁ ଯାଇଥିଲେ l ତେଣୁ ତୁମେ ମଧ୍ୟ ପ୍ରଶାନ୍ତପାଖକୁ ଯାଇ ତାଙ୍କର ମତାମତ ନେଇ ଯାହା କରିବାର କର l “

ସୁଜାତାଙ୍କର କଥାର ସତ୍ୟତା ଚନ୍ଦ୍ରକାନ୍ତ ଉପଲବ୍ଧି କଲେ l ସେ ପ୍ରଶାନ୍ତଙ୍କ ପାଖକୁ ଯାଇ ତାଙ୍କୁ ସମସ୍ତ କଥା କହିଲେ l ପ୍ରଶାନ୍ତ ସବୁ ଶୁଣି କହିଲେ, ” ଭଲ ହେଲା ତୁମେ ମୋ ପାଖକୁ ଆସିଲ, ଟଙ୍କା କରଜ ଦେବା ଓ ସୁଧ ଆଦାୟ କରିବା ଏକ ବିରକ୍ତିକର କାମ l ଖଣ୍ଡାଧାରରେ ଚାଲିବା ଯାହା ସେ କାମ କରିବା ତାହା l ତେଣୁ ବରଂ ତୁମେ ତୁମ ଟଙ୍କା ସବୁ ମୋତେ ଦେଇଦିଅ l ମୁଁ ତ ଆଉ ତୁମକୁ ଠକିବି ନାହିଁ l ଶହେ ଟଙ୍କାରେ ଦଶ ଟଙ୍କା ସୁଧ ଦେବି l ତୁମେ ଘରେ ଅଚିନ୍ତା ହୋଇ ବସି ଖୁସିରେ ସୁଧ ଟଙ୍କା ପାଉଥିବ l କିନ୍ତୁ ଗୋଟିଏ ସର୍ତ୍ତ l ତୁମେ ପାଞ୍ଚବର୍ଷ ପର୍ଯ୍ୟନ୍ତ ମୂଳ ଟଙ୍କା ଆଦୌ ମାଗିବ ନାହିଁ l “

ଚନ୍ଦ୍ରକାନ୍ତ ଭାବିଲା, ” ପ୍ରକୃତରେ ଇଏ ତ ଅତି ସହଜ କଥା l ମୁଁ ତ ସାଢେ ସାତ ଟଙ୍କା ଦେବାକୁ ଚାହିଁଥିଲି l ପ୍ରଶାନ୍ତ ତ ହେଲେ ଦଶ ଟଙ୍କା ଦେଉଛି l ସବୁ ଭଲ ଯେ ଯଦି ପଞ୍ଚବର୍ଷ ମଧ୍ୟରେ ଟଙ୍କା ଦରକାର ପଡିଲେ କ’ଣ କରାଯିବ ? ” ନିଜ ମନରେ ଥିବା ଏହି ସନ୍ଦେହ କୁ ସେ ପ୍ରଶାନ୍ତ ଙ୍କୁ କହିଲେ l ପ୍ରଶାନ୍ତ କହିଲେ, ” ଏଥିରେ ଭୟ କରିବାର କଣ ଅଛି ? ତମର ଯେତେବେଳେ ଦରକାର ହେବ, ତମେ ମୋ ଠାରୁ ଟଙ୍କା ନବ, କିନ୍ତୁ ବାହାର ଲୋକଙ୍କ ପରି କରଜ ସୂତ୍ରରେ ନବ l ସେତେବେଳେ ମୁଁ ତୁମଠାରୁ ସାଢେବାର ଟଙ୍କା ମାତ୍ର ସୁଧ ନେବି l ଆଉ ଯଦି ତୁମେ ଶୀଘ୍ର ଟଙ୍କା ଫେରାଇ ଦିଅ ତ କମ ଟଙ୍କା ହାତରୁ ଦେବ l “

ପ୍ରଶାନ୍ତଙ୍କ କଥା ଶୁଣି ତାଙ୍କ ମୁଣ୍ଡ ଘୁରିଗଲା l ସେ ସେଠାରୁ ଯାଇ ସୁଜାତାଙ୍କୁ ସବୁ କଥା କହିଲେ l ସୁଜାତା ଏଥିରେ ଖୁସି ହୋଇ କହିଲେ, ” ପ୍ରତି ବର୍ଷ ତ ଘରଖର୍ଚ୍ଚ ଠାରୁ ଅଧିକ ପଇସା କ୍ଷେତବାଡିରୁ ମିଳୁଛି l ତାଛଡା ନିଜର ଟଙ୍କା ମଧ୍ୟ ଅଛି l ତେଣୁ ତାଙ୍କୁ କିଛି ଟଙ୍କା ଦେଇ ଆରାମରେ ଘରେ ବସି ସୁଧ ପାଇବା l ପାଞ୍ଚବର୍ଷ ଯାଉ l ଆମେ ତ କିଛି କଷ୍ଟ ନକରି ଟଙ୍କା ପାଇବା l ସେଥିରେ କ’ଣ ଅଛି ? ପୁଣି ଏପରି ସହଜରେ ଟଙ୍କା ପାଇବା ପରେ ଆମର ଇଚ୍ଛା ହେବ ବେଶି ଟଙ୍କା ଆଣି ତାଙ୍କୁ ଦେବାକୁ l ସୁଧମୂଳ ଆଦାୟ କରିବାର ଚିନ୍ତା ତ ରହିବ ନାହିଁ l ସେଇଟା ତ ବଡ଼ କଥା, ପୁଣି ଟଙ୍କା ମଧ୍ୟ ବଢି ଚାଲିବ l ” ସ୍ତ୍ରୀର କଥା ଶୁଣି ଚନ୍ଦ୍ରକାନ୍ତ ଆଉ ଅଧିକ ଚିନ୍ତା ନକରି କିଛି ଟଙ୍କା ପ୍ରଶାନ୍ତକୁ ଦେଇଦେଲେ l

ଚନ୍ଦ୍ରକାନ୍ତଙ୍କର ବନ୍ଧୁ ଓ ପଡୋଶୀ ବୀରଭଦ୍ରଙ୍କର ଯେତିକି ଆମଦାନୀ ତା’ ଠାରୁ ବେଶି ଖରଚ ହୋଇଯାଏ l ତେଣୁ ବେଳେବେଳେ ସେ ଚନ୍ଦ୍ରକାନ୍ତଙ୍କ ଠାରୁ ଟଙ୍କା ଧାର ନିଅନ୍ତି l ତାଙ୍କୁ ଚନ୍ଦ୍ରକାନ୍ତ କହିଲେ, “ଅନାବଶ୍ୟକ ଖର୍ଚ୍ଚ କର ନାହିଁ l ବର୍ଷ ଶେଷରେ ଯାହା ଟଙ୍କା ବଳିବ ସେତକ ପ୍ରଶାନ୍ତଙ୍କୁ ଦେଇ ଦିଅ l ଦେଖିବ, ତମର ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ l ପ୍ରଶାନ୍ତଙ୍କ ପାଖରେ ଟଙ୍କା ରଖିଲେ ସେ ତୁମକୁ ସୁଧ ଦେବେ ପୁଣି ଟଙ୍କା ଓ ସୁଧ ଆଦାୟ କରିବାର ଚିନ୍ତା ନାହିଁ l ପ୍ରଶାନ୍ତ ବହୁତ ସାଧୁ ଲୋକ l ଏକଥା ମୁଁ ତୁମକୁ ଜୋର ଦେଇ କହିପାରିବି l ଘରେ ବସି ସୁଧ ଟଙ୍କା ପାଇବ l ଟଙ୍କା ଆପେ ଆପେ ବଢୁଥିବ l ତୁମର କିଛି କଷ୍ଟ କରିବାର ନାହିଁ, କ’ଣ ଏହା ଭଲକଥା ନୁହେଁ କି ?”

ବୀରଭଦ୍ର ଏକଥା ଯାଇ ତାଙ୍କ ସ୍ତ୍ରୀ ବୀଣାକୁ କହିଲେ l ବୀଣା କହିଲା, ” ପ୍ରତ୍ୟେକ ଲୋକର ଧନ ଅର୍ଜନ କରିବାର ପଦ୍ଧତି ଭିନ୍ନ l କେହି ଧନକୁ ସୁରକ୍ଷିତ ରଖି ସୁଖୀ ହୁଅନ୍ତି l କିଏ ବା ଖର୍ଚ୍ଚ କରି ସୁଖୀ ହୁଅନ୍ତି, ଆମେ ଦ୍ୱିତୀୟ ପ୍ରକାରର l ” କିଛିଦିନ ପରେ ବୀରଭଦ୍ର ଫସଲରୁ ହଠାତ ଚାରିହଜାର ଟଙ୍କା ଅଧିକା ପାଇଲେ l ବୀଣା ସେତିକି ଟଙ୍କାରେ ନିଜର ହୀରାର ହାରଟିଏ ବନାଇବାକୁ ବଣିଆ ପାଖକୁ ଗଲା l ବଣିଆ କହିଲା ଏଥିଲାଗି ପୁରା ପଞ୍ଚାହଜାର ଲାଗିବ l ବୀଣା ତାର ସ୍ୱାମୀ ବୀରଭଦ୍ରକୁ କହିଲା, ” ତୁମ ବନ୍ଧୁ ଚନ୍ଦ୍ରକାନ୍ତ ଏବେ ନଡ଼ିଆ ବିକି ପଞ୍ଚାହଜାର ପାଇଛନ୍ତି ଯାଅ ତାଙ୍କଠାରୁ କରଜ ଆଣିବ l ସେ ଟଙ୍କା ସେ ଏବେ ମଧ୍ୟ ପ୍ରଶାନ୍ତକୁ ଦେଇନାହାନ୍ତି l “

ଏକଥା ଶୁଣି ବୀରଭଦ୍ର ଯାଇ ପ୍ରଶାନ୍ତଙ୍କୁ ସବୁକଥା କହିଲେ l ପ୍ରଶାନ୍ତ ତାଙ୍କ କଥା ଶୁଣି କହିଲେ, ” ହାରାହାରି କରି କାହିଁକି ବଜେ ଖର୍ଚ୍ଚ କରିବ ? ” ଦେଖ ବୀରଭଦ୍ର ହୀରାହାରଟିଏ ପିନ୍ଧିଲେ କଣ ତୁମ ସ୍ତ୍ରୀ ଧନୀ ହୋଇଯିବେ ? ମୋ ସ୍ତ୍ରୀକୁ ମୁଁ ଦୁଇଟା ହୀରାହାର ଦେଇ ପାରିଥାନ୍ତି l କିନ୍ତୁ ତାହା ଅଯଥା ଖର୍ଚ୍ଚ l ଏବେ ତୁମର ପିଲାଟିଏ ହେଲାଣି ଭବିଷ୍ୟତ ପାଇଁ କିଛି ରଖ l ଉପାର୍ଜନ ତ ତୁମର ବେଶ ହୋଇଛି l ଅଥଚ ବଦ ଖର୍ଚ୍ଚ ଯୋଗୁଁ ଟଙ୍କା ନିଅଣ୍ଟ ପଡୁଛି l ଟଙ୍କା ରଖିବା ପରେ ଘର ଖର୍ଚ୍ଚ ଯାଇ ଯାହା ବଳିବ ସେଥିରେ ହାରଟିଏ କଲେ ଭଲ ହୋଆନ୍ତା ନାହିଁ l ଟଙ୍କା ନିଅଣ୍ଟ ପଡିବା ବେଳେ ହାରଟିଏ ପିନ୍ଧିବାରେ କି ଆନନ୍ଦ ଥାଏ ତ କାହିଁ କିଛି ବୁଝିପାରୁନାହିଁ l ଟଙ୍କା ଗୋଡ଼ାଏ ଅଯଥା ଖର୍ଚ୍ଚ, ବରଂ ସେ ଟଙ୍କା ଯାଇ ଚନ୍ଦ୍ରକାନ୍ତଙ୍କୁ ଦେଇ ଦିଅ l “

ବୀରଭଦ୍ର କହିଲେ, ” ଦେଖ ମୁଁ କେଉଁଠି ଟଙ୍କା ଖର୍ଚ୍ଚ କଲେ ଅଧିକ ସନ୍ତୋଷ ପାଇବି ସେକଥା ତୁମେ କିପରି ବୁଝିବ ? ମୁଁ ହୀରା ହାର ନ ଦେଲେ ମୋ ସ୍ତ୍ରୀର ମନ ଭାରି ଦୁଃଖ ହେବ l ଟଙ୍କା ପାଇଁ ତା ମନରେ ଦୁଃଖ ଦେବାଭଳି ଲୋକ ମୁଁ ନୁହଁ l ତା’ ପରେ ଟଙ୍କା କଣ ହବ, ଯଦି କାମରେ ନ ଲାଗିଲା ? ” ଚନ୍ଦ୍ରକାନ୍ତ କହିଲେ, ” ଆଜ୍ଞା ତେବେ ଗୋଟିଏ କାମ କରାଯାଉ l ତୁମ ସ୍ତ୍ରୀକୁ ଖୁସି କରିବା ଯେବେ ଏତେ ଜରୁରୀ ତେବେ ମୋ ଟଙ୍କା ମୁଁ ପ୍ରଶାନ୍ତଙ୍କୁ ଦେଇ ଦଉଛି l ତୁମ ପାଇଁ ତାଙ୍କ ଠାରୁ ଟଙ୍କା ଧାର ଆଣିଦେଵି l କାରଣ ତୁମେ ଧାର କଲେ ଶହେ ଟଙ୍କାରେ ପନ୍ଦର ଟଙ୍କା ସେ ସୁଧ ପାଇବ l ମୁଁ ଧାର କଲେ ସାଢେ ବାରଟଙ୍କା ନେବ, କାରଣ ମୋର ମୂଳଧନ ରହିଛି l ତେଣୁ ତୁମେ ଅଡ଼େଇ ଟଙ୍କା ଶସ୍ତାରେ ପାଇବ l ଏବେ କୁହ ତୁମର ଇଚ୍ଛା କଣ ? “

ଏକଥା ସତ୍ୟ ଯେ ବୀରଭଦ୍ର ବହୁତ ଖର୍ଚ୍ଚ କରନ୍ତି l କିନ୍ତୁ ଏମିତି ସୁଧ ଦେଇ କରଜ ଆଜି ପର୍ଯ୍ୟନ୍ତ ସେ କେବେବି କରି ନାହାନ୍ତି l କିନ୍ତୁ ଜଣେ ବନ୍ଧୁ ଯଦି ଏପରି ପ୍ରସ୍ତାବ ଦେଉଛି ଏବଂ ତାଙ୍କର ଟଙ୍କା ଆଣିବା ମଧ୍ୟ ଜରୁରୀ l ତେଣୁ ବାଧ୍ୟ ହୋଇ ତାଙ୍କ ପ୍ରସ୍ତାବ ମାନିନେଲେ l ତା’ ପରେ ଚନ୍ଦ୍ରକାନ୍ତ ପ୍ରଶାନ୍ତଙ୍କୁ ନିଜର ଟଙ୍କା ଜମାଦେଲେ l ବୀରଭଦ୍ର ପାଇଁ କରଜ ଆଣିଲେ l ବୀରଭଦ୍ରର ସ୍ତ୍ରୀ ବୀଣା କହିଲା, ” ମନେହୁଏ ତୁମ ବନ୍ଧୁଙ୍କ ମୁହଁରେ ଟଙ୍କା ଲାଗିଗଲାଣି, ନହେଲେ ବନ୍ଧୁତାକୁ ଭୁଲିଯାଇ ଏପରି ପ୍ରସ୍ତାବ ସେ ବା କାହିଁକି ଦିଅନ୍ତେ ? ” ତାପରେ ବୀରଭଦ୍ର ତା ସ୍ତ୍ରୀ ପାଇଁ ହୀରାହାରାଟିଏ ତିଆରି କଲା l କିଛି ମାସ ଧରି ଟଙ୍କା ଏକାଠି କରି ବୀରଭଦ୍ର ଚନ୍ଦ୍ରକାନ୍ତଙ୍କୁ ଦୁଇହାଜର ଏକସହ ଟଙ୍କା ସୁଝିବାକୁ ଗଲେ l ଚନ୍ଦ୍ରକାନ୍ତ କହିଲେ, ” ତମେ ତ ମୋଠାରୁ ଦୁଇହାଜର ନେଇଥିଲ ପୁଣି ଶହେ କଣ ପାଇଁ ? “

ବୀରଭଦ୍ର କହିଲେ, ” ଇଏ ତ ସୁଧ ଟଙ୍କା l ” ଚନ୍ଦ୍ରକାନ୍ତ କହିଲେ, ” ଛି ଛି, ଏ କି କଥା କହୁଛ ? ମୁଁ ପୁଣି ମୋ ବନ୍ଧୁ ଠାରୁ ସୁଧ ନେବି? ଆମେ ଦୁହେଁ ପରା ପିଲାଦିନରୁ ସାଥୀ ହୋଇ ରହିଛେ l ଆଜି ତୁମଠାରୁ ସୁଧ ନେବି l ତମେ ବୋଧେ ମୋତେ ଭୁଲ ବୁଝିଲ l ” ବୀରଭଦ୍ର କହିଲେ, ” ହୁଏତ ଏବେ ତୁମ ମନ ବଦଳିଯାଇଛି l ତୁମେ ଟଙ୍କା ଦେବାବେଳେ କହିଥିଲ କି ମୋ ପାଇଁ ତୁମେ ପ୍ରଶାନ୍ତଙ୍କଠାରୁ କରଜ କରି ଆଣିବ l ” ତାଙ୍କ କଥା ଶୁଣି ଚନ୍ଦ୍ରକାନ୍ତ କହିଲେ , ” ତମେ ଏତିକି ବୁଝିଲ ନାହିଁ l ତୁମକୁ ମୂଳସୁଧ ପ୍ରଭୃତି ବିଷୟରେ ବୁଝାଇବାପାଇଁ ସେକଥା କହିଥିଲି l ସୁଧ ଟଙ୍କା ନେବାପାଇଁ ନୁହଁ l ଯେମିତିକି ତୁମେ ବୁଝିପାରିବ ଯେ ଧନର ମୂଲ୍ୟ କଣ? ଏବେ ବୀରଭଦ୍ର ବୁଝିଲେ ଯେ ଚନ୍ଦ୍ରକାନ୍ତ ତାଙ୍କର ଜଣେ ପ୍ରକୃତ ବନ୍ଧୁ ଓ ଧନର ମୂଲ୍ୟ କଣ ? ଏଣୁ ସେ ଚନ୍ଦ୍ରକାନ୍ତଙ୍କୁ କ୍ଷମା ମାଗିଲେ l ଏହି ଘଟଣା ପରଠାରୁ ବୀରଭଦ୍ର ଖର୍ଚ୍ଚ କମ କଲେ ଓ ବହୁତ ଆନନ୍ଦରେ ରହିଲେ l

Leave a Comment

From Most Popular Categories

You cannot copy content of this page