ଜନସେବକ
ସମୟର ମୂଲ୍ୟ ବୁଝି ଏହାର ସଦୁପଯୋଗ କରୁଥିବା, ପ୍ରତିଟି ମୁହୂର୍ତ୍ତକୁ ନଷ୍ଟ ନକରି କାମରେ ଲଗାଉଥିବା ଲାଲବାହାଦୁର ଶାସ୍ତ୍ରୀ ସେ ସମୟରେ ରେଳମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରୁଥାନ୍ତି l ଏକ ସମ୍ମିଳନୀରେ ଯୋଗଦେବା ନିମନ୍ତେ ସରଦାର ନଗର ଅଭିମୁଖେ ଯାଉଥାନ୍ତି l ଗାଁ ଭିତର ଦେଇ ଯାଇଥିବା ରାସ୍ତାରେ ଯିବାବେଳେ ଏକ ସ୍ଥାନରେ ଦେଖିବାକୁ ପାଇଲେ କିଛି ଗ୍ରାମୀଣ ପୁରୁଷ, ସ୍ତ୍ରୀ ଉଦବିଗ୍ନ ଅବସ୍ଥାରେ ଠିଆ ହୋଇଥାନ୍ତି l ଶାସ୍ତ୍ରିଜୀ ଗାଡିକୁ ଦେଖି ସେମାନେ ସମ୍ମୁଖକୁ ଆଦି ଗାଡି ରୋକିଥିଲେ l
ଗାଡିର ଚାଳକ ଗାଡି ଅଟକାଇ ପଚାରିଥିଲେ – ” କଥା କ’ଣ, ଗାଡି କାହିଁକି ରୋକିଲ ?
ସବୁଠାରୁ ବୟସ୍କ ବ୍ୟକ୍ତିଜଣକ ନମ୍ର ଭାବରେ କହିଥିଲେ – ଜଣେ ଅତି ଗରିବ ମହିଳାଙ୍କ ପ୍ରସବ ସମୟ ନିକଟ ହୋଇଆସିଲାଣି l ତାଙ୍କୁ ସହରର ଡାକ୍ତରଖାନା ନେବା ନିହାତି ଜରୁରୀ l ଦୀର୍ଘସମୟ ହେଲା ଏଠି ଅପେକ୍ଷା କରିଛୁ, ହେଲେ ତାଙ୍କୁ ନେବାପାଇଁ ଗାଡି ମିଳୁନାହିଁ l ତାଙ୍କର ପ୍ରସବ ଜନିତ ପୀଡା ବଢ଼ିବାରେ ଲାଗିଛି l ଯଦି ଆପଣ କୃପାକରି ତାଙ୍କୁ ଗାଡ଼ିରେ ସହରର ଡାକ୍ତରଖାନାକୁ ନେଇଯାଆନ୍ତେ ବହୁତ ମଙ୍ଗଳ ହୋଅନ୍ତା l “
” ନା ଏ ଗାଡି ସରକାରଙ୍କର l ସରକାର କାମରେ ସରଦାର ନଗର ଯାଉଛି ” – ଶାସ୍ତ୍ରୀଜିଙ୍କ ନିକଟରେ ବସିଥିବା ଜଣେ ଅଧିକାରୀ ଏହିପରି ନାସ୍ତିସୂଚକ ବାଣୀ କହିଲେ l ସହଯାତ୍ରୀଙ୍କ ଠାରୁ ଗାଡିଟି ସରଦାର ନଗର ଯାଉଥିବା କଥା ଶୁଣି ବୟସ୍କ ବ୍ୟକ୍ତି କହିଲେ – ” ୟାକୁ ତ ସେଇ ସରଦାର ନଗର ନେଇଯିବା ପାଇଁ ସ୍ଥିର କରିଛୁ l ” ତାଙ୍କର ଅନୁରୋଧକୁ ଉପେକ୍ଷା କରି ସହଯାତ୍ରୀ ଅଧିକାରୀ ଗାଡି ନ ଅଟକାଇ ଚାଲିଯିବା ପାଇଁ ଚାଳକକୁ କହିଲେ l ଏଭଳି କଥା ଶୁଣି ଅତି ମର୍ମାହତ ହୋଇଥିଲେ ଶାସ୍ତ୍ରିଜୀ l ଗାଡି ଚାଳକକୁ ରହିବା ପାଇଁ ନିର୍ଦେଶ ଦେଇ ଗାଡ଼ିରୁ ଓହ୍ଲାଇପଡି ସେହି ବ୍ୟକ୍ତିଙ୍କୁ କହିଥିଲେ – ” ଯାଅ, ଶୀଘ୍ର ସେଇ ଭଉଣୀଙ୍କୁ ନେଇ ଆସ ” l ମୁଁ ଗାଡ଼ିରେ ନେଇ ତାଙ୍କୁ ନିକଟସ୍ଥ ସହରରେ ଥିବା ଡାକ୍ତରଖାନାରେ ପହଞ୍ଚାଇ ଦେବି l “
ଏହା ଶୁଣି ଅଧିକାରୀ ଭ୍ରୁକୁଞ୍ଚନ କରି କହିଲେ -” ଶ୍ରୀମାନ, ତାଙ୍କୁ ଆଣିବାରେ ନିଶ୍ଚୟ ବିଳମ୍ବ ହେବ l ଆପଣଙ୍କୁ ସେତିକି ସମୟ ଏଇ ରାସ୍ତାରେ ଛିଡା ହେବା ପାଇଁ ପଡିବ l ଯାହା ଅନୁମାନ ହେଉଛି ଆପଣଙ୍କ ନିର୍ଦେଶରେ ମହିଳାଙ୍କୁ ଆଣିବା ପାଇଁ ଯାଇଥିବା ସେଇ ଲୋକମାନେ ଘଣ୍ଟାଏ ପୂର୍ବରୁ କେବେ ଆସିବେ ନାହିଁ l ୟାଠୁ ଅଧିକ ବିଳମ୍ବ ବି ହେଇପାରେ l ଗ୍ରାମୀଣ ଇଲାକାର ଲୋକ l ଏମାନଙ୍କର ସମୟ ଜ୍ଞାନ ଆସିଲା କୁଆଡୁ ? ” “ହଁ, ଡେରି ହେଲା ତ କଣ ହେଲା l ତାଙ୍କୁ ଆସିବାକୁ ଦିଅ l ସମ୍ମିଳନୀରେ ଯୋଗ ଦେବା ଅପେକ୍ଷା
ମୋ ପାଇଁ ଅଧିକ ମହତ୍ୱପୂର୍ଣ୍ଣ ସେଇ ଭଉଣୀ ଜଣଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା l ମୁଁ ଜଣେ ରାଜନେତା ହେଲେ ବି ମୋର ପ୍ରଥମ ପରିଚୟ ହେଲା ଜନସେବା l ନିଜକୁ ଜନସେବକ କହୁଥିବା ବେଳେ ଯଦି ସେବାରେ ଏଇ ମଉକାକୁ ବାହାନା ଦେଖାଇ ଏଡାଇଯିବି ତେବେ ଏହାଠୁ ବଳି ବଡ଼ ଆତ୍ମପ୍ରବଞ୍ଚ୍ଛନା ଆଉ କ’ଣ ଥାଇପାରେ l ଶାସ୍ତ୍ରିଜୀଙ୍କ ଇଚ୍ଛା ଅନୁଯାୟୀ ସେହି ମହିଳାଙ୍କୁ ସରଦାର ନଗରରେ ପହଞ୍ଚାଇ ଦିଆଗଲା l ବାସ୍ତବରେ କିଏ ଛୋଟ କିଏ ବଡ଼, ଅତି ବିଶିଷ୍ଟ ଅଥବା ସାଧାରଣ ବ୍ୟକ୍ତି, ଧନୀ ଗରିବ ବ୍ୟକ୍ତିର ଭେଦ ଭାବ ନ ଆଣି ନିଃସ୍ୱାର୍ଥପର ଭାବରେ, ସେବା ମନୋଭାବ ନେଇ ଯିଏ କାର୍ଯ୍ୟ କରିଥାନ୍ତି ସେ ହିଁ ପ୍ରକୃତରେ ଧନ୍ୟ, ସେ ହିଁ ମହାନ ଜନସେବକ l